ଫୁଲବାଣୀ: କନ୍ଧମାଳ ଜିଲା ସମବାୟ ସଂଘ ପକ୍ଷରୁ ରବିବାର ସହକାରୀ ନିବନ୍ଧକଙ୍କ ସମବାୟ ସମିତି ସଭାଗୃହରେ ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ ପାଳନ ହୋଇଯାଇଛି । ଜିଲା ସମବାୟ ସଂଘ ସଭାପତି ସୁପ୍ରଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ନବ ନିର୍ବାଚିତ ସଭାପତି ଅରୁଣ ପ୍ରଧାନ ଯୋଗଦେଇ ଚାଷୀ ମାନଙ୍କର ଉନ୍ନତି ପାଇଁ ବ୍ୟାଙ୍କ ପକ୍ଷରୁ ଯେଉଁ ସବୁ ସହଯୋଗ ଆବଶ୍ୟକ ପଡ଼ିବ ତାହା ପୁରଣ କରାଯିବ ବୋଲି ପ୍ରକାଶ କରିବା ସହିତ ଯେଉଁମାନେ ଋଣ ନେଉଛନ୍ତି ସେମାନେ ଠିକ୍ ସମୟରେ ଋଣ ପରିଶୋଧ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
କର୍ମଚାରୀ ମାନେ ଆନ୍ତରିକତାର ସହିତ କାର୍ଯ୍ୟକରିବେ ବ୍ୟାଙ୍କର ଉନ୍ନତି ହେବା ସହିତ ଚାଷୀ ମାନଙ୍କର ମଧ୍ୟ ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ । ବିନୋଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦିକା ଶ୍ରୀମତି ଜ୍ୟୋର୍ତିମୟୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପସଭାପତି ସମବାୟ ସଂଘର କିଶୋର ଚନ୍ଦ୍ର ନାୟକ , ଡ଼ିଆରସିଏସ୍ ଯୁଗଳ କିଶୋର ଦାସ , ଏଆରସିଏସ୍ ପାଣୁ ଚରଣ ସାହୁ , ନରେଶ ପ୍ରଧାନ , ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଓ ଲ୍ୟାମ୍ପସ୍ ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ମାନେ ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ବହୁ ଚାଷୀଙ୍କ ସମେତ ଫୁଲବାଣୀ ବୌଦ୍ଧ କେନ୍ଦ୍ରିୟ ବ୍ୟାଙ୍କର ଶାଖା ପରିଚାଳକଙ୍କ ପୁରସ୍କୃତ କରାଯିବା ସହିତ ଲିଙ୍ଗାଗଡ଼ , ଟିକାବାଲି , ଗୋଛାପଡ଼ା , ବାମୁଣିଗାଁ , ସୁଡ୍ରା ଏବଂ ରାଇକିଆ ଲ୍ୟାମ୍ପସକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସେହିଭଳି ଫୁଲବାଣୀ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁଙ୍କୁ ଏହି ଅବସରରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିବା ବେଳେ ଏଆରସିଏସ୍ ଗଙ୍ଗାଧର କହଁର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଚାଷୀ , ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ଅନ୍ୟମାନେ ଯୋଗଦେଇଥିଲେ ।



