ତୁ ପିଲାଙ୍କ ସହ ଯାହା କଲୁ, ତତେ କେବେ କ୍ଷମା କରିବିନି ନୱାଜ: ପତ୍ନୀ ଆଲିଆ
ରାତି ଅଧରେ ପତ୍ନୀ ଓ ପିଲାଙ୍କୁ ଘରୁ କାଢିଦେଲେ ନୱାଜୁଦ୍ଦିନ !
ମୁମ୍ବାଇ: ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ପତ୍ନୀ ଆଲିଆଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଏବେ ଆଲିଆ କାନ୍ଦି କାନ୍ଦି ଏକ ଭିଡିଓ ଶେୟାର କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ନୱାଜ ତାଙ୍କୁ ଏବଂ ତାଙ୍କ ଦୁଇ ପିଲାଙ୍କୁ ରାତି ଅଧରେ ଘରୁ ବାହାର କରିଦେଇଛନ୍ତି। ଆଲିଆ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଏହି ଭିଡିଓରେ ଆଲିଆ ଦୁଇ ପିଲାଙ୍କ ସହ ଘର ଗେଟ୍ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ସହ ପୁଅ ଓ ଝିଅ ମଧ୍ୟ ଅଛନ୍ତି ଓ ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଛି।
ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଲୋକେ ଅଭିନେତାଙ୍କ ବିଷୟରେ ଖରାପ କମେଣ୍ଟ କରିଛନ୍ତି। ଆଲିଆ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମଧ୍ୟରାତ୍ରିରେ ନିଜ ପିଲାମାନଙ୍କ ସହ ରାସ୍ତାରେ ନଜର ଆସିଛନ୍ତି। ଆଲିଆ କହିଛନ୍ତି ଯେ, ନୱାଜୁଦ୍ଦିନ ନିଜେ ତାଙ୍କୁ ଏହି ଅବସ୍ଥାରେ ରହିବାକୁ ବାଧ୍ୟ କରିଛନ୍ତି। ତାଙ୍କ ପିଲାମାନେ ଭୋକରେ ଅଛନ୍ତି, ଏପରିକି ସେମାନଙ୍କ ମୁଣ୍ଡ ଉପରୁ ଛାତ ମଧ୍ୟ ଛଡ଼ାଇ ନିଆଯାଇଛି। ଆଲିଆ ଅଭିଯୋଗ କରିଛନ୍ତି ଯେ, ନୱାଜୁଦ୍ଦିନ ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଘରୁ ବାହାର କରିଦେଇଛନ୍ତି। ଆଲିଆଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଆଲିଆ କହିଛନ୍ତି, ‘‘ମୋ ଝିଅ କାନ୍ଦୁଛି, ସେ ବହୁତ ବ୍ୟସ୍ତ ହେଉଛି। ମୁଁ ଜାଣିନି ନୱାଜ କାହିଁକି ଏପରି କରୁଛନ୍ତି, ଏହା କ’ଣ ତାଙ୍କୁ ଶୋଭା ଦେଉଛି? ମୁଁ ନୱାଜଙ୍କ ବଙ୍ଗଳା ବାହାରେ ଠିଆ ହୋଇଛି, ଏମାନେ ମୋର ଦୁଇ ପିଲା। ଆମକୁ ବଙ୍ଗଳା ଭିତରୁ ବାହାର କରି ଦିଆଯାଇଛି। ବର୍ତ୍ତମାନ କିଛି ବୁଝିପାରୁ ନାହିଁ ମୁଁ କ’ଣ କରିବି। ନା ମୋ ପାଖରେ ଟଙ୍କା ଅଛି ନା ଘର। ପିଲାଙ୍କୁ ନେଇ କୁଆଡ଼େ ଯିବି କିଛି ଜାଣି ପାରୁନାହିଁ। ତୁ ମୋ ପିଲାମାନଙ୍କ ସହ ଯାହା କରୁଛୁ ସେଥିପାଇଁ ତତେ କେବେ କ୍ଷମା କରିବିନି ନୱାଜ। ରାତି ୧୨ଟାରେ ନୱାଜ ମୋତେ ଓ ପିଲାମାନଙ୍କୁ ରାସ୍ତାରେ ଠିଆ କରାଇଛି। ଏବେ ମୁଁ କୁଆଡ଼େ ଯିବି କିଛି ଜାଣିପାରୁନି।’’
ଆଲିଆ ତାଙ୍କ ପୋଷ୍ଟରେ ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପିଲାମାନେ ଶୋଇଥିବା ନଜର ଆସିଛନ୍ତି। ଏହି ଭିଡିଓ ସହିତ ଆଲିଆ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ଯାହା ମାଧ୍ୟମରେ ସେ ନୱାଜଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଥିବା କହୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏ ପ୍ରସଙ୍ଗରେ ନୱାଜଙ୍କର କୌଣସି ବୟାନ ସାମ୍ନାକୁ ଆସିନାହିଁ।
Comments are closed.