ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସରେ ସଚେତନତା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଅନନ୍ତପୁରଠାରେ ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସ ପାଳନ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌ ଅସ୍‌ଲମ୍‌ ସଂଯୋଜନା କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସମୟ ପୂର୍ବ ପ୍ରସବକୁ ଏଡାଇବା ଲାଗି ଗର୍ଭବତୀ ମହିଳାମାନେ ପ୍ରଥମରୁ ଯତ୍ନବାନ ହେବା, ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ସହିତ ଡାକ୍ତରଙ୍କ ପରାମର୍ଶକ୍ରମେ ଆବଶ୍ୟକୀୟ ଚିକିତ୍ସା କରାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ବାଲ୍ୟବିବାହ, ୨୧ବର୍ଷ ପୂର୍ବରୁ ଗର୍ଭଧାରଣ, ଗର୍ଭର ୩ବର୍ଷ ବ୍ୟବଧାନ ନରଖିବା, ୩ ରୁ ଅଧିକ ପିଲା ପରେ ଗର୍ଭଧାରଣ, ଜଟିଳ ରୋଗରେ ଆକ୍ରାନ୍ତ ଥାଇ ଗର୍ଭଧାରଣ, ଅପପୁଷ୍ଟିର ଶିକାର, ରକ୍ତହୀନତା, ଚିନ୍ତାଗ୍ରସ୍ତ ରହିବା, ଗର୍ଭପରୀକ୍ଷା ସଠିକ୍‌ ସମୟରେ ନକରିବା, ଆଇରନ ଓ କ୍ୟାଲସିୟମ ବଟିକା ସେବନ ନକରିବା, ବିଶ୍ରାମ ନନେବା, ଗଳଗଣ୍ଡ ବା ଥାଇରଏଡ ରୋଗରେ ପୀଡିତ ଥାଇ ଔଷଧ ଠିକ୍‌ରେ ନଖାଇବା, ଆଦି କାରଣରୁ ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

prayash

ଏକ ସର୍ବେକ୍ଷଣରୁ ବିଶ୍ୱରେ ପ୍ରତ୍ୟେକ ବର୍ଷ ୧୫ନିୟୁତ ଶିଶୁ ସମୟ ପୂର୍ବରୁ ପ୍ରସବ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୧ନିୟୁତ ଶିଶୁ ପ୍ରାଣ ହରାଇଥାନ୍ତି ବୋଲି ଶ୍ରୀ ଅସ୍‌ଲମ୍‌ ସୂଚନା ଦେଇଥିଲେ। ତେଣୁ ନିୟମ ଅନୁଯାୟୀ ୨୧ବର୍ଷ ପରେ ବିବାହ ଓ ୨୩ବର୍ଷ ପରେ ଗର୍ଭଧାରଣ କରିବା, ଗର୍ଭଧାରଣ କରିବା କ୍ଷଣି ହିଁ ପଞ୍ଜିକରଣ କରାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଆବଶ୍ୟକୀୟ ଚିକିତ୍ସା କରାଇବା, ଟିକା ନେବା ଲାଗି ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ବେହେରା, ପ୍ରଭାତି ସାହୁଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।

Comments are closed.