ବବିଙ୍କ ହାତରେ ଓସିଏ ଚାବି

ସଞ୍ଜୟ ରହିବେ ସମ୍ପାଦକ; ପଙ୍କଜ ଉପସଭାପତି ପଦକୁ ଖସିବେ

କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ୧୧ଶ ସଭାପତି ହେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ବର୍ତ୍ତମାନ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପଭାପତି ହେବାକୁ ରାଜିହେବା ସହ ସଭାପତି ପଦ ଶାସକ ଦଳ ବିଜେଡିର ପ୍ରଭାବଶାଳୀ ନେତା ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ (ବବି)ଙ୍କ ପାଇଁ ଛାଡ଼ିଦେବାକୁ ରାଜି ହୋଇଛନ୍ତି। ଅବଶ୍ୟ ପଙ୍କଜ ପୂର୍ବରୁ କହିଥିଲେ ଯେ ଯଦି ପ୍ରଣବ ପ୍ରକାଶ ଓସିଏ ସଭାପତି ହେବାକୁ ଆଗ୍ରହ ପ୍ରକାଶ କରନ୍ତି; ତେବେ ସେ ନିର୍ବାଚନ ଲଢ଼ିବେ ନାହିଁ। ସଞ୍ଜୟ ବେହେରା କ୍ରମାଗତ ୨ୟ ଥର ପାଇଁ ଓସିଏର ସମ୍ପାଦକ ରହିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଅପରାହ୍ଣରେ ପୁରୀର ଏକ ହୋଟେଲ୍‌ରେ ଓସିଏ ସଦସ୍ୟମାନଙ୍କୁ ନେଇ ବୈଠକ ପ‌ରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓସିଏର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ମିଶାଇ ୫୦ରୁ ଅଧକ ଯୋଗ ଦେଇଥିଲେ।
ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ଆଗାମୀ ନିର୍ବାଚନରେ ସମସ୍ତ ପଦ ଦଖଲ କରିବ ବୋଲି ନିଶ୍ଚିତ ହୋଇ ଯାଇଥିଲା। ତେବେ କାହାକୁ କେଉଁ ପଦ ଦିଆଯିବ; ତାହାକୁ ନେଇ ଅନିଶ୍ଚିତତା ରହିଥିଲା। ଓସିଏ ନିର୍ବାଚନ ପାଇଁ ଯାଜପୁର ଜିଲାରୁ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନାମ ଆସିବା ପରେ ସେ ସଭାପତି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରଣବଙ୍କୁ ସଭାପତି ପଦରେ ବସାଇଲେ ଶାସକ ଦଳର ସମର୍ଥନ ଓସିଏ ପ୍ରତି ରହିବା ନିଶ୍ଚିତ। ଲୋଧା କମିଶନ୍‌ଙ୍କ ପ୍ରାଥମିକ ସୁପାରିସ ଅନୁସାରେ, ବିଧାୟକ ବିସିସିଆଇ କିମ୍ବା କୌଣସି ରାଜ୍ୟ କ୍ରିକେଟ୍‌ ସଂଘର କର୍ମକର୍ତ୍ତା ରହିପାରିବେ ନାହିଁ। ହେଲେ ଏଥିରେ ସଂଶୋଧନ କରାଯାଇ କେବଳ କେନ୍ଦ୍ର କିମ୍ବା ରାଜ୍ୟ​‌େ​‌ର ମନ୍ତ୍ରୀ ଥିବା ବ୍ୟକ୍ତି ଏବଂ ଆଇଏସ୍‌ ଅଧିକାରୀଙ୍କ ପରି ସରକାରୀ କର୍ମଚାରୀ ବିସିସିଆଇ କିମ୍ବା ରାଜ୍ୟ କ୍ରିକେଟ୍‌ ସଂଘର କର୍ମକର୍ତ୍ତା ରହିପାରିବେ ନାହିଁ ବୋଲି ଘୋଷଣା କରାଯାଇଛି। ଫଳରେ ବିଧାୟକ ପ୍ରଣବ ପ୍ରକାଶ ଓସିଏ ସଭାପତି ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ସପ୍ତାହକ ତଳେ ୨ୟ ଥର ସଭାପତି ପଦ ପାଇବା ନିଶ୍ଚିତ ମନେ ହେଉଥିବା ପଙ୍କଜ ଲୋଚନ ମହାନ୍ତିଙ୍କୁ ସଭାପତି ପଦ ଛାଡ଼ିବା ପାଇଁ ରାଜି କରାଇବା ଆଶୀର୍ବାଦ ଗୋଷ୍ଠୀଙ୍କ ପାଇଁ ବଡ଼ ଆହ୍ବାନ ଥିଲା। ଏହି ପରିପ୍ରେକ୍ଷୀରେ ପୁରୀରେ ବୈଠକ ଆୟୋଜନ ହୋଇଥିଲା। ଓସିଏର ଉପସଭାପତି ଥିବା ଅକ୍ଷୟ ସାମନ୍ତ ଅନୁଗୋଳ ପୌର ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବାରୁ ଉକ୍ତ ପଦ ଖାଲି ପଡ଼ିଥିଲା। ଆଗାମୀ ୩ ବର୍ଷ ଲାଗି ପଙ୍କଜ ଉପସଭାପତି ପଦରେ ବସିବାକୁ ରାଜି ହୋଇଥିଲେ। ଶୁକ୍ରବାର ପୁରୀ ବୈଠକରେ ୩ଟି ପଦ ପାଇଁ ଆଶୀର୍ବାଦ ଗୋଷ୍ଠୀରୁ କିଏ ପ୍ରାର୍ଥୀ ହେବେ; ତାହା ସ୍ଥିର କରା ଯାଇଥିବା ​ବେଳେ ବାକି ୩ଟି ପଦ ପାଇଁ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହି ୩ଟି ପଦ ହେଉଛି ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ସଦସ୍ୟ। ଏହି ୩ଟି ପଦ ପାଇଁ ପ୍ରାର୍ଥୀ ମନୋନୟନ କରିବାର ଦାୟିତ୍ବ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଦିଆଯାଇଛି। ତେବେ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ପୁଣି କୋଷାଧ୍ୟକ୍ଷ ପଦ ମିଳିପାରେ। ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ହେବ। ୨୧ରେ ନାମାଙ୍କନ ଦାଖଲ କରାଯିବ। ୨୨ରେ ନାମାଙ୍କନ ଉପରେ ଆପତ୍ତି ଓ ଏହା ଉପରେ ଶୁଣାଣି କରାଯିବ। ୨୩ରେ ନାମାଙ୍କନ ପ୍ରତ୍ୟାହାର କରିହେବ। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ପ୍ରଣବ ପ୍ରକାଶ ଦାସ ଓସିଏ ନିର୍ବାଚନରେ ସଭାପତି ପ୍ରାର୍ଥୀ ହେବା ପରେ ସେ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ବିପକ୍ଷ ଗୋଷ୍ଠୀରୁ କେହି ପ୍ରାର୍ଥୀ ହୋଇନପାରନ୍ତି ବୋଲି ଜାଣିବାକୁ ମିଳିଛି। ତଥାପି ସନସାଇନ୍‌ କ୍ଲବ୍‌ର ପ୍ରତିନିଧିତ୍ବ କରୁଥିବା ନବରଞ୍ଜନ ପଟ୍ଟନାୟକ ଯେକୌଣସି ପଦରେ ଲଢ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯିବ ନାହିଁ। କେଉଁ ପଦ ପାଇଁ ନବରଞ୍ଜନ ଲଢ଼ିବେ କିମ୍ବା ଆଦୌ ଲଢ଼ିବେ ନାହିଁ; ତାହା ସେ ସ୍ଥିର କରିନାହାନ୍ତି ବୋଲି କହିଛନ୍ତି। ୩ ବର୍ଷ ତଳେ ହୋଇଥିବା ନିର୍ବାଚନରେ ଆଶୀର୍ବାଦ ବିପକ୍ଷ ଗୋଷ୍ଠୀର ନେତୃତ୍ବ ନେଇଥିବା ପ୍ରଦୀପ ଚୌହାନ ଏଥର ଚୁପ୍‌ ରହିଥିବାରୁ ଏବଂ ନିର୍ବାଚନ ଲଢ଼ିବା ନେଇ କୌଣସି ସୂଚନା ଦେଇନଥିବାରୁ ବିରୋଧୀ ଶିବିରରୁ କେହି ପ୍ରାର୍ଥୀ ହେବାର ସମ୍ଭାବନା କ୍ଷୀଣ। ସେ ଯାହାହେଉ; ଆସନ୍ତା ୩ ବର୍ଷ ଲାଗି ଆଶୀର୍ବାଦଙ୍କ ଗୋଷ୍ଠୀ ଦଖଲରେ ଓସିଏ ପ୍ରଶାସନ ରହିବା ନିଶ୍ଚିତ ହୋଇଯାଇଛି। ଏଣେ ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ଓସିଏର ସର୍ବୋଚ୍ଚ ପଦରେ ବସିବା ପରେ ପଙ୍କଜ ଲୋଚନଙ୍କ ପରି କେବଳ ସେ ସଭାସମିତିରେ ଯୋଗଦେବେ ନା ଓସିଏ ପ୍ରଶାସନର ଡୋରି ନିଜ ହାତକୁ ନେବେ; ତାହାକୁ ନେଇ ଆଲୋଚନା ଚାଲିଛି। ପ୍ରଣବ ପ୍ରକାଶ ଶାସକ ଦଳର ଅତ୍ୟନ୍ତ ପ୍ରଭାବଶାଳୀ ନେତା। ଓସିଏ ପୂର୍ବରୁ ସର୍ବଦା ସରକାରଙ୍କ ନିୟନ୍ତ୍ରଣରୁ ବାହାରେ ଥିବା ବେଳେ ଆଗକୁ ଏଥିରେ ପରିବର୍ତ୍ତନ ହେବନାହିଁ ବୋଲି କିଏ କହିବ ?

ଅଷ୍ଟମ ରାଜନେତା

prayash

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ରେ ଅଦ୍ୟାବଧି ୧୦ ଜଣ ସଭାପତି ରହିଥିବା ବେଳେ ମାତ୍ର ୩ ଜଣ ହେଉଛନ୍ତି ଅଣରାଜନୈତିକ ବ୍ୟକ୍ତି। ସେମାନେ ହେଲେ ଜର୍ଜ ପଟ୍ଟନାୟକ, ପ୍ରଭାତ କୁମାର ମିଶ୍ର ଓ ପଙ୍କଜ ଲୋଚନ ମହାନ୍ତି। ଅନ୍ୟ ୭ ଜଣ ରାଜନୈତିକ ବ୍ୟକ୍ତି ଓସିଏର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ, ପୂର୍ବତନ ସାଂସଦ ଭୈରବ ଚନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ବର୍ତ୍ତମାନ ମନ୍ତ୍ରୀ ଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ ଓ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ। ଏବେ ୮ମ ରାଜନୈତିକ ନେତା ଭାବେ ପ୍ରଣବ ପ୍ରକାଶ ଦାସ(ବବି) ଓସିଏର ସଭାପତି ହେବାକୁ ଯାଉଛନ୍ତି।

ପୁରୀରେ ରୁଦ୍ଧଦ୍ବାର ବୈଠକ

ପୁରୀ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ପ୍ରାର୍ଥୀ ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ଶୁକ୍ରବାର ପୁରୀର ଏକ ହୋଟେଲରେ ଅନୁଷ୍ଠିତ ଓସିଏର ଅଣଆନୁଷ୍ଠାନିକ ବୈଠକରେ ଏଥିନେଇ ସହମତି ପ୍ରକାଶ ପାଇଛି। ଚଳିତ ମାସ ୨୮ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପ୍ରାର୍ଥୀ ହେବାକୁ ପ୍ରଣବ ସମ୍ମତି ଜଣାଇଛନ୍ତି। ବୈଠକରେ ୪୯ଜଣ ସଭ୍ୟ ଉପସ୍ଥିତ ଥିଲେ। ପଙ୍କଜ ଲୋଚନ ମହାନ୍ତି ସେଥିରେ ଅଧ୍ୟକ୍ଷତା କରିଥିଲେ। ତାଙ୍କୁ ଉପସଭାପତି ପ୍ରାର୍ଥୀ କରାଯିବାକୁ ମତ ପ୍ରକାଶ ପାଇଛି। ସଞ୍ଜୟ କୁମାର ବେହେରାଙ୍କୁ ସମ୍ପାଦକ ପ୍ରାର୍ଥୀ କରାଯିବ। ଏହାଛଡ଼ା ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଜାତୀୟ ପରିଷଦ ସଭ୍ୟ ପ୍ରାର୍ଥୀ କାହାକୁ କରାଯିବ ସେଥିନେଇ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୋଷ୍ଠୀ ନିଷ୍ପତ୍ତି ନେବେ। ଏଥିପାଇଁ ବୈଠକରେ ତାଙ୍କୁ କ୍ଷମତା ଦିଆଯାଇଛି।
ଓସିଏର ୭୩ ସଭ୍ୟଙ୍କ ମଧ୍ୟରୁ ୪୯ଜଣ ପୁରୀ ବୈଠକରେ ଉପସ୍ଥିତ ଥିଲେ। ସଭାପତି ପ୍ରାର୍ଥୀ ହେବାକୁ ଥିବା ପ୍ରଣବ ପ୍ରକାଶ କିଛି ସମର୍ଥକଙ୍କ ସହ ବୈଠକରେ ଯୋଗ ଦେଇଥିଲେ। ପୁରୀ ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ସମ୍ବଲପୁର ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଦୁଲାଲ ପ୍ରଧାନ, ଭୁବନେଶ୍ବର ସମ୍ପାଦକ ଭାନୁ ପରିଜା, କୋରାପୁଟ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଅନୁପ ପାତ୍ର, ଢେଙ୍କାନାଳ ଜିଲା ସମ୍ପାଦକ ନଳିନୀ ଦାସ, କିଟ୍‌ କ୍ରୀଡ଼ା ମୁଖ୍ୟ ଗଗନେନ୍ଦୁ ଦାସ, ନୂଆପଡ଼ା ଜିଲା ସମ୍ପାଦକ ସରୋଜ କୁମାର ଦାସ, ବରଗଡ଼ ଜିଲା ସମ୍ପାଦକ ରବିନାରାୟଣ ପଣ୍ଡା ପ୍ରମୁଖ ସେଥିରେ ଯୋଗ ଦେଇଥିଲେ। ଏହାଛଡ଼ା ଅନ୍ୟ ଜିଲାର କ୍ରୀଡ଼ା ସଂସଦ ସମ୍ପାଦକଙ୍କ ସହ ମୋବାଇଲ ଫୋନ୍‌ ଯୋଗେ ମତାମତ ଲୋଡ଼ା ଯାଇଥିଲା। ବିଧାୟକ ପ୍ରଣବ ପ୍ରକାଶଙ୍କୁ ପ୍ରାର୍ଥୀ କରିବା ପାଇଁ ଜଣେ ସଭ୍ୟ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନେ କରତାଳି ଦେଇ ତାହାକୁ ସମର୍ଥନ କରିଥିବା ଜଣାପଡ଼ିଛି।

kalyan agarbati

Comments are closed.