www.samajalive.in
Wednesday, December 10, 2025
23.1 C
Bhubaneswar

ଯୁଦ୍ଧ ପାଇଁ ଅନୁତପ୍ତ ନୁହେଁ : ପୁଟିନ

ଆସ୍ଥାନା (କାଜାକସ୍ତାନ) : ୟୁକ୍ରେନ ଉପରେ ରୁଷ୍ ଚଳାଇଥିବା ଜୋରଦାର ଆକ୍ରମଣକୁ ସାମୟିକ ଭାବେ ବନ୍ଦ ରଖିବାକୁ ଘୋଷଣା କରିଛି। ଶୁକ୍ରବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆକ୍ରମଣ ଜୋରଦାର କରାଯିବାର ନାହିଁ। ରୁଷ୍‌ର ୩ଲକ୍ଷ ରିଜର୍ଭ (ସଂରକ୍ଷିତ) ସୈନ୍ୟ ଏବେ ୟୁକ୍ରେନରେ ପହଞ୍ଚିସାରିଛନ୍ତି। କ୍ରିମିଆ ସେତୁ ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ ପରେ ରୁଷ୍ ସପ୍ତାହେ ହେଲା ପ୍ରତିଶୋଧମୂଳକ ଆକ୍ରମଣ ଚଳାଇଥିଲା। ୟୁକ୍ରେନର ବିଭିନ୍ନ ସହରର ସାଧାରଣ ଜନବସତିକୁ ଟାର୍ଗେଟ କରି ରୁଷ୍ କ୍ଷେପଣାସ୍ତ୍ର ମାଡ କରିଚାଲିଥିଲା। ୟୁକ୍ରେନ ଉପରେ ହେଉଥିବା ଏହି ଆକ୍ରମଣକୁ ବନ୍ଦ କରିବାକୁ ପୁଟିନ ଘୋଷଣା କରିଛନ୍ତି। କାଜାକସ୍ତାନରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କାଳରେ ପୁଟିନ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ରୁଷ୍‌ର ସାମରିକ ଅଭିଯାନକୁ ନେଇ ସେ ଆଦୌ ଅନୁତପ୍ତ ନୁହନ୍ତି। ଫେବୃଆରୀରେ ରୁଷ୍ ଯଦି ସାମରିକ ଅଭିଯାନ କରି ନଥାନ୍ତା ତେବେ ଆମ ପାଇଁ ପରିସ୍ଥିତି ବହୁତ ଜଟିଳ ହୋଇଥାନ୍ତା। ତେଣୁ ଆମେ ଯାହା କରିଛୁ, ଠିକ୍‌ କରିଛୁ।
ଅନ୍ୟପଟେ ପୁଟିନ ନାଟୋ ସେନାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ନାଟୋ ସେନା ୟୁକ୍ରେନ ସେନାରେ ସାମିଲ ହେଲେ ପରିଣତି ଭୟଙ୍କର ହେବ। ପୁଟିନ ଆହୁରି କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସେ କଥାବାର୍ତ୍ତା କରିବାକୁ ଆଗ୍ରହୀ ନୁହନ୍ତି। ଇଣ୍ଡୋନେସିଆର ଜି-୨୦ ସମ୍ମିଳନୀରେ ତାଙ୍କର ଯୋଗଦାନ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେଣୁ ଏହି ବୈଠକ ଅବସରରେ ବାଇଡେନଙ୍କ ସହ ତାଙ୍କର ସାକ୍ଷାତ ସମ୍ଭାବନା ନାହିଁ। ପୁଟିନ କହିଛନ୍ତି ଯେ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରୁ ନାହିଁ। ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ ସମର୍ଥନ କରୁଥିବାବେଳେ ୟୁକ୍ରେନ ଆଗ୍ରହ ଦେଖାଉ ନାହିଁ। ଭାରତ ଓ ଚୀନକୁ ପୁଟିନ ନିଜର ସହଯୋଗୀ ବୋଲି ଦର୍ଶାଇବା ସହ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଚାହଁୁଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ରୁଷ୍ ଓ ୟୁକ୍ରେନ ମଧ୍ୟରେ ବନ୍ଦୀ ପ୍ରତ୍ୟପର୍ଣରେ ମଧ୍ୟସ୍ଥତା କରିଥିବା ତୁର୍କୀ ରାଷ୍ଟ୍ରପତି ତାୟିପି ଏର୍ଦୋଗାନଙ୍କୁ ପୁଟିନ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ପ୍ରତିଜ୍ଞା କରିଛନ୍ତି ଯେ ରୁଷ୍ ବିରୋଧୀ ଯୁଦ୍ଧରେ ତାଙ୍କ ଦେଶ ବିଜୟୀ ହେବ ଓ ରୁଷ୍ କବଳରୁ ୟୁକ୍ରେନର ଅଞ୍ଚଳକୁ ମୁକ୍ତ କରାଯିବ। ଶୁକ୍ରବାର ୟୁକ୍ରେନ ‘ଡିଫେଣ୍ଡର୍ସ ଡେ’ ବା ସରକାରୀ ଛୁଟି ଦିନ ପାଳନ ଅବସରରେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ ଏହି ପ୍ରତିଜ୍ଞା କରିଛନ୍ତି। ଏହି ଅବସରରେ ସେ ୟୁକ୍ରେନର ସୈନ୍ୟଙ୍କୁ ପ୍ରଶଂସା କରିଛନ୍ତି। ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ୟୁକ୍ରେନ ସୈନ୍ୟଙ୍କ ଲଢେଇ କରିଛନ୍ତି ତାହା ଅନନ୍ୟ ବୋଲି ସେ କହିଛନ୍ତି। ୟୁକ୍ରେନରୁ ଯାହା ସବୁ ରୁଷ୍ ନେଇଛି ତାକୁ ଫେରାଇ ଅଣାଯିବ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories