ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଓଡ଼ିଆ ଝିଅ ଜୟନ୍ତୀ

0

ଭୁବନେଶ୍ୱର : ଇଣ୍ଡୋନେସିଆ ମାଟି ଓଡ଼ିଆ ଧାବିକାଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଅଗଷ୍ଟରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ଦୁଇଟି ରୌପ୍ୟ ପଦକ ଜିତିଥିବାବେଳେ ଦେଢ ମାସ ବ୍ୟବଧାନରେ ରାଜ୍ୟର ଭିନ୍ନକ୍ଷମ ମହିଳା ଧାବିକା ଜୟନ୍ତୀ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଜାକର୍ତ୍ତାରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାର ମହିଳା ୨୦୦ମିଟର ଦୌଡ଼ରେ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜୁନିୟର ସ୍ତରରେ ସଫଳତା ପରେ ପ୍ରଥମ ଥର ପାଇଁ ସିନିୟର ସ୍ତରରେ ଜୟନ୍ତୀ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି।
ମଙ୍ଗଳବାର ସକାଳେ ଅନୁଷ୍ଠିତ ମହିଳା ଟି-୪୭ ବର୍ଗ ୨୦୦ ମିଟର ଫାଇନାଲରେ ଜୟନ୍ତୀ ଏହି ଦୂରତ୍ୱକୁ ୨୭.୪୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ଚୀନର ଲି ଲୁଙ୍କୁ ସ୍ୱର୍ଣ୍ଣ ଓ ୱାଙ୍ଗ ୟାଙ୍ଗପିନ୍‍ଙ୍କୁ ରୌପ୍ୟପଦକ ମିଳିଛି। ଟି-୪୭ ବର୍ଗରେ ପୂର୍ବରୁ ଏସୀୟ ପାରା କ୍ରୀଡ଼ାରେ କୌଣସି ଭାରତୀୟ ମହିଳା ଆଥ୍‍ଲେଟ ୨୦୦ମିଟର ଦୌଡ଼ରେ ପଦକ ହାସଲ କରିବାରେ ସକ୍ଷମ ହୋଇନଥିବାବେଳେ ଓଡ଼ିଆ ପାରା ଧାବିକା ବ୍ରୋଞ୍ଜ ପଦକ ହାସଲ କରି ଦେଶ ସମେତ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୨୦୦ମିଟର ଦୌଡ଼ ପରେ ଏବେ ଜୟନ୍ତୀ ୧୦୦ ମିଟର ଓ ୪୦୦ମିଟର ଇଭେଣ୍ଟରେ ମଧ୍ୟ ପ୍ରତିନିଧିତ୍ୱ କରିବେ।
ସୂଚନାଯୋଗ୍ୟ, ପିଲାଦିନରୁ ଜୟନ୍ତୀଙ୍କ ଦୌଡ଼କୁଦ ପ୍ରତି ବହୁତ ଦୁର୍ବଳତା ରହିଥିଲା। ବାପା କୁଞ୍ଜ ବେହେରା ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରିନ୍ତି। ଛଅ ପ୍ରାଣୀ କୁଟୁମ୍ବକୁ ଚଳାଇବା ନେଇ କୁଞ୍ଜ ସଂଘର୍ଷ କରୁଥିବାବେଳେ ଜୟନ୍ତୀଙ୍କୁ ପାଠ ପଢାଇବା ଓ ଖେଳିବା ପ୍ରତି ସୁବିଧା ଯୋଗାଇ ଦେବା ନେଇ ଅକ୍ଷମ ଥିଲେ। ଜୟନ୍ତୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପ୍ରତିଭାକୁ ଚିହ୍ନଟ କରି ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ୨୦୧୧ରେ ତାଙ୍କୁ ସାକ୍ଷୀଗୋପାଳସ୍ଥିତ ଗୁରୁକୁଳ ଟ୍ରେନିଂ ସେଣ୍ଟରକୁ ନେଇ ଆସିଥିଲେ। ସେଠାରେ ଜୟନ୍ତୀ ରହିବା ସହିତ ପାଠ ପଢା ଓ ଦୌଡ଼ିବା ମଧ୍ୟ ଅଭ୍ୟାସ କରିଥିଲେ। ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ପ୍ରଶିକ୍ଷଣରେ ଜୟନ୍ତୀ ଜାତୀୟ ପାରା କ୍ରୀଡ଼ା ପରେ ଏସୀୟ ଯୁବ ପାରା କ୍ରୀଡ଼ା ଓ ବିଶ୍ୱ ଜୁନିୟର ପାରା କ୍ରୀଡ଼ାରେ ମଧ୍ୟ ସଫଳତାର ସହ ପଦକ ଜିତିପାରିଛନ୍ତି।
‘୪୦୦ମିଟରରେ ଭଲକରିବା ଲକ୍ଷ୍ୟ’
ପ୍ରଥମଥର ସିନିୟରସ୍ତରରେ ଅନ୍ତର୍ଜାତୀୟ ପଦକ ହାସଲ କରିବା ନେଇ ବହୁତ ଖୁସି ଲାଗୁଛି। ୨୦୦ମିଟର ଦୌଡ଼ରେ ଦୁଇ ଅଲିମ୍ପିକ ପଦକ ବିଜେତାଙ୍କ ସହିତ ଦୌଡ଼ି ବ୍ରୋଞ୍ଜ ପଦକ ହାସଲ କରିବା ପରେ ବହୁତ ଆନନ୍ଦ ଲାଗୁଛି। ଆଗକୁ ୪୦୦ ମିଟର ଓ ୧୦୦ ମିଟର ଦୌଡ଼ ରହିଛି। ବିଶେଷ କରି ୪୦୦ ମିଟର ଦୌଡ଼ରେ ଭଲ କରିବା ଲକ୍ଷ୍ୟ ରହିଛି ବୋଲି ଜୟନ୍ତୀ କହିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ପିତାମାତା, କୋଚ ବିଷ୍ଣୁ ସାର ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଲାଗି ଏ ସଫଳତା ମିଳିିଛି।

ଏକ ବର୍ଷ ବୟସରେ ପୋଡ଼ି ହୋଇ ଯାଇଥିଲେ
ଓଡ଼ିଆ ଧାବିକା ଜୟନ୍ତୀ ବେହେରାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବେଶ୍‍ ଲୋମହର୍ଷକ। ପୁରୀ ଜିଲା ସାକ୍ଷିଗୋପାଳ ମାଣିତିରି ଗ୍ରାମର କୁଞ୍ଜ ଓ ଆଶାମତୀ ବେହେରାଙ୍କ ୪ ଝିଅ ଓ ଗୋଟିଏ ପୁଅଙ୍କ ମଧ୍ୟରୁ ଜୟନ୍ତୀ ଅନ୍ୟତମ। ଜନ୍ମରୁ ଭିନ୍ନକ୍ଷମ ନଥିବା ଜୟନ୍ତୀଙ୍କୁ ଦଇବ ଭିନ୍ନକ୍ଷମ କରି ଦେଇଥିଲା। ମାତ୍ର ୧ ବର୍ଷ ବୟସ ହୋଇଥିବାବେଳେ ଧାନ ଉଷୁଆଁ ଚୁଲି ନିଆଁରେ ପୋଡ଼ି ହୋଇ ଯାଇଥିଲେ ଜୟନ୍ତୀ। ନିଆଁରେ ଜୟନ୍ତୀଙ୍କ ବାମ ପାର୍ଶ୍ବ ସମ୍ପୂର୍ଣ୍ଣ ପୋଡ଼ି ହୋଇ ଯାଇଥିଲା। ଚିକିତ୍ସାରେ ଜୟନ୍ତୀ ବଞ୍ଚିଯାଇଥିଲେ ମଧ୍ୟ ଭିନ୍ନକ୍ଷମ ହୋଇ ଯାଇଥିଲେ। ଏଭଳି ଭିନ୍ନକ୍ଷମ ଝିଅ ଆଜି ଦେଶ ପାଇଁ ଗୌରବ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଜୟନ୍ତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଲକ୍ଷ ପୁରସ୍କାର ଘୋଷଣା
ଭୁବନେଶ୍ୱର  : ଇଣ୍ଡୋନେସିଆରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ମହିଳା ୨୦୦ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁୁଭେଚ୍ଛା ଜଣାଇବା ସହିତ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଜୟନ୍ତୀ ଏସୀୟ ପାରା କ୍ରୀଡ଼ାରେ ପଦକ ବିଜୟୀ ହୋଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆଗକୁ ଅଧିକ ସଫଳତା ହାସଲ ନେଇ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ ଜଣାଇଛନ୍ତି।

Leave A Reply