www.samajalive.in
Sunday, December 14, 2025
15.1 C
Bhubaneswar

ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ଘର : ଧର୍ମେନ୍ଦ୍ର ପ୍ରଧାନ

ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା ସରକାରଙ୍କୁ ପରାମର୍ଶ

ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବୈଠକରେ ଆଲୋଚନା

ଆଗାମୀ ଦିନରେ ଓଡ଼ିଶାରେ ପାଖାପାଖି ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା

ଅର୍ଦ୍ଧ ନିର୍ମିତ ଘରକୁ ଶୀଘ୍ର ଶେଷ କରାଯିବ ବୋଲି ବୈଠକରେ ହେଲା ଆଲୋଚନା

ପିଏମ ଆବାସରେ ଘର ପ୍ରଦାନରେ ଓଡ଼ିଶାକୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

ଗତ ୫  ତାରିଖରେ ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଚିଠି ଦେବା ସହ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା ପରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବିଭାଗୀୟ ମନ୍ତ୍ରଣାଳୟର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭାବରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଆଲୋଚନା ହୋଇଛି। କେନ୍ଦ୍ର  ସରକାର ସବୁ ଗରିବଙ୍କ ମୁଣ୍ଡ ଉପରେ ସମ୍ମାନର ସହ ପକ୍କା ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପିଏମ୍ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେଥିମଧ୍ୟରୁ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ପିଏମ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ। ଏହା ବ୍ୟତିତ ଫଣିରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ। ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା ରହିଛି। ସେହିପରି ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ପ୍ରାଥମିକତା ଦେଉଛନ୍ତି । ପିଏମ୍ ଆବାସ୍ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିଲେ ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ ।

- Advertisement -

୨୦୧୮ରେ ଆବାସ ପ୍ଲସ ପୋର୍ଟାଲ ଖୋଲାଯାଇଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରଦାନ କରିପାରିନଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାରେ ଫଣି ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତା’ ପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ତ୍ରୁଟି ଦେଖାଯିବା ସହ ଘର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଥିଲା। ଭାରତ ସରକାର ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆଜି ଏ ସବୁ ବିଷୟକୁ ନେଇ ବୈଠକରେ ବିସ୍ତୁତ ଆଲୋଚନା କରାଯାଇଛି । ଭାରତ ସରକାର ଟଙ୍କା ପଠାଉଥିଲେ ମଧ୍ୟ ପିଏମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜସ୍ୱ ଜିଲ୍ଲାରେ କୌଣସି ଗୃହ ଆବଣ୍ଟନ କରାଯାଇନାହିଁ । ପିଏମ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ଅର୍ଦ୍ଧ ନିର୍ମାଣ ହୋଇ ପଡ଼ି ରହିଥିବା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି ।

ଅପରପକ୍ଷରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ଓଡ଼ିଶାକୁ ସୁଯୋଗ ଦେବାକୁ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ଚିଠି ପ୍ରଦାନ କରିବା ସହ ଅନୁରୋଧ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories