www.samajalive.in
Sunday, December 14, 2025
23.1 C
Bhubaneswar

କର୍ମଭୂମିରୁ ଜନ୍ମଭୂମି ପଦଯାତ୍ରା

ସୁଆଣ୍ଡୋ/ସାକ୍ଷିଗୋପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ଲୋକ ସେବକ ଯୁବ ମଣ୍ଡଳ ପକ୍ଷରୁ ସାକ୍ଷିଗୋପାଳ ବସ୍‍ଷ୍ଟାଣ୍ଡସ୍ଥିତ ପଞ୍ଚସଖା ମଣ୍ଡପ ନିକଟରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ପଞ୍ଚସଖାଙ୍କ ମଣ୍ଡପରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏକ ପ୍ରଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପଦଯାତ୍ରା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ‘ସମାଜ’ର ପୂର୍ବତନ ସମ୍ପାଦକ ମନୋରମା ମହାପାତ୍ର ସଭାରେ ସଭାପତିତ୍ୱ କରି ଏହି ପୁଣ୍ୟାତ୍ମା ପଞ୍ଚ ମହାପୁରୁଷଙ୍କ କଥାକୁ ମନେପକାଇ ଦେବା ପାଇଁ ପଦଯାତ୍ରା ଆରମ୍ଭ କରାଯାଇଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ ସତ୍ୟବାଦୀରୁ ଜନ୍ମମାଟି ପର୍ଯ୍ୟନ୍ତ ପଦଯାତ୍ରା କରି ସେହି ମହାପୁରୁଷଙ୍କ ନୀତି ଓ ଆଦର୍ଶକୁ ସମାଜରେ ପ୍ରସାର କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସହ ସମ୍ପାଦିକା ମମତା ବିଶୋଇ, ମହେଶ୍ୱର ମଲ୍ଲ, ଭବାନୀ ପ୍ରସାଦ ମିଶ୍ର, ଗୀତାଶ୍ରୀ ଦାସ, ମୀରା ବେୱାରା, ଶରତ ଚନ୍ଦ୍ର ଶତପଥୀ, ବିରଞ୍ଚି ମହାରଣା, ଗୋବିନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଗୋପବନ୍ଧୁଙ୍କ ‘କାରାକବିତା’ ଗାନ କରି ପଦଯାତ୍ରୀ ଦଳ ଜାତୀୟ ରାଜପଥ ଦେଇ କାଦୁଆସ୍ଥିତ ଦରିଦ୍ର ନାରାୟଣ ସେବା ସଂଘ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଅଟକିଥିଲେ। ଆଶ୍ରମ ମଧ୍ୟରେ ଥିବା ଗୋପବନ୍ଧୁ ଓ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସୁଆଣ୍ଡୋ ଅଭିମୁଖେ ଯାତ୍ରା ବାହାରିଥିଲା। ଏମାନଙ୍କ ସହ ମା’ ଗଡ଼ଚଣ୍ଡୀ ମହିଳା ମହାସଂଘର ରୀନା ମଲିକ, ପିତାମ୍ବରୀ ଦାସ, ସବିତା ଦାସ, ବାସନ୍ତୀ ଭୋଇ, ଚନ୍ଦୁ ଭୋଇ ଓ ଭୁବନେଶ୍ୱର ଜେନା ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରୀଙ୍କୁ ରାସ୍ତା ପାର୍ଶ୍ବରେ ଭବ୍ୟ ସ୍ୱାଗତ କରାଯାଇଥିଲା।
ପଟ୍ଟନାଇକିଆ ନିକଟ ମହାବଳପଡ଼ା ବିଦ୍ୟାଳୟ ପାର୍ଶ୍ବରେ ପଦଯାତ୍ରୀ କିଛି ସମୟ ବିଶ୍ରାମ ନେଇ ସୁଆଣ୍ଡୋ ଅଭିମୁଖେ ବାହାରିଥିଲେ। ପଦଯାତ୍ରୀ ଦଳକୁ ଗ୍ରାମ ମୁଣ୍ଡରେ ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜୁନିୟର ସ୍କାଉଟ୍‍ ଆଣ୍ଡ୍‍ ଗାଇଡ୍‍ସ, ଗୁରୁକୁଳ ଛାତ୍ରଛାତ୍ରୀ ଓ ଉତ୍କଳମଣି ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସହ ସହସ୍ରାଧିକ ଜନତା ଉପସ୍ଥିତ ରହୁ ସ୍ୱାଗତ କରିବା ସହ ଗୋପବନ୍ଧୁଙ୍କ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ପଦଯାତ୍ରୀ ଦଳ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଷଠୀଘରେ ପହଞ୍ଚି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରାର୍ଥନା ସଭା କରିଥିଲେ। ଗୋପବନ୍ଧୁଙ୍କ କୁଳଦେବତା ବିନୋଦ ବିହାରୀ ଦେବଙ୍କ ଆଳତିିରୁ ଜ୍ୟୋତି ସଂଗ୍ରହ କରାଯାଇଥିଲା। ନାତି ଧୀରେନ୍ଦ୍ର ନାଥ ଦାସ ଜ୍ୟୋତିକୁ ଲୋକସେବକ ଯୁବ ମଣ୍ଡଳର ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଆଜୀବନ କର୍ମୀ ଡ. ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା ପ୍ରମୁଖ ଜ୍ୟୋତି ଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କ ଘରୁ ସଂଗୃହୀତ ଜ୍ୟୋତି ଓଡ଼ିଶାର ୩୦ ଜିଲା ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି।
ସର୍ବଧର୍ମ ପ୍ରାର୍ଥନା ସଭା
ଏହି ଅବସରରେ ସତ୍ୟବାଦୀ କଂଗ୍ରେସ କମିଟି ତରଫରୁ ପଞ୍ଚସଖାଙ୍କ ସମାଧି ପୀଠ ପରିସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଧର୍ମଗୁରୁମାନେ ବେଦ, କୋରାନ, ବାହଇ, ମହିମା ଅଲେଖ ଓ ବାଇବେଲ ଧର୍ମଗ୍ରନ୍ଥ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ପ୍ରଦୀପ ହରିଚନ୍ଦନ, ଦେବାଶିଷ ମିଶ୍ର, ଶରତ ମାଝି, ତ୍ରୈଲୋକ୍ୟ ମିଶ୍ର, ସୁବାସ ମହାପାତ୍ର, ଦେବ ଲୋଭାନ୍‍ ପ୍ରମୁଖ ଯୋଗଦେଇଥିଲେ।
ବାଇକ୍‍ ଶୋଭାଯାତ୍ରା
ଯୁବନେତା ଓମ୍‍ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ବାଇକ୍‍ ଶୋଭାଯାତ୍ରାରେ ବିଜେପି କର୍ମୀ ଓ ନେତାମାନେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ, ସମାଧି ପୀଠ, ବସ୍‍ଷ୍ଟାଣ୍ଡଠାରେ ଗୋପବନ୍ଧୁଙ୍କ ସମେତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଜେପି ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଅମର ଶତପଥୀ, ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ଓ ରୀତା ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories