କଲମପୁର: ନିକଟରେ ପ୍ରକାଶ ପାଇଛି ନବୋଦୟ ପ୍ରବେଶିକା ପରୀକ୍ଷା ଫଳ। ଏଥିରେ ଆଦିବାସୀ ଅଧ୍ୟୁଷିତ ତଥା ବଣ ପାହାଡ ଘେରା ଥୁଆମୁଳ ରାମପୁର ବ୍ଲକ କୁମୁଡାବାହଲ ନିକଟରେ ଥିବା ଗ୍ରାମବିକାଶ ଶିକ୍ଷାନିକେତନର ଛାତ୍ର ଛାତ୍ରୀ ସଫତା ହାସଲ କରିଛନ୍ତି। ବିଦ୍ୟାଳୟର ଅଞ୍ଜୁଳା ମାଝୀ, ତିପିତା ନାଏକ, ଜାଜ୍ଞସେନୀ ଜାନୀ, ବବି ନାଏକ, ସୌମ୍ୟାରାଣୀ ମହାକୁଡ ଓ ପଲ୍ଲବୀ ନାଏକ ପ୍ରମୁଖ ୬ ଜଣ ଛାତ୍ରୀ ଙ୍କ ସମେତ ଦିନେଶ ନାଏକ, ଟିକେଶ୍ୱର ମାଝୀ ଓ ଶିବ ଶଙ୍କର ମାଝୀ ପ୍ରମୁଖ ୩ ଜଣ ଛାତ୍ର ସର୍ବମୋଟ ୯ ଜଣ ଛାତ୍ର ଛାତ୍ରୀ ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲୋଖାଇବା ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି।
ଥୁଆମୁଳ ରାମପୁର ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ। ଶିକ୍ଷା ସ୍ୱାସ୍ତ୍ୟ ଓ ଗମନା ଗମନ କ୍ଷେତ୍ରରେ ଏହି ଅଂଚଳ ଅବହେଳିତ। ଏଭଳି ସ୍ଥିତିରେ ଗ୍ରାମବିକାଶ ସଂସ୍ଥା ଦ୍ୱାରା ଅଗମ୍ୟ ଅଂଚଳର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ଖୋଲାଯାଇଥିଲା ଗ୍ରାମବିକାଶ ଶିକ୍ଷାନିକେତନ। ପ୍ରତି ଶିକ୍ଷା ବର୍ଷ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ନବୋଦୟ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ପାଇଥାନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟର ସର୍ବାଧିକ ୯ଜଣ ଛାତ୍ର ଛାତ୍ରୀ ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଇ ପଢିବାର ସୁଯୋଗ ପାଇଛନ୍ତି। ଯାହା ଅଂଚଳବାସୀଙ୍କ ପାଇଁ ଖୁସିର ଖବର। ଗ୍ରାମବିକାଶ ଶିକ୍ଷାନିକେତନର ଉଦ୍ୟମ କ୍ରମେ ବାଳିକା ଶିକ୍ଷା ପ୍ରତି ଏହି ଆଦିବାସୀ ଅଂଚଳରେ ଏବେ ଆଗ୍ରହ ଦେଖା ଦେଇଛି।



