www.samajalive.in
Sunday, December 7, 2025
26.1 C
Bhubaneswar

ଷ୍ଟେସନରୁ ଆଣି ସେବା କଲେ ସ୍ୱେଚ୍ଛାସେବୀ

କଟକ :ପେଟରୁ କାଟି ପୁଅଝିଅଙ୍କୁ ପାଠ ପଢେଇଲେ। ୨ପୁଅ ଓ ୨ଝିଅଙ୍କୁ ବିବାହ ଦେଲେ। ଆଶା କରିଥିଲେ ବାର୍ଦ୍ଧକ୍ୟବେଳେ ପୁଅଝିଅ ସହାୟ ହେବେ। ବାର୍ଦ୍ଧକ୍ୟରେ ସେବା ଶୁଶ୍ରୂଷା କରିବା ଦୂରେ ଥାଉ, ଡାକ୍ତରଖାନାକୁ ବି ସେମାନେ ନେଲେନି। ଡାକ୍ତରଙ୍କୁ ଦେଖାଇବା ପାଇଁ ବାପାମା’ଙ୍କୁ ଧରି ଦୁଇପୁଅ ଷ୍ଟେସନ ପର୍ଯ୍ୟନ୍ତ ଆସିଲେ। ବାପାମା’ଙ୍କୁ ଟ୍ରେନରେ ବସାଇ ଦେଇ ପଳାଇଥିଲେ। କଟକ ଷ୍ଟେସନରେ ସେମାନେ ଓହ୍ଲାଇବା ପରେ ଡାକ୍ତରଖାନାକୁ ଆସିପାରିଲେନି। ଦୁଇଦିନ ଅସହାୟଭାବେ ବୃଦ୍ଧ ଦମ୍ପତି ଷ୍ଟେସନରେ ପଡିରହିଲେ। ଏହି ସମୟରେ କେତେକ ସ୍ୱେଚ୍ଛାସେବୀଙ୍କ ଦୃଷ୍ଟିରେ ପଡିଥିଲେ ଏହି ବୃଦ୍ଧ ଦମ୍ପତି। ସହାୟତାର ହାତ ବଢାଇ ସେମାନଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି କଲେ। ଡାକ୍ତରଙ୍କ ସହଯୋଗକ୍ରମେ ବୃଦ୍ଧାଙ୍କ ଚିକିତ୍ସା ହେଲା। ଚିକିତ୍ସିତ ହେବା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ସେମାନେ କେଉଁଠି ଆଶ୍ରୟ ନେବେ? ଖୋଜୁଛନ୍ତି ସେମାନଙ୍କ ନୂଆ ଠିକଣା।
ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଅଞ୍ଚଳର ମୁନି କାଲଣ୍ଡି ଓ ବାହାଦୁର କାଲଣ୍ଡି। ମୁନିଙ୍କ ବୟସ ୭୦। ମୁନିଙ୍କ ଡାହାଣ ହାତ କାନ୍ଧରେ ଏକ ବଥ ହୋଇଥିଲା। ବଥ ଭଲ ନ ହେବାରୁ ଦୁଇପୁଅ ମା’ଙ୍କୁ ନେଇ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇଥିଲେ। ସେମାନେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦେଖାଇବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ୨୦୧୮ ମେ ୨୫ତାରିଖରେ ଦୁଇପୁଅ ମୁନିଙ୍କୁ ଧରି କର୍କଟକେନ୍ଦ୍ରକୁ ଆସିଥିଲେ। ମୁନିଙ୍କ ଚିକିତ୍ସା ସମୟ ସାପେକ୍ଷ। ଔଷଧ ଲେଖିଦେଇ ନିୟମିତଭାବେ ଆସିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଦୁଇପୁଅ ମା’ର ଚିକିତ୍ସା ପ୍ରତି ଗୁରୁତ୍ୱ ଦେଇନଥିଲେ। କ୍ରମଶଃ ରୋଗ ବଢିବାରୁ ବାହାଦୁର ମୁନିଙ୍କ ଚିକିତ୍ସା ନେଇ ବିଚଳିତ ହୋଇପଡିଥିଲେ। ବହୁ କାକୁତିମିନତି ପରେ ଦୁଇପୁଅ ବାପାମା’ଙ୍କୁ ଧରି ରାଜଗାଙ୍ଗପୁର ଷ୍ଟେସନକୁ ଆସିଥିଲେ। ଷ୍ଟେସନରେ ବାହାଦୂର ଓ ମୁନିଙ୍କୁ ବସାଇ ଦେଇଥିଲେ। ଦୁଇପୁଅ କିନ୍ତୁ ବାପାମା’ଙ୍କ ସହିତ ଆସିନଥିଲେ। କଟକ ଷ୍ଟେସନରେ ପହଞ୍ଚିବା ପରେ ସେମାନେ କୁଆଡକୁ ଯିବେ ବାଟ ପାଇନଥିଲେ। ପାଖରେ ବି ଟଙ୍କାଟିଏ ନଥିଲା। ଅସହାୟଭାବେ ଦୁହେଁ ଦୁଇଦିନ ଷ୍ଟେସନରେ ପଡିରହିଥିଲେ। ଏହି ସମୟରେ ନାରାୟଣ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିଥିଲେ।
ଏ ସମ୍ପର୍କରେ ସେମାନେ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କୁ ଖବର ଦେଇଥିଲେ। ଅଭିମନ୍ୟୁ ଏହି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆଣିଥିଲେ। ଅନକୋ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡା. ସୁଦିପ ମହାନ୍ତି, କେନ୍ଦ୍ର ନିର୍ଦେଶକ ଓ ପ୍ରଶାସନିକ ଅଧିକାରୀଙ୍କୁ ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ। କେନ୍ଦ୍ର କର୍ତ୍ତୃପକ୍ଷ ଓ ଡାକ୍ତର ମହାନ୍ତିଙ୍କ ଉଦ୍ୟମକ୍ରମେ ମୁନିଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ପ୍ରାଥମିକ ପରୀକ୍ଷା ପରେ ମୁନିଙ୍କ ହାତରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ମୁନି ଏବେ ସୁସ୍ଥ ହୋଇଛନ୍ତି। ସୁସ୍ଥ ପରେ ବାହାଦୂର ପତ୍ନୀଙ୍କ ସହିତ ଗାଁକୁ ଫେରିବାକୁ ରାଜି ହେଉନାହାନ୍ତି। ଯେଉଁମାନଙ୍କୁ ପେଟରୁ କାଟି ମଣିଷ କରିଥିଲେ ସେମାନେ ଦୁଃଖରେ ସାଥୀ ହେଲେନି। ଏପରି ପୁଅଝିଅଙ୍କ ପାଖକୁ ଫେରିବା ଅପେକ୍ଷା ଜୀବନ ହାରିଦେବା ଭଲ ବୋଲି କୋହଭରା କଣ୍ଠରେ କହନ୍ତି ମୁନି। ପରର ମୂଲଲାଗି ଖାଇବୁ , କିନ୍ତୁ ଆଉ ସେମାନଙ୍କ ନିକଟକୁ ଯିବୁନାହିଁ ବୋଲି କ୍ରୋଧରେ କହନ୍ତି ବାହାଦୁର। ମୁନି ଓ ବାହାଦୁର କେଉଁଠି ରହିବେ ତାହାକୁ ନେଇ ଅଭିମନ୍ୟୁଙ୍କର ବି ଚିନ୍ତା ବଢିଯାଇଛି। ଅଭିମନ୍ୟୁ ଓ ଡାକ୍ତରଙ୍କ ଯୋଗୁଁ ପତ୍ନୀ ନୂଆ ଜୀବନ ପାଇଥିବା କହନ୍ତି ବାହାଦୁର।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories