BJD Bijuli 480×75 Mob

କ୍ରାନ୍ତଦର୍ଶୀ ଗଙ୍ଗାଧର

ମଣୀନ୍ଦ୍ର କୁମାର ମେହେର

BJD Bijuli 480×75 Mob

କେତେକ ସ୍ଥଳରେ କବି ଗଙ୍ଗାଧର ମେହେରଙ୍କୁ ‘କ୍ରାନ୍ତଦର୍ଶୀ’ ବୋଲି ଉଲ୍ଲେଖ କରାଯାଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ। ମେହେର ସାହିତ୍ୟର ବିଶିଷ୍ଟ ସମାଲୋଚକ ଡ. କେଶବଚନ୍ଦ୍ର ମେହେର ଓ ‘ଅମୃତ ମନ୍ଥନ’ ନାଟିକାର ଲେଖକ କବିପୌତ୍ର ନବୀନ ଚନ୍ଦ୍ର ମେହେର ଏହି ଶବ୍ଦଟି ଗଙ୍ଗାଧରଙ୍କ କ୍ଷେତ୍ରରେ କିପରି ଅର୍ଥପୂର୍ଣ୍ଣ ଭାବରେ ପ୍ରୟୋଗ କରିଛନ୍ତି, ତାହା ସ୍ବତଃ ମାନସପଟରେ ଉଦ୍ଭାସିତ ହୋଇଉଠୁଛି। ‘କ୍ରାନ୍ତଦର୍ଶୀ’ର ଅର୍ଥ-ଅନ୍ବେଷଣ କରିବାକୁ ଗଲେ ଉପଲବ୍ଧି କରିହୁଏ ଯେ, ଅତିକ୍ରାନ୍ତ ମହାକାଳର ଆଗକୁ ଦେଖିପାରିବାର ତୀକ୍ଷ୍ଣ ଦୃଷ୍ଟିଶକ୍ତି ଯାହାଙ୍କର ଅଛି, ସେ ହେଉଛନ୍ତି ବାସ୍ତବିକ କ୍ରାନ୍ତଦର୍ଶୀ। ଏ ଦୃଷ୍ଟିରୁ ଦୂରଦ୍ରଷ୍ଟା ବା ଭବିଷ୍ୟତଦ୍ରଷ୍ଟା କବି ଗଙ୍ଗାଧରଙ୍କ ବିଶେଷତ୍ବକୁ ବିଶ୍ଳେଷଣ କରାଯାଇପାରେ।

ଅନେକଙ୍କ ମନରେ ଏପରି ଏକ ପ୍ରଶ୍ନ ଉତ୍‌ଥାପିତ ହେବା ସ୍ବାଭାବିକ ଯେ- ଗଙ୍ଗାଧରଙ୍କୁ କାହିଁକି ‘କ୍ରାନ୍ତଦର୍ଶୀ’ ବୋଲି କୁହାଯାଇପାରିବ? ଭବିଷ୍ୟତ କାଳର ରୂପରେଖ କ’ଣ ହୋଇପାରେ, ତାହା ଗଙ୍ଗାଧର ସଚେତନ ହୋଇ ଯେ ଲେଖିଛନ୍ତି, ତାହା ଆଦୌ ସତ୍ୟ ହୋଇନପାରେ। କାରଣ କବି-ସତ୍ତାକୁ ଏକ ଅଦୃଶ୍ୟ ଦିବ୍ୟଶକ୍ତି ନିୟନ୍ତ୍ରଣ କରୁଥାଏ ପ୍ରତିଟି ମୁହୂର୍ତ୍ତରେ। ଯାହା କବିଙ୍କ ନିଜସ୍ବ ଚିନ୍ତନର ବହିର୍ଭୂତ ବ୍ୟାପାର, ସେହି ଅନ୍ତର୍ଗତ ସତ୍ୟର ଉଦ୍ଭାସନ ଘଟେ ତାଙ୍କ ଅଜାଣତରେ ମଧ୍ୟ। ବିଷୟବସ୍ତୁ ହୋଇପାରେ ପୁରାଣଠାରୁ ଗୃହୀତ। ମାତ୍ର ଚରିତ୍ରଗୁଡ଼ିକୁ କବି ଯେତେବେଳେ ରୂପାୟିତ କରୁଥାଆନ୍ତି, ସେ ସମୟରେ ଭବିଷ୍ୟତର ବାସ୍ତବତା ପ୍ରତିଫଳିତ ହୋଇଯାଏ ସ୍ଥାନେସ୍ଥାନେ। ତପସ୍ବିନୀ କାବ୍ୟର ତୃତୀୟ ସ୍ବର୍ଗରେ କବି କହିଛନ୍ତି- ‘ମିଥ୍ୟାକଥା ଯେବେ ପ୍ରଜାଏ କହିବେ ମେଳ ହୋଇ ଶତଶତ/ ମିଥ୍ୟା ଜାଣିଜାଣି ତାକୁ ମାନିମାନି ବୋଲାଯାଏ ସତସତ।’ ଆଜି ଭାରତୀୟ ଗଣତନ୍ତ୍ର ଯେପରି ମୂଲ୍ୟବୋଧବିହୀନ ଅବସ୍ଥାରେ ଉପନୀତ, ତାହାର ବାସ୍ତବତା ବ୍ୟଞ୍ଜିତ ହୋଇଉଠିଛି ଉକ୍ତ ପଦପଙ୍‌କ୍ତିରେ। ଏପରି ଅନେକ ଦୃଷ୍ଟାନ୍ତ ପ୍ରଦାନ କରାଯାଇପାରିବ ଯେଉଁଠି ଗଙ୍ଗାଧର ସୂଚନା ଦେଇଛନ୍ତି ଭବିଷ୍ୟତର ବିଶୃଙ୍ଖଳିତ ଅବସ୍ଥା ସମ୍ପର୍କରେ। ‘ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର’ ନାମକ କବିତାରେ ଯେଉଁ ଧର୍ମାବତାରମାନଙ୍କ ଛଦ୍ମତା ସେ ଚ୍ଛିନ୍ନ କରିଦେଇଛନ୍ତି, ସେଥିରୁ ସେମାନଙ୍କ ପ୍ରକୃତ-ସ୍ବରୂପ ଉନ୍ମୋଚିତ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଯେ, ଏପରି ଦୁର୍ନୀତିଗ୍ରସ୍ତ ଧର୍ମାବତାରଙ୍କ ସଂଖ୍ୟା ଆଜିର ସମାଜରେ ଅଧିକ ବୃଦ୍ଧିପ୍ରାପ୍ତ। ଏହିସବୁ କାବ୍ୟାଂଶ ବା କବିତା ପଙ୍‌କ୍ତି ଉଦ୍ଧାର କରି ଗଙ୍ଗାଧରଙ୍କୁ ‘ଦୂରଦ୍ରଷ୍ଟା’ର ସମ୍ମାନ ଦିଆଯାଇପାରିବ ନିଶ୍ଚୟ। କେବଳ ଗଙ୍ଗାଧର କାହିଁକି, ସନ୍ଥକବି ଭୀମଭୋଇ ତାଙ୍କ ରଚିତ ‘ସ୍ମୃତି ଚିନ୍ତାମଣି’ ଗ୍ରନ୍ଥରେ ଭବିଷ୍ୟତର ବୀଭତ୍ସତାକୁ ବର୍ଣ୍ଣନା କରିଛନ୍ତି ପୁଙ୍ଖାନୁପୁଙ୍ଖ ଭାବରେ। ସେହିପରି ଅଚ୍ୟୁତାନନ୍ଦ ଦାସଙ୍କ ‘ମାଳିକା’ ଅବଲମ୍ବନରେ ଭବିଷ୍ୟତ ସମାଜ ଓ ପୃଥିବୀ କି କି ଦୁର୍ଘଟଣାର ସମ୍ମୁଖୀନ ହେବ ତାହାର ବ୍ୟାଖ୍ୟା ଆମକୁ ଭୟଭୀତ କରାଇଦିଏ। ଏ କଥା ନିରାଟ ସତ୍ୟ ଯେ, ପ୍ରକୃତିକୁ ଅବିଚାରିତ ଭାବରେ ମଣିଷ ଯେପରି ଧ୍ବସ୍ତବିଧ୍ବସ୍ତ କରିଚାଲିଛି ଓ ମିଥ୍ୟା, ଛଳନା, ପ୍ରବଞ୍ଚନା ଆଉ ହିଂସାଚରଣ ଦ୍ବାରା ସମାଜକୁ ଯେପରି କ୍ଷତାକ୍ତ ଓ ଧରିତ୍ରୀ ମାତାଙ୍କୁ ଯେପରି ଯନ୍ତ୍ରଣା ଜର୍ଜରିତ କରିଚାଲିଛି, ତାହାର କୁପରିଣାମ ଭୋଗ କରିବାର ଆଶଙ୍କାକୁ ଅସ୍ବୀକାର କରାଯାଇନପାରେ।

ଯେଉଁମାନେ ପ୍ରକୃତ କ୍ରାନ୍ତଦର୍ଶୀ, ସେମାନଙ୍କ ଏପରି ଭବିଷ୍ୟବାଣୀ କ’ଣ ଶେଷକଥା? କିମ୍ବା ଏହା ହିଁ କେବଳ ତାଙ୍କ ସୂକ୍ଷ୍ମ ଦର୍ଶନର ପରାକାଷ୍ଠା? ଭବିଷ୍ୟତର ଦୁର୍ଦିନ ସମ୍ପର୍କରେ ଆଭାସ ଦେବା କିମ୍ବା ବର୍ଣ୍ଣନା କରିବା ତାଙ୍କ ସାହିତ୍ୟ- ସୃଜନର କ’ଣ ପ୍ରକୃତ ଅଭିପ୍ରାୟ?

ବାସ୍ତବ କଥା ହେଉଛି ଏପରି ଉପସ୍ଥାପନ ଦ୍ବାରା ଦୁର୍ଦିନକୁ ଆମନ୍ତ୍ରଣ କରିବା ନୁହେଁ; ନିୟନ୍ତ୍ରଣ କରିବା ଓ ତାହାକୁ ଅତିକ୍ରମ କରିବାର ସୂକ୍ଷ୍ମ ଇଙ୍ଗିତ ସେମାନେ ପ୍ରଦାନ କରିଥା’ନ୍ତି। ସ୍ବଭାବକବି ଗଙ୍ଗାଧର ମେହେର ମଧ୍ୟ ମନୁଷ୍ୟ ହୃଦୟର ଯେଉଁସବୁ ଅନ୍ଧକାରାବୃତ କ୍ଷେତ୍ର ଉପରେ ଦୃଷ୍ଟି ନିକ୍ଷେପ କରିବାପାଇଁ ପାଠକଙ୍କୁ ଦେଇଛନ୍ତି ପ୍ରେରଣା, ତାହାର ମୂଳ ଆଭିମୁଖ୍ୟ ହେଉଛି ସେହିସବୁ ସଂକୀର୍ଣ୍ଣତାଠାରୁ ମଣିଷ ନିଜକୁ କିପରି ମୁକ୍ତ କରିବ, ସେଥିସକାଶେ ପ୍ରକୃତ ଉଦ୍ଦୀପନା ସୃଷ୍ଟିକରିବା। ଗଙ୍ଗାଧରଙ୍କ ଚିତ୍ରିତ ଚରିତ୍ର ସବୁରେ ଯେଉଁ ଦୁର୍ଲଭ ଦିବ୍ୟଗୁଣ ପ୍ରକଟିତ, ଭବିଷ୍ୟତର ମଣିଷ ଜୀବନ ସେହିପରି ଆଲୋକସ୍ନାତ, ଅହଂକାର ବିମୁକ୍ତ ଓ ସମର୍ପଣଯୁକ୍ତ ହେଉ ଏହି ପ୍ରତ୍ୟୟ ପ୍ରତ୍ୟେକଙ୍କ ମଧ୍ୟରେ ସୃଷ୍ଟି କରିବ। ଅନେ‌େକ ଗଙ୍ଗାଧରଙ୍କ ଚିତ୍ରିତ ସୀତା ବା ଶକୁନ୍ତଳାଙ୍କୁ ଆଦର୍ଶ ହୋଇଥିଲେ ମଧ୍ୟ ବାସ୍ତବ ନୁହନ୍ତି ବୋଲି ଅଭିହିତ କରିଥାନ୍ତି। ଯଦି ସେମାନେ ବାସ୍ତବ ନୁହନ୍ତି, ତାହାକୁ ହିଁ ବାସ୍ତବତାରେ ପରିଣତ କରିବାର ଯେଉଁ ଶକ୍ତି ଓ ହୃଦୟବତ୍ତା ମଣିଷର ରହିଛି, ତାହାକୁ ଉଜ୍ଜୀବିତ କରିଦେବା ହିଁ କବିଙ୍କ ପ୍ରକୃତ ଲକ୍ଷ୍ୟ। ସେଇଥିପାଇଁ ତ ବିଶ୍ବକୁ ମଧୁମୟ ରୂପରେ ଦେଖିବାପାଇଁ ସେ ଦେଇଛନ୍ତି ଅଭ୍ରାନ୍ତ ପ୍ରଚୋଦନା। ଗଙ୍ଗାଧରଙ୍କ ‘ମଧୁମୟ’ ଶୀର୍ଷକ କବିତା ମଧ୍ୟ ସାମ୍ପ୍ରତିକ ଅବସ୍ଥାରେ କିପରି ନିଷ୍ପ୍ରଭ ହୋଇଯାଇଛି, ଆଉ ଏ ସଂସାର ବିଷ-ବାଷ୍ପ-ପୂର୍ଣ୍ଣ ହୋଇ ଅତ୍ୟନ୍ତ ପୀଡ଼ାଦାୟକ ହୋଇଉଠିଛି ତାହା ପ୍ରତିପାଦନ କରିଥାନ୍ତି। ଏଭଳି ବ୍ୟାଖ୍ୟା ବା ବିଶ୍ଳେଷଣ କବିତାର ଅସଲ ମର୍ମକୁ ଉନ୍ମୋଚିତ କରିବାପାଇଁ ସକ୍ଷମ ହୋଇପାରେ ନାହିଁ। ଯଦି ସାମ୍ପ୍ରତିକ ସାମାଜିକ ଓ ପାରିବାରିକ ପରିବେଶ ପ୍ରଦୂଷିତ ହୋଇଯାଇଛି, ତା’ହେଲେ ତାହାକୁ ମଧୁମୟ ରୂପରେ ପରିଣତ କରିବାର ଦାୟିତ୍ବ ହେଉଛି ସଚେତନ ମାନବ-ସତ୍ତାର। ତେଣୁ ସମସ୍ତ ପ୍ରକାରର ଅପୂର୍ଣ୍ଣତାକୁ ଅତିକ୍ରମ କରି ମଣିଷ ଯେଉଁ ବିନ୍ଦୁରେ ଉପନୀତ ହେବା ଦ୍ବାରା ଏ ପୃଥିବୀ ହେବ ସ୍ବର୍ଗୀୟ-ସୌନ୍ଦର୍ଯ୍ୟ-ସମ୍ପନ୍ନ, ସେହି ଦୃଶ୍ୟ ଦେଖି ପାରିଛନ୍ତି ଗଙ୍ଗାଧର। ଦିବ୍ୟ ଜୀବନର ସାଧକ, ମହାଯୋଗୀ ଓ ମହାକବି ଶ୍ରୀଅରବିନ୍ଦ ଯେପରି ଅତିମାନସ ଚେତନାଦୀପ୍ତ ମନୁଷ୍ୟର ଆଗମନ ସମ୍ପର୍କରେ ଉଦ୍‌ଘୋଷଣା କରିଛନ୍ତି ଭବିଷ୍ୟତବାଣୀ, ସେହିପରି ଏକ ସୁଦୃଢ଼ ଆସ୍ଥାଶୀଳତାର ଭିତ୍ତି ଉପରେ ଦଣ୍ଡାୟମାନ ହୋଇଛି ମେହେର ସାହିତ୍ୟ।

ଝଡ଼ଝଞ୍ଜା, ଦୁର୍ଦିନ, ପ୍ରଳୟ ଆସିବ ବୋଲି ମଣିଷକୁ ଭୟଭୀତ ଓ ଆତଙ୍କିତ କରିବା କୌଣସି କଲ୍ୟାଣକାମୀ କବିର କର୍ତ୍ତବ୍ୟ ନୁହେଁ। ଯଦିଓ ଏହି ସବୁ ଭୟଙ୍କର ପରିସ୍ଥିତିର ସୂଚନା ସେମାନେ ପ୍ରଦାନ କରିଥା’ନ୍ତି, ତାହା ତାଙ୍କର ମାନବ ଜାତି ଉଦ୍ଦେଶ୍ୟରେ ପ୍ରକୃତ ସନ୍ଦେଶ ହୋଇନପାରେ। ନୈରାଶ୍ୟ ମଧ୍ୟରେ ଆଶାବାଦର ସ୍ବର ଧ୍ବନିତ କରିବା, ଅବିଶ୍ବାସ ମଧ୍ୟରେ ବିଶ୍ବାସର ସଂଗୀତ ଗାନ କରିବା, ଅମାନବିକତାର ପ୍ରସାରଣକୁ ସଂକୁଚିତ କରି ମାନବିକତାର ଉପଲବ୍ଧିକୁ ସଂପ୍ରସାରିତ କରିବା ହେଉଛି ଗଙ୍ଗାଧରଙ୍କ କାବ୍ୟକବିତା ସୃଷ୍ଟିରେ ଅନ୍ତର୍ଗତ ଉଦ୍ଦେଶ୍ୟ। ଆମେ ଏହି ମହାକାଳର ମହାସ୍ରୋତ ଦ୍ବାରା ଭାସମାନ ଅବସ୍ଥାରେ ଯେଉଁ ଭବିଷ୍ୟତକୁ ଦେଖୁ, ତାହାର ଆହୁରି ଆଗକୁ ସତ୍‌କବିର ଦୃଷ୍ଟି ସଂପ୍ରସାରିତ ହୋଇପାରେ। ଗଙ୍ଗାଧର ଭବିଷ୍ୟତର କେଉଁ କାଳଖଣ୍ଡକୁ ତାଙ୍କ ଅନ୍ତର୍ଚକ୍ଷୁରେ ଦର୍ଶନକରି ପାରିଛନ୍ତି ଓ ଭବିଷ୍ୟତରେ ଯେଉଁ ମନୁଷ୍ୟ ସକାଶେ ସୃଷ୍ଟି କରିଯାଇଛନ୍ତି ସୌନ୍ଦର୍ଯ୍ୟର ନବନବ ସ୍ପନ୍ଦନ, ତାହା କଳ୍ପନା କରିବା ଆମ ପାଇଁ ସହଜସାଧ୍ୟ ନୁହେଁ। ଗଙ୍ଗାଧରଙ୍କ କଳ୍ପନା ଓ ସାଧନା ଯେଉଁ ସମୁଳ ଜୀବନର ସଂକେତ ଦେବାରେ ସମର୍ଥ, ତାହାକୁ ଆଖି ଆଗରେ ରଖି ତାଙ୍କ ସାହିତ୍ୟର ଅଧ୍ୟୟନ ଓ ମନନ କରିବା ଦ୍ବାରା କ୍ରାନ୍ତଦର୍ଶୀ ଗଙ୍ଗାଧରଙ୍କୁ କିଞ୍ଚିତ୍‌ ମାତ୍ରାରେ ଅନୁଭବ କରିବା ଆମ ପାଇଁ ସମ୍ଭବ ହୋଇପାରିବ।

Comments are closed.