www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟାଳୟକୁ ଯିବାକୁ ରାସ୍ତା ନାହିଁ ; ଚାରିକଡେ ଅଳିଆଗଦା

ଗୋପାଳପୁର:  ଉତ୍ତମ ପରିବେଶ ମଧ୍ୟରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବା ପାଇଁ ଅନେକ ଥର ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ ସତ୍ତ୍ଵେ, ଅନେକ ସ୍ଥାନରେ ବିଭାଗୀୟ ଉଦାସିନତା ଏବଂ ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ବିଦ୍ୟାର୍ଥୀ ମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏପରି ଏକ ଚିତ୍ର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ କାର୍ୟ୍ୟାଳୟ ପଛ ପାଖରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (ପଶ୍ଚିମ)ରେ ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷାଦାନ ଦିଆଯାଉଥିବା ବେଳେ ମୋଟ ୮୫ ଜଣ ବିଦ୍ୟାର୍ଥୀ ପାଠ ପଢ଼ୁଛନ୍ତି।
କିନ୍ତୁ ସରକାରୀ ନିୟମ ଅନୁସାରେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ଚଳିତ ବର୍ଷ ଏଠାରେ କେବଳ ୨ ଜଣ ଶିକ୍ଷୟିତ୍ରୀ ପ୍ରଥମ ରୁ ପଞ୍ଚମ ପର୍ୟ୍ୟନ୍ତ ବିଦ୍ୟାର୍ଥୀ ଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଗୋଟିଏ କକ୍ଷରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ବିଦ୍ୟାର୍ଥୀ ମାନେ ବହୁଥିବା ବେଳେ ଆଉ ଗୋଟିଏ କକ୍ଷରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ପାଠ ପଢ଼ୁଛନ୍ତି। ଅନ୍ୟ ପଟେ ଏଠାରେ ଅତିରିକ୍ତ ଶ୍ରେଣୀ ଗୃହ ଦରକାର ଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଏଥି ପ୍ରତି ଆଦୌ ଗୁରୁତ୍ୱ ଦିଆଯାଇନାହିଁ  ବୋଲି ଅଭିଯୋଗ ହୋଇଛି।

ବରଂ ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଏକ କୋଠା ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ଅର୍ଦ୍ଧନିର୍ମିତ ରହିଥିବାରୁ ବିଦ୍ୟାଳୟ ପରିସରରେ ସ୍ଥାନାଭାବ ସହ ଅର୍ଦ୍ଧନିର୍ମିତ କୋଠାଘରେ ସାପ ଓ ଅନ୍ୟାନ୍ୟ ଜନ୍ତୁଙ୍କ ଚଳପ୍ରଚଳ ରହୁଥିବାରୁ ବିଦ୍ୟାର୍ଥୀ ଙ୍କ ନିମନ୍ତେ ତାହା ବିପଦ ସଂକୁଳ ପାଲଟିଛି। ସବୁଠାରୁ ଦୁଃଖ ର ବିଷୟ ବିଦ୍ୟାଳୟ କୁ ଯାଆଆସ ନିମନ୍ତେ ଉପଯୁକ୍ତ ରାସ୍ତାଟିଏ ନଥିବା ବେଳେ ବିଦ୍ୟାର୍ଥୀ ଓ ଶିକ୍ଷକ ମାନେ ପ୍ରବେଶ ପଥରେ ଦୋକାନ କରିଥିବା ଦୋକାନ ଦେଇ ଯାଆସ କରୁଥିବା ଦେଖିବାକୁ ମିଳିଛି ‌। ଅନ୍ୟ ପଟେ ବିଦ୍ୟାଳୟ ସମ୍ମୁଖ ଅଞ୍ଚଳଟି ଏକ ହାଟ ଅଞ୍ଚଳ ହେବା ମାଛ ବଜାର ମଧ୍ୟ ଗଢି ଉଠିଛି।
ପ୍ରତିଦିନ ଏହି ହାଟ ଅଞ୍ଚଳରୁ ବାହାରୁଥିବା ଅଳିଆ ସମୁହକୁ ବ୍ୟବସାୟ ମାନେ ବିଦ୍ୟାଳୟ ସମ୍ମୁଖରେ ଗଦା କରୁଥିବା ଯୋଗୁଁ ବିଦ୍ୟାଳୟ ପରିବେଶଟି ଦୁର୍ଗନ୍ଧମୟ ହୋଇଯାଇଛି। ବର୍ଷା ହେଲେ ଯାତାୟାତରେ ଅସୁବିଧା ହେବା ସହ ଅଳିଆ ଗଦାରୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ନାକରେ କପଡା ବାନ୍ଧି ପାଠ ପଢ଼ିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ଅନ୍ୟ ପଟେ ବିଦ୍ୟାଳୟ ଚାରିକଡେ ପାଚେରୀ ନିର୍ମାଣ ନିମନ୍ତେ ଦୁଇ ଦଫାରେ ପ୍ରାୟ ୪ ଲକ୍ଷ ର ଅନୁଦାନ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ପାଣ୍ଠି ରୁ ବ୍ୟୟବରାଦ କରାଯାଇଥିଲା। କିନ୍ତୁ ପାଚେରୀ କାମ ସରିଥିଲେ ସୁଦ୍ଧା ଆଜି ଯାଏଁ ପାଚେରୀ ରେ ରଙ୍ଗ ଦିଆଯାଇନଥିବା ଦେଖିବାକୁ ମିଳିଛି। ଏହା ସହ ବିଦ୍ୟାଳୟ ପାରିପାର୍ଶ୍ବିକ ଉନ୍ନତି କରଣ ନିମନ୍ତେ ୫ ମ ଅର୍ଥ କମିଶନ ପାଣ୍ଠି ରୁ ଗତ ୨୦-୨୧ ଆର୍ଥିକ ବର୍ଷରେ ଦେଢ ଲକ୍ଷ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ଏହି ଅର୍ଥ ର ବିନିଯୋଗ ହୋଇଛି ନା ମିଥ୍ୟା ବିଲ କରି ତାହା ଲୁଟ କରାଯାଇଛି, ତାହା ଜଣା ପଡୁନାହିଁ। ଏଣୁ ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ଲାଗି ରହିଥିବା ଅଭାବ ଅସୁବିଧା ନେଇ ଧ୍ୟାନ ଦେବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories