ସାମାନ୍ୟ ବର୍ଷାର ପୋଖରୀର ଭ୍ରମ ସୃଷ୍ଟି କରୁଛି ବାଉଁଶଦଣ୍ଡା ଛକ

ଗାଡି ଚାଳକଙ୍କ ପାଇଁ ସାଜିଛି ମରଣଯନ୍ତା

ଆଠଗଡ : ଆଠଗଡ- ମୁଣ୍ଡଳି ରାସ୍ତାର ବାଉଁଶଦଣ୍ଡା ଛକରେ ସାମାନ୍ୟ ବର୍ଷା ହେଲେ ଉକ୍ତ ସ୍ଥାନଟି ଏକ ଜଳାଶୟର ଭ୍ରମ ସୃଷ୍ଟି କରୁଛି । ମୁଣ୍ଡଳି-ଆଠଗଡ ରାସ୍ତା ପ୍ରାୟ ୮ବର୍ଷ ପୂର୍ବରୁ ସଂପୂର୍ଣ୍ଣ ହେବା ପରଠାରୁ ପ୍ରତିବର୍ଷ ବର୍ଷାଋତୁରେ ବାଉଁଶଦଣ୍ଡା ଛକର ଏପରି ଅବସ୍ଥା ଦେଖିବାକୁ ମିଳୁଛି । ୮ବର୍ଷ ମଧ୍ୟରେ ପୂର୍ତ୍ତବିଭାଗ ଉକ୍ତ ରାସ୍ତାରେ ସବୁବେଳେ ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କଲେ ନାହିଁ । ବ୍ୟସ୍ତ ବହୁଳ ବାଉଁଶଦଣ୍ଡା ଛକରେ ଏତେ ଖାଲଖମା ପରିପୂର୍ଣ୍ଣ ହୋଇଛି ଯେ ଅଧିକାଂଶ ସମୟରେ ସେଠାରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି । ତଥାପି ପୂର୍ତ୍ତବିଭାଗ ହେଉ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କର ନିଦ୍ରାଭଙ୍ଗ ହେଉନାହିଁ । ଲଗାଣ ବର୍ଷା ବା ଜୋର ବର୍ଷା ହେଲେ ଉକ୍ତ ବାଉଁଶଦଣ୍ଡା ଛକରେ ୧୦୦ମିଟର ଅଞ୍ଚଳ ଆଣ୍ଠୁଏ ଉଚ୍ଚାର ପାଣି ଦୀର୍ଘ ସମୟ ଧରି ଜମି ରହୁଥିବାରୁ ତାହା ଏକ ନଦୀ ଅବା ନାଳର ଭ୍ରମ ସୃଷ୍ଟି କରୁଛି । ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ସେଠାରେ ପାଣି କିପରି ନଜମିବ ସେଥିପାଇଁ ସ୍ଥାୟୀ ପ୍ରତିକାର ଏବଂ ସୃଷ୍ଟି ହୋଇଥିବା ବଡ ବଡ ଖାଲଖମା ମରାମତି ଦିଗରେ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

kalyan agarbati

Comments are closed.