ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାମରିକ ଶାସନ ଜାରି କଲେ ପୁଟିନ
ମସ୍କୋ : ୟୁକ୍ରେନର ଅଧିକୃତ ୪ଟି ସହର ଉପରେ ରୁଷ୍ ସାମରିକ ଶାସନ ଘୋଷଣା କରିଛି। ବୁଧବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ ଶାସନ ନିର୍ଦେଶରେ ସ୍ବାକ୍ଷର କରିଛନ୍ତି। ରୁଷ୍ ଜାତୀୟ ସୁରକ୍ଷା ପରିଷଦର ବୈଠକରେ ୟୁକ୍ରେନର ଅଧିକୃତ ଅଞ୍ଚଳ ଲୁହାନ୍ସ, ଡୋନେସ୍କ,ଖେରସୋନ ଓ ଜାପୋରିଝିଆ ଅଞ୍ଚଳ ପାଇଁ ସାମରିକ ଶାସନ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ଗୁରୁବାର ଠାରୁ ନୂଆ ଶାସନ ଆଦେଶ କାର୍ଯ୍ୟକାରୀ ହେବ। ସାମରିକ ଆଦେଶରେ ଅଧିକୃତ ୪ଟି ଅଞ୍ଚଳର ଶାସନ ମୁଖ୍ୟଙ୍କୁ ଜରୁରୀକାଳୀନ କ୍ଷମତା ପ୍ରଦାନ କରାଯାଇଛି। ସାମରିକ ଶାସନ ଆଦେଶରେ ସ୍ବାକ୍ଷର ସମୟରେ ପୁଟିନ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ରୁଷ୍ର ସମସ୍ତ ଆଞ୍ଚଳିକ ମୁଖ୍ୟଙ୍କୁ ଅଧିକ କ୍ଷମତା ଦିଆଯିବା ଦରକାର। ୟୁକ୍ରେନ ସୀମାନ୍ତବର୍ତ୍ତୀ ୮ଟି ଅଞ୍ଚଳରେ କୌଣସି ପ୍ରକାର ଆଗମନ ଓ ପ୍ରସ୍ଥାନକୁ ବାରଣ କରାଯାଇଛି। ଏହି ଅଞ୍ଚଳରେ ସମନ୍ବୟ କମିଟି ଗଠନ କରାଯିବ। ଯାହା ସରକାରୀ ଏଜେନ୍ସି ସହିତ ଯୋଗାଯୋଗ ବୃଦ୍ଧି ପୂର୍ବକ ୟୁକ୍ରେନ ଉପରେ ଆକ୍ରମଣକୁ ପରିଚାଳନା କରିବ।
Comments are closed.