Patra electronics

ଗଳାବନ୍ଦ ସାର୍ଟ ଓ ଚପଲର ପ୍ରବେଶ ନିଷେଧ

ଶ୍ୟାମସୁନ୍ଦର ଅଗ୍ରୱାଲା

ବିଗତ ଊଣେଇଶ ଶହ ଏକତିରିଶ ମସିହାର କଥା। ମହାତ୍ମା ଗାନ୍ଧୀ ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ନିମନ୍ତେ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ଭାରତବର୍ଷର ତତ୍କାଳୀନ ଭାଇସରାୟ ଲର୍ଡ଼ ଇରୱିନଙ୍କ ନେତୃତ୍ୱରେ ବ୍ରିଟିଶ ସାମ୍ରାଜ୍ୟର ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ବୈଠକରେ ଯୋଗ ଦେବା ନିମନ୍ତେ ମହାତ୍ମା ଗାନ୍ଧୀ ଉପଯୁକ୍ତ ବିଦେଶୀ ପୋଷାକ ପିନ୍ଧିବାକୁ ରୋକ୍‌ଠୋକ ମନା କରିଦେଇଥିଲେ ଓ ଖଣ୍ଡିଏ ଆଣ୍ଠୁ ଉଚ୍ଚା ଧୋତି ଓ ହଳେ ଚପଲ ପିନ୍ଧି ସମସ୍ତଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଏପରିକି ତତ୍କାଳୀନ ବ୍ରିଟିଶ ସାମ୍ରାଜ୍ୟର ମହାମହିମ ପଞ୍ଚମ ଜର୍ଜଙ୍କୁ ମଧ୍ୟ ଭେଟିବାକୁ ଯିବା ସମୟରେ ସେ ସେହି ବେଶରେ ମହାରାଜାଙ୍କ ବଙ୍କିମହାମ ପ୍ରାସାଦରେ ପ୍ରବେଶ କରିଥିଲେ। ରାଜ ଦରବାରରେ ଉପସ୍ଥିତ ରହିବା ନିମନ୍ତେ ନିର୍ଦ୍ଦିଷ୍ଟ ପୋଷାକକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ଓ ଦମ୍ଭର ସହିତ ତାଙ୍କର ସେହି ଖଣ୍ଡିଏ ଛୋଟିଆ ଧୋତି ଓ ହଳେ ଚପଲ ପିନ୍ଧି ମହାରାଜାଙ୍କୁ ସାକ୍ଷାତ କରିଥିଲେ।

ବର୍ତ୍ତମାନ ଦୁଇ ହଜାର ତେଇଶ ମସିହାର କଥା। ଦେଶ ସ୍ୱାଧୀନ ହେବାକୁ ପଞ୍ଚସ୍ତରି ବର୍ଷରୁ ଅଧିକ ହୋଇଗଲାଣି। ଦେଶର ଅମୃତ କାଳର ଶୁଭାଗମନ ହୋଇଛି ବୋଲି ପ୍ରଚାର ଚାଲିଛି। ମୋ’ର କେତେ ଜଣ ବନ୍ଧୁ ମୋତେ ରାତ୍ରି ଭୋଜନ ନିମନ୍ତେ ଓଡ଼ିଶାର ଏକ ସମ୍ଭ୍ରାନ୍ତ କ୍ଲବକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ସ୍ୱୀକାର କରି କ୍ଲବର ମୁଖ୍ୟଦ୍ୱାରରେ ପ୍ରବେଶ କରିବା ସମୟରେ ଉପସ୍ଥିତ ସୁରକ୍ଷା କର୍ମଚାରୀ ମୋତେ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ, କାରଣ ମୁଁ ପାଦରେ କେବଳ ହଳେ ଚପଲ ପିନ୍ଧିଥିଲି। ଭାଗ୍ୟ ଭଲ ସେହି ଚପଲର ପୃଷ୍ଠ ଭାଗରେ ଗୋଟିଏ ଫିତା ଥିଲା। ତାଙ୍କ ନି​‌େ​‌ର୍ଦଶରେ ଫିତାଟିକୁ ବାନ୍ଧି ଚପଲକୁ ସ୍ୟାଣ୍ଡଲରେ ପରିବର୍ତ୍ତନ କରି ପ୍ରବେଶ କରିବାକୁ ଚେଷ୍ଟା କଲାବେଳେ ପୁନଶ୍ଚ ମନା କରି ଦିଆଗଲା କାରଣ ମୋ ସାର୍ଟଟି ଗଳାବନ୍ଦ ଥିଲା ଓ ସେଥିରେ ଦୁଇଟି କଲାର ନ ଥିଲା। ବର୍ତ୍ତମାନ ସାର୍ଟର କଲାର ଦୁଇଟି କେଉଁଠୁ ଆଣିବି? ବାଧ୍ୟ ହୋଇ ମୁଣ୍ଡକୁ କୁଣ୍ଡେଇ କୁଣ୍ଡେଇ ଘରକୁ ପ୍ରତ୍ୟାବର୍ତ୍ତନ କଲି। ମୁଁ ତ ଆଉ ମହାତ୍ମା ଗାନ୍ଧୀ ନୁହେଁ ଯେ ଜିଦ୍‍ କଲେ ମୋତେ ଭିତରକୁ ଛାଡି଼ଦେବେ? ଅଧିକ ଉପହାସିତ ହେବା ପୂର୍ବରୁ ମୁଁ ଘରକୁ ଫେରିଯାଇ ଯାହି ତାହି ଗଣ୍ଡେ ଖାଇ ଦେଇ ସେଦିନର ଏକ ନିଶ୍ଚିତ ଉପବାସରୁ ବର୍ତ୍ତିଗଲି।

ଏହିପରି ପୋଷାକ ପିନ୍ଧିବାର ବାଧ୍ୟବାଧକତା ଗୋଟିଏ ଫିରିଙ୍ଗି ସଂସ୍କୃତିର କିଛି ଅଯଥା ନୀତି ନିୟମର ଆନୁଗତ୍ୟତା ବ୍ୟତୀତ ଏହାର ଅଧିକ କ’ଣ କାରଣ ଥାଇପାରେ? ମୋ’ର ଚପଲ ଓ ସାର୍ଟ ଉଭୟ ଅତ୍ୟନ୍ତ ରୁଚି଼ପୂର୍ଣ୍ଣ ଥିଲା। ଅଧିକାଂଶ ଭାରତୀୟ ଚପଲର ପଛ ପଟେ ଫିତା ପ୍ରାୟ ନଥାଏ ଆଉ ଯଦି ବା ଥାଏ ତାହା ବାନ୍ଧିବା ନ ବାନ୍ଧିବା ପରିସ୍ଥିତି ଓ ବ୍ୟବହାରୀଙ୍କର ଇଚ୍ଛା ଉପରେ ନିର୍ଭର କରିଥାଏ। ରାସ୍ତା ଯଦି ଆବୁଡ଼ା ଖାବୁଡ଼ା ହୋଇଥାଏ ଓ ପାଦ ଖସିଯିବାର ସମ୍ଭାବନା ଥାଏ ତେବେ ହୁଏତ ବ୍ୟବହାରକାରୀ ଫିତାଟିକୁ ବାନ୍ଧି ଦେଇପାରନ୍ତି କିନ୍ତୁ ଶଙ୍ଖ ମର୍‍ମର୍‍ ଚଟାଣର ଭେଲଭେଟ କାର୍ପେଟରେ ଚାଲିବା ସମୟରେ ଏହାର ବ୍ୟବହାର ଅନାବଶ୍ୟକ ହୋଇଥାଏ ଏବଂ ସାମାନ୍ୟ ହାଲୁକା ଅନୁଭବ କରିବା ନିମନ୍ତେ ଏହାକୁ ପ୍ରାୟ ଖୋଲା ଛାଡି଼ ଦିଆଯାଇଥାଏ। ଚପଲର ଫିତା ସଦୃଶ ସାର୍ଟର କଲାରର ଆବଶ୍ୟକତା ଉପରେ ମଧ୍ୟ ପ୍ରଶ୍ନ ଉଠିଥାଏ। ୟୁରୋପରେ ଲୋକମାନେ ଅଧିକାଂଶ ସମୟରେ ବେକରେ ଟାଇ ଓ ବୋ ବାନ୍ଧିଥାନ୍ତି। ଏହି ଟାଇ ଓ ବୋ ମାନଙ୍କର ଫିତା ବେକ ପାଖରେ ଗୁଡ଼େଇ ହୋଇଥିବା ଯୋଗୁଁ ଏହାକୁ ଲୁଚେଇ ରଖିବା ନିମନ୍ତେ ସାର୍ଟରେ କଲାର ଦିଆଯାଇଥାଏ। ଯଦି ବିନା ଟାଇ ଓ ବୋ ରେ ପ୍ରବେଶ ଅନୁମତି ଦିଆଯାଉଛି ତେବେ ବିନା କଲାରରେ ସାର୍ଟକୁ ଅନୁମତି ଦେବା ପାଇଁ ଅସୁବିଧା ରହିଲା କେଉଁଠି?

ଏହି କ୍ଲବଗୁଡି଼କ ଯେତେ ବଡ଼ ବଡ଼ କଥା କହନ୍ତୁ ନା କାହିଁକି ଏଠାରେ ପ୍ରାୟ ଖାଇବା, ପିଇବା ଓ ମନୋରଞ୍ଜନ ନିମନ୍ତେ ବିଭିନ୍ନ ବର୍ଗର ଲୋକମାନେ ଏକତ୍ର ହୋଇଥାନ୍ତି। ଏହିପରି ଏକ ପରିବେଶରେ ଫିତାଲଗା ସ୍ୟାଣ୍ଡଲ ଓ କଲାର ଥିବା ସାର୍ଟର ନିହାତି ଆବଶ୍ୟକତା କ’ଣ ଥାଇପାରେ? ଆମ୍ଭମାନଙ୍କର ସାର୍ଟ, ପ୍ୟାଣ୍ଟ, ଜୋତା ଓ ସ୍ୟାଣ୍ଡଲ ଉପରେ କୌଣସି ଆପତ୍ତି ନାହିଁ; କିନ୍ତୁ ଧୋତି, କୁର୍ତ୍ତା ଓ ଚପଲ ପରି ଏକ ରୁଚି଼ପୂର୍ଣ୍ଣ ଭାରତୀୟ ପରିଧାନ ଉପରେ ଏମାନଙ୍କର ଏତେ ଆପତ୍ତି କାହିଁକି? ଆମରି ଦେଶରେ ଆମରି ମାଟି ଉପରେ ଗଢ଼ି ଉଠିଥିବା ଆମ ଅନୁଷ୍ଠାନଗୁଡି଼କ ଯଦି ଆମରି ପରିଧାନକୁ ଆପତ୍ତି କରିବେ ତେବେ ଆମେ ଆପତ୍ତି କରିବୁ କାହାକୁ? ଆମେ ଆପତ୍ତି କରିବୁ ଯାହାକୁ ସେହିମାନେ ତ ଏହି ଅନୁଷ୍ଠାନର ବରିଷ୍ଠ ସଭ୍ୟ ଓ ମାନ୍ୟବର ପୁରୋଧା ଆସନମାନଙ୍କରେ ବସିଛନ୍ତି। ଆମେ ଜାଣିବାରେ ଏହା ଆଇନ ସମ୍ମତ ନୁହେଁ ଆଉ ଯଦି ବି ଆଇନ ସମ୍ମତ ହୋଇଥାଏ ତେବେ ଏହିପରି ଆଇନର ଏକ ପୁନର୍ବିଚାରର ଆବଶ୍ୟକତା ଦରକାର ପଡୁନାହିଁକି?

ଭାରତୀୟ ସମ୍ବିଧାନ ଧାରା ଚଉଦରୁ ଅଠର ସମସ୍ତ ଭାରତୀୟମାନଙ୍କୁ ଭାରତବର୍ଷରେ ସମାନତା ଅଧିକାର ଦେଇ କୌଣସି ବାଛ ବିଚାରକୁ ନିଷେଧ କରିଛି ଓ ଧାରା ଊଣେଇଶରୁ ବାଇଶ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତାର ଅଧିକାର ଦେଇଛି। ଅବଶ୍ୟ ଜନସ୍ୱାର୍ଥ ଦୃଷ୍ଟିରୁ ଏହି ସ୍ୱାଧୀନତା ଉପରେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ଲାଗୁ କରାଯାଇପାରେ। ପ୍ରଶ୍ନ ଉଠେ ସାର୍ଟର କଲାର ରହିବା ଓ ଚପଲରେ ଫିତା ବନ୍ଧା ହେବା ଏକ ଯୁକ୍ତିଯୁକ୍ତ ପ୍ରତିବନ୍ଧକ କି? ଏହା କିଭଳି ଜନସ୍ୱାର୍ଥ ରକ୍ଷା କରୁଛି ଓ ଭାରତୀୟ ପୋଷାକ ଓ ଚପଲ କିପରି ଜନସ୍ୱାର୍ଥ ବିରୋଧୀ ହୋଇପାରୁଛି? ଏହି ଅନୁଷ୍ଠାନଗୁଡି଼କ କୌଣସି ବିଦ୍ୟା, ଧାର୍ମିକ କିମ୍ବା ନ୍ୟାୟିକ ମନ୍ଦିର ନୁହେଁ। ଏହି ଅନୁଷ୍ଠାନ ଗୁଡି଼କ କୌଣସି ବ୍ୟକ୍ତି କୈନ୍ଦ୍ରିକ ମଧ୍ୟ ନୁହେଁ। ଏହା ସରକାରଙ୍କ ପ୍ରଦତ୍ତ ସରକାରୀ ଜମି ଉପରେ ହିଁ ପ୍ରତିଷ୍ଠିତ ହୋଇଛି। ତେଣୁ ଏ ଭଳି ପ୍ରତିବନ୍ଧକ କେଉଁ ଆଇନ ଉପରେ ପ୍ରତିଷ୍ଠିତ ତାହା ବିଚାର କରିବାର ସମୟ ଆସିଯାଇଛି।

ଆଇନ ଯାହା କହୁନା କାହିଁକି ଏହା ବିବେକ ଅନୁମୋଦିତ କି? ଆଜି ଆମେ ଭାରତୀୟ ସଂସ୍କୃତିକୁ ନେଇ ଗର୍ବ କରୁଛୁ। ଆମର ଖାଦ୍ୟ, ପୋଷାକ ଓ ଚାଲିଚଳଣକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ଆମେ ବିଶ୍ୱଗୁରୁ ବୋଲି ନିଜକୁ ଦାବି କରୁଛୁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ରୁଚି଼ପୂର୍ଣ୍ଣ ଭାରତୀୟ ଗଳାବନ୍ଦ ପୋଷାକ ଓ ଚପଲରେ ଦୃଶ୍ୟମାନ ହେଉଛନ୍ତି। ମନରେ ପ୍ରଶ୍ନ ଉଠେ ଏମାନଙ୍କୁ କ’ଣ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ? ଯଦି ଏମାନଙ୍କୁ ଅନୁମତି ଦିଆଯାଏ ତେବେ ଆମକୁ କାହିଁକି ନୁହେଁ ଆଉ ଯଦି ଏମାନଙ୍କୁ ଅନୁମତି ନ ଦିଆ ନ ଯାଏ ତେବେ ଆମେ ବା କିଏ?

Comments are closed.