ଆସନ୍ତାକାଲି ଅଁଳା ନବମୀ; ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଜାଣନ୍ତୁ ଏହି ଦିନର ମହାତ୍ମ୍ୟ ଓ କିଛି ଜଣା ଅଜଣା କଥା..

ସାକ୍ଷୀଗୋପାଳ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି, ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ନିକଟରେ ଅବସ୍ଥିତ ଅଁଳା ବୃକ୍ଷ ମୂଳରେ ହବିଷ୍ୟାଳୀମାନଙ୍କର ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ ହେବ। ବର୍ଷକରେ କେବଳ ଏହି ଗୋଟିଏ ଦିନ ପାଇଁ ଭକ୍ତମାନେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନର ଦୁର୍ଲ୍ଲଭ ସୁଯୋଗ ପାଇଥାଆନ୍ତି। ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦଦର୍ଶନ ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ସରକାରଙ୍କର କୋଭିଡ କଟକଣା ଫଳରେ ଗତ ୨ ବର୍ଷ ଧରି ପାଦ ଦର୍ଶନ ବନ୍ଦ ରହିଥିଲା। କୌଣସି କଟକଣା ନ ଥିବାରୁ ଚଳିତ ବର୍ଷ ଭକ୍ତ ସମାଗମ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:

ଚଳିତ ବର୍ଷ ପବିତ୍ର ଅଁଳା ନବମୀ ତିଥିରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ନିମନ୍ତେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ସୂଚନା ପ୍ରଦାନ କରିଛନ୍ତି। ସ୍ଥାନୀୟ କୋଟ ଉପର ପଡିଆଠାରୁ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଚାରି ଗୋଟି ବ୍ୟାଟେରୀ ଚଳିତ ଯାନର ବ୍ୟବସ୍ଥା ହୋଇଛି। ଭକ୍ତମାନେ ଏହି ଗାଡ଼ିରେ ବିନା ମୂଲ୍ୟରେ ଯିବାଆସିବା ନିମନ୍ତେ ସୁବିଧା କରାଯାଇଛି। ସେହିପରି ମନ୍ଦିର ବାହାରେ ପ୍ରଥମ ଥର ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ସିଂହଦ୍ୱାର ସମ୍ମୁଖ, ବ୍ୟାରିକେଡ଼, ଦୋଳ ବେଦୀ ନିକଟ ଓ ଗହଳି ହେଉଥିବା ସ୍ଥାନମାନଙ୍କରେ ଏହି କ୍ୟାମେରା ଲଗାଯାଇଛି।

ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। କେବଳ ଏହି ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣୀଆ କଛା ମାରିଥାନ୍ତି। ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ। ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ।

ଆଜି ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯିବ। ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣୀଆ କଛା ମାରିଥିବେ। କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିବ। ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିବେ। ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ ଓ ଡାଇମଣ୍ଡ କଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ ଓ ଚୁପୁଲି ଶୋଭା ପାଉଥିବ।

ସେହିପରି ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର ମନୋରମ ନଟବର ବେଶ ହୋଇଥିବ। ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଥିବେ। ଠାକୁରଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଥିବ। ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବାଉଁଶ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ଼ ନିର୍ମାଣ ହୋଇଛି। ଭକ୍ତମାନେ ବ୍ୟାରିକେଡ଼ ମଧ୍ୟରେ ଧାଡିରେ ଯାଇ ପାଦ ଦର୍ଶନ କରିବେ। ପ୍ରଶାସନ ତରଫରୁ ମନ୍ଦିର ପରିସରରେ ୭ ଗୋଟି ଓ ମନ୍ଦିର ଚାରିପଟେ ୧୨ଗୋଟି ସିସିଟିଭି ଲଗା ଯାଇଛି। ପ୍ରତ୍ୟେକ ବର୍ଷ ସିଂହଦ୍ୱାରଠାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପର୍ଯ୍ୟନ୍ତ ଧାଡି ହୋଇଥାଏ। ପ୍ରାୟ ୨ କିଲୋମିଟର ବ୍ୟାପି ଏହି ଧାଡିରେ ଆସି ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରାୟ ୩ ଘଣ୍ଟା ଲାଗିଥାଏ।

ଭକ୍ତମାନଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳ ଓ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା ହୋଇଛି। ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚାରିପଟ, ବକୁଳ ବନ ଓ ବଜାର ରାସ୍ତାରେ ଆଲୋକ ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଏସପି ଡକ୍ଟର କନୱାର ବିଶାଳ ସିଂ, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ଦେବଦତ୍ତ ବରାଳ ଓ ଉପଜିଲ୍ଲାପାଳ ଭବ ତାରଣ ସାହୁ ପ୍ରମୁଖ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

କିମ୍ବଦନ୍ତୀ ରହିଛି, ସାକ୍ଷୀଗୋପାଳ ଠାକୁର ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ହେବା ପରେ ଠାକୁର ଏଠାରେ ଏକୁଟିଆ ହୋଇଗଲେ। ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ବୃନ୍ଦାବନରେ ରହିଗଲେ। ଠାକୁର ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଝୁରି ହେଲେ। ଠାକୁରଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଝିଅ ଲକ୍ଷ୍ମୀ ପ୍ରତ୍ୟେକ ଦିନ ମନ୍ଦିରକୁ ଠାକୁରଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି । ସେ ଦୀର୍ଘ ସମୟ ଧରି ଠାକୁରଙ୍କୁ ଅପଲକ ନୟନରେ ଦେଖୁଥାନ୍ତି। କାଳକ୍ରମେ ଲକ୍ଷ୍ମୀ ବଡ଼ ହେଲେ। ଠାକୁର ରାତିରେ ଲକ୍ଷ୍ମୀଙ୍କ ଘରକୁ ନିୟମିତ ଯିବାଆସିବା କଲେ। ଥରେ ଠାକୁର ଲକ୍ଷ୍ମୀଙ୍କ ଘରେ ସୁବର୍ଣ୍ଣ ବଂଶୀ ଛାଡି ଆସିଥିଲେ। ବଡ଼ ପଣ୍ଡାଙ୍କ ଘରୁ ସୁବର୍ଣ୍ଣ ବଂଶୀ ମିଳିବା ଖବର ରାଜାଙ୍କ କାନକୁ ଗଲା। ରାଜା ବଡ଼ ପଣ୍ଡାଙ୍କୁ ଦଣ୍ଡ ଦେବା ନିମନ୍ତେ ସ୍ଥିର କଲେ। ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଲକ୍ଷ୍ମୀ ରୂପରେ ଜନ୍ମ ଗ୍ରହଣ କରିଛନ୍ତି। ଲକ୍ଷ୍ମୀଙ୍କ ଅବିକଳ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରି ବାମ ପାର୍ଶ୍ୱରେ ସ୍ଥାପନ କରିବା ନିମନ୍ତେ ଠାକୁର ସ୍ୱପ୍ନାଦେଶ କଲେ। ରାଜା ଦଶ ସହସ୍ର ସୁବର୍ଣ୍ଣ ମହୁଡ଼ରେ ଲକ୍ଷ୍ମୀଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ କଲେ। ପ୍ରତିମୂର୍ତ୍ତି ନିର୍ମାଣ ଦିନଠାରୁ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡିଲେ। ପ୍ରତିମୂର୍ତ୍ତିରେ ଜୀବନ୍ୟାସ ଦେବା ଦିନ ଲକ୍ଷ୍ମୀ ପ୍ରାଣତ୍ୟାଗ କଲେ। ପ୍ରାଣତ୍ୟାଗ ପରେ ଠାକୁରଙ୍କ ସିଂହଦ୍ୱାର ସମ୍ମୁଖରେ ଲକ୍ଷ୍ମୀଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା। ଏହି ସ୍ଥାନ ମଶାଣିଆ ମହାବୀର ନାମରେ ପରିଚିତ। ଲକ୍ଷ୍ମୀଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ଠାକୁର ଏକ ସରଳ ରେଖାରେ ରହିଛନ୍ତି। ଠାକୁର ଓ ମାନବୀ ପ୍ରେମର ସ୍ମୃତି ମନେ ପକାଉଛି। ଏ ସମ୍ପର୍କରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ, ପୂଜା ପଣ୍ଡା ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଲେ, କିମ୍ବଦନ୍ତୀରୁ ସତ୍ୟ ବାହାର କରିବା ଯେପରି କଷ୍ଟ ସେହିପରି କିମ୍ବଦନ୍ତୀକୁ ଅବିଶ୍ୱାସ କରିବା ମଧ୍ୟ କଷ୍ଟ।

 

Comments are closed.