ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

ବୌଦ୍ଧ: ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଯୋଗଦେଇ ବୁଣାକାର ହାଟକୁ କିପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସାଗରପାଲି, ବୀରମହାରାଜପୁର, ଗବଜୋର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ପୂର୍ବ ଓଡ଼଼ିଶାର ଗୋପାଳପୁର, କଟକ, ନୂଆପାଟଣା, ଛତିଶଗଡର ବିଲେଇଗଡର ଲୁଗା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହେବେ ।

prayash

ସାଗରପାଲି ଦାୟିତ୍ୱରେ କେଶବ ମେହେର, ବୀରମହାରାଜପୁର ଦାୟିତ୍ୱରେ ଛବିଳ ମେହେର, ଗବଜୋର ଓ ମନମୁଣ୍ଡା ଦାୟିତ୍ୱରେ ପ୍ରକାଶ ମେହେର, ବୁଟୁପାଲି ଦାୟିତ୍ୱରେ ଲିଙ୍ଗରାଜ ମେହେର, ବାଉଁଶୁଣୀ ଦାୟିତ୍ୱରେ ଝସକେତନ ମେହେର, ବନପାଲି ଦାୟିତ୍ୱରେ ନିରଞ୍ଜନ ମେହେର ପ୍ରମୁଖ ରହି ଏହି ବୁଣାକାର ହାଟକୁ ସଫଳ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ଦୁଇମାସ ପାଇଁ ବୁଣାକାରମାନଙ୍କୁ ପିଣ୍ଢି, ଖାଇବା ବ୍ୟବସ୍ଥା ଓ ସାମଗୀ ପାଇଁ ଗୋଦାମ ଗୃହ ମାଗଣାରେ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ହାଟ ସପ୍ତାହକୁ ଥରେ ବସିବ  । ଏଥିପାଇଁ ପ୍ରଶାସନ ତରଫରୁ ଶୌଚାଳୟ, ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ବୁଣାକାରମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଯୋଗାଯୋଗ, ପ୍ରଚାରପତ୍ର, ସାମାଜିକ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇ ବୁଣାକାର ହାଟରେ ଯେପରି ଅଧିକ ସଂଖ୍ୟାରେ ବୁଣାକାର ଓ ଗ୍ରାହାକ ସାମିଲ ହୋଇପାରିବେ ବ୍ୟବସ୍ଥା କରାଯିବ । ପଡୋଶୀ ଜିଲା ବରଗଡ, ସୁବର୍ଣ୍ଣପୁର ଜିଲାର ବୁଣାକାରମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ତଥା ଉପସ୍ଥିତ ସଦସ୍ୟମାନେ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ । ଜିଲାପାଳଙ୍କ ଉଦ୍ୟମକ୍ରମେ ଏହି ବୁଣାକାର ହାଟ ଅତିଶୀଘ୍ର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସମ୍ବଲପୁରର ସାମ୍ବାଦିକ ରାଜାରାମ ପାଢୀ ଜିଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ତହସିଲଦାର ଦେବି ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.