ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ବରଗାଁ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିଦର୍ଶନ

ସୁନ୍ଦରଗଡ଼ଠାରେ ମାଦ୍ରି କାଲୋ ଭବନ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ସୁନ୍ଦରଗଡ଼ ଜିଲାର ବରଗାଁସ୍ଥିତ ଜିଲାର ସର୍ବପୁରାତନ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ୧ ହଜାର ସିଟ୍‌ ବିଶିଷ୍ଟ ଏହି ତାଲିମ କେନ୍ଦ୍ରର ଶତପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ ଅନୁଷ୍ଠାନରେ ଏପରି କି ପ୍ରତିରକ୍ଷା ବିଭାଗରେ କର୍ମସଂସ୍ଥାନ ପାଇପାରିଥିବା ଜାଣି ଶ୍ରୀ ତ୍ରିପାଠୀ ଖୁସିବ୍ୟକ୍ତ କରିଥିଲେ। ପରେ ଶ୍ରୀ ତ୍ରିପାଠୀ ସୁନ୍ଦରଗଡ଼ ସହରରେ ଥିବା ମାଦ୍ରି କାଲୋ ଭବନର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟ ୩.୨୦ କୋଟି ଟଙ୍କା ବ୍ୟୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯିବ। ଏହି ଭବନ ଭଗ୍ନ ଅବସ୍ଥାରେ ରହିଥିଲା ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୀର୍ଘଦିନ ହେଲା ଦାବି ଜଣାଇ ଆସୁଥିଲେ। ଏବେ ଏହାକୁ ୧ ହଜାର ସିଟ୍‌ ବିଶିଷ୍ଟ ପ୍ରେକ୍ଷାଳୟରେ ପରିଣତ କରାଯାଇ ଏଥିରେ ଉତ୍ତମ ମାନର ସାଉଣ୍ଡ ସିଷ୍ଟମ୍‌, ଶୌଚାଳୟ, ଜଳଯୋଗାଣ ପ୍ରଭୃତି ଆଧୁନିକ ସୁବିଧାମାନ ଉପଲବ୍ଧ କରାଯିବ। ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ ଜିଲ୍ଲାର ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ହେବ।
ପୂର୍ବରୁ ଶ୍ରୀ ତି୍ରପାଠୀ ତାଙ୍କ ଏହି ଜିଲ୍ଲା ଗସ୍ତବେଳେ ଖଣି ପ୍ରଭାବିତ ବ୍ଲକ୍‌ର ୪୦ ଜଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସିପେଟ୍‌ ଓ ବିପିୟୁଟ ଦ୍ୱାରା ମିଳିତ ଭାବେ ପରିଚାଳିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ସେ ସେଠାରେ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଏବଂ ପ୍ଳାଷ୍ଟିକ ମୋଲ୍‌ଡିଂ ମେସିନ୍‌ ଚାଳନା ତାଲିମ ଦେଉଥିବା ତାଲିମଦାତା ଓ ତାଲିମ ନେଉଥିବ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଏ ଧରଣର ତାଲିମ ଗ୍ରହଣ କରି ନିଜର ଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ବିଭିନ୍ନ ସ୍କିମ୍‌ ଓ କାର୍ଯ୍ୟକ୍ରମଗୁଡ଼ିକର ସୁଯୋଗ ହାତେଇବା ପାଇଁ ଆହ୍ୱାନ ଜଣାଇଥିଲେ।
ଏହି ପରିଦର୍ଶନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ସୁନ୍ଦରଗଡ଼ ଜିଲାପାଳ ଡ. ପରାଗ ହର୍ଷଦ ଗୱାଲି, ରାଉରକେଲାର ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.