ହାଇକୋର୍ଟରେ ହାତୀ ସୁରକ୍ଷା ପ୍ରସଙ୍ଗ : ମାଗିଲେ ୫ ବର୍ଷର ତଥ୍ୟ

କଟକ : ହାତୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏସ କେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଶୁଣାଣି କରି ସାନି ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଆଜି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରଯାଇଥିଲା। ଅଦାଲତ ଏଥିରେ ଅସନ୍ତୋଷ ପ୍ରକାଶ କରି ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ୫ ବର୍ଷ ମଧ୍ୟରେ କେତେ ହାତୀ ମରିଛନ୍ତି; କେତେ ମାମଲା ରୁଜୁ ହୋଇଛି; କେତେ ମାମଲା ବିଚାରାଧିନ ରହିଛି; କେତେ ଦଣ୍ଡାଦେଶ ହୋଇଛି; ଏପରି ତଥ୍ୟ ଉଲ୍ଲେଖ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ଗୀତା ରାଉତଙ୍କ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖକୁ ଧାର୍ଯ୍ୟ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସପ୍ତାହରେ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳି ମାଡର ଶିକାର ହାତୀର ମୃତ୍ୟୁ ହୋଇଥିଲା। କିନ୍ତୁ ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଭଳି ଲାଗୁଛି। ବନ୍ୟ ଜୀବନ (ସୁରକ୍ଷା)ଆଇନ, ୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି କଠୋର ନ ହେବ; ତେବେ ଏଭଳି ଘଟଣା ନିୟମିତ ଘଟିବ। ଆସାମ ସରକାର ୨୦୧୦ରେ ବଣ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରି ଦଣ୍ଡ ବ୍ୟବସ୍ଥା କଠୋର କରିଥିଲେ। ଆସାମ ଢଙ୍ଗରେ ଓଡ଼ିଶାରେ ମଧ୍ୟ ଆଇନରେ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ। କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି; ସେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

kalyan agarbati

Comments are closed.