ଟଳିଲା ବାତ୍ୟା ବିପଦ
ସମୁଦ୍ରରେ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ ସିତ୍ରଙ୍ଗ, ୨୪ ଓ ୨୫ରେ ପ୍ରବଳ ବର୍ଷିବ
ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ସିତ୍ରଙ୍ଗ’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ରାଜ୍ୟବାସୀ ଆଶ୍ବସ୍ତ ହୋଇଛନ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ବାତ୍ୟା ଉପକୂଳ ସହ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ । ତେଣୁ ୨୪ ଓ ୨୫ ତାରିଖରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଗୁରୁବାର ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୨ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବ। ତାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୩ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୁହଁାଇବ। ପରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବା ଦ୍ବାରା ୨୫ ତାରିଖରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ଏହାଦ୍ବାରା ପଶ୍ଚିମବଙ୍ଗ ଓ ବାଂଲାଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଏବେଠାରୁ ସ୍ପଷ୍ଟ କରାଯାଇ ପାରିବ ନାହିଁ। ଏହା ଅବପାତରେ ପରିଣତ ହେଲା ପରେ ଏହାର ରୂପରେଖ ସଠିକ ଭାବେ ଆକଳନ
କରାଯାଇ ପାରିବ।
୨୩ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ବିଶେଷକରି ୨୩ରେ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳ ଅର୍ଥାତ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ୨୪ରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉକ୍ତ ଜିଲା ଗୁଡିକରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ୨୫ରେ ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ଫେରି ଆସିବାକୁ କୁହାଯାଇଛି। ୨୪ରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୬୦ରୁ ୭୦ କିମି ରହିବ। ସ୍ଥଳବିଶେଷରେ ଝଟକା ପବନର ବେଗ ୮୦କିମି ଛୁଇଁପାରେ। ୨୫ରେ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦କିମି ଓ ଝଟକା ପବନର ବେଗ ୯୦କିମି ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ନିକଟରେ ୨୩ ବେଳକୁ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିପାରେ।
Comments are closed.