ହୋଲିରେ ଭିଜିବ ଓଡ଼ିଶା

ଆଜି ୯ ଜିଲାରେ ବର୍ଷା ସମ୍ଭାବନା, ମାର୍ଚ୍ଚ ୩ୟ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ମଙ୍ଗଳବାରଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ପରି ୯ଟି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ସେହିପରି ୮ ରୁ ୯ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୯ ରୁ ୧୧ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼ ଓ ବୌଦ୍ଧ ଜିଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ୩୭.୮ ଡିଗ୍ରୀ ତାପମାତ୍ରା
ରେକର୍ଡ଼ ହୋଇଛି। ସମ୍ବଲପୁରରେ ୩୭.୬ ଡିଗ୍ରୀ, ସୁନ୍ଦରଗଡ଼ ଓ ମାଲକାନଗିରିରେ ୩୭.୫ ଡିଗ୍ରୀ ଲେଖାଏଁ, ସୁବର୍ଣ୍ଣପୁରରେ ୩୭.୩ ଡିଗ୍ରୀ, ହୀରକୁଦରେ ୩୭.୨ ଡିଗ୍ରୀ, ବାରିପଦା ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି। ଭୁବନେଶ୍ବରରେ ୩୬ ଏବଂ କଟକରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ, ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା କମିବ। ତାପମାତ୍ରା ୩୮ ଡିଗ୍ରୀରୁ ବଢ଼ିବ ନାହିଁ। ଅନେକ ସ୍ଥାନରେ ଏହା ୩୬ ଡିଗ୍ରୀ ତଳେ ରହିବ। ମାର୍ଚ୍ଚ ୮ରୁ ୧୦ ପାଗରେ ପରିବର୍ତ୍ତନ ଆସିବ। ୮ରେ କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ। ୯ରେ ଛତିଶଗଡ଼ ସୀମାନ୍ତ ଜିଲା ଓ ୧୦ରେ ଉଭୟ ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ପାଗ ମେଘୁଆ ରହିବ। ୧୦ରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ଭୁବନେଶ୍ବରରେ ପାଗ ମେଘୁଆ ରହିଲେ ବି ବର୍ଷାର ସମ୍ଭାବନା କମ୍ ଥିବା ସେ କହିଛନ୍ତି। ୧୨ରୁ ପଶ୍ଚିମ/ଦକ୍ଷିଣ ଓଡ଼ିଶା ଏବଂ ୧୩ରେ ପ୍ରାୟତଃ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ସାମୟିକ ଭାବେ ବଢ଼ିପାରେ। ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ପାଗ ମେଘୁଆ ଓ ବର୍ଷା ସମ୍ଭାବନା ରହିଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

kalyan agarbati

Comments are closed.