କଟକରେ ବୀଭତ୍ସକାଣ୍ଡ ; ମହିଳାଙ୍କ ଗଳା କାଟି ହତ୍ୟା
କଟକ : ଘର ଭିତରେ ପନିକିରେ ମହିଳାଙ୍କ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଲାଲବାଗ ଥାନା ଅନ୍ତର୍ଗତ କୁତାଖାଇ ଗଳିରେ। ମୃତକ ହେଉଛନ୍ତି ବି. ଗୁଣବତୀ (୪୫)। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ରୋଷେଇ ଘରୁ ପନିକି ଗାଏବ୍ ଥିବା ପୁଲିସ ଜାଣିବାକୁ ପାଇଛି। ବେକରେ ଗଭୀର କ୍ଷତ ଥିବାରୁ ଗୁଣବତୀଙ୍କୁ ତାଙ୍କ ବେଡ୍ରୁମ୍ରେ ପନିକିରେ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜଣେ ମହିଳା ଘରେ ଏକା ଥିବାବେଳେ କିଏ ଏପରି ନିର୍ମମ ଭାବେ ହତ୍ୟା କଲା ତାହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡରେ କୌଣସି ସମ୍ପର୍କୀୟଙ୍କ ଲିଙ୍କଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ, ଓଡ଼ିଆବଜାର କୁତାଖାଇ ଗଳିରେ ଗୁଣବତୀଙ୍କ ଘର। ସ୍ବାମୀ ବି. ଆପ୍ପାରାଓ ଏକ ଘରୋଇ ଛାପା କାରଖାନାରେ କାର୍ଯ୍ୟ କରନ୍ତି। ନିଜସ୍ବ ତିନି ମହଲା ଘରେ ରହନ୍ତି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଝିଅ ବିବାହ ସାରିଥିବା ବେଳେ ପୁଅ ଏକ ଘରୋଇ ବ୍ୟାଙ୍କରେ ସହ ପରିଚାଳକ ଭାବେ କାର୍ଯ୍ୟକରନ୍ତି। ଗୁଣବତୀ ତାଙ୍କ ୩ମହଲା ବିଶିଷ୍ଟ ଘରେ ଆଜି ଏକା ଥିଲେ। ଅପରାହ୍ଣ ୨ଟାରେ ଆପ୍ପାରାଓ ଖାଇବା ଲାଗି ଘରକୁ ଆସିଥିଲେ। ଏହି ସମୟରେ ତାଙ୍କ ଘର ଖୋଲାଥିଲା। ସେ ଗୁଣବତୀଙ୍କୁ ଡାକିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ସେ ତାଙ୍କ ବେଡ୍ରୁମ୍କୁ ପଶିବା ପରେ ଚକିତ ହୋଇପଡ଼ିଥିଲେ। ବେଡ୍ ଉପରେ ପତ୍ନୀ ଗୁଣବତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। କେହି ତାଙ୍କ ଗଳା କାଟି ଦେଇଥିବା ସେ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀଙ୍କୁ ଡାକିବା ସହ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଲାଲବାଗ ପୁଲିସ ସାଇଣ୍ଟିଫିକ୍ ସ୍କ୍ୱାଡ ଓ ସନ୍ଧାନକାରୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଦୀର୍ଘ ସମୟ ଧରି ଟିକିନିଖି ଯାଞ୍ଚ କରିବା ପରେ ସାଢ଼େ ୪ଟାରେ ଗୁଣବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଘର ଯାଞ୍ଚ ବେଳେ ପନିକି ନଥିବା ପୁଲିସ ଜାଣିବାକୁ ପାଇଥିଲା। ତିନିମହଲା ଘରର ଦ୍ୱିତୀୟ ଓ ତୃତୀୟ ମହଲାରେ ବି. ଆପ୍ପାରାଓ ଓ ତାଙ୍କର ପରିବାର ରହୁଥିବା ବେଳେ ତଳମହଲା ଘରକୁ ଭଡ଼ା ଦେଇଥିଲେ। ଏକମାସ ହେଲା ତଳମହଲା ଘର ତାଲା ପଡ଼ିଛି। ସେଠାରେ ରହୁଥିବା ଭଡ଼ାଟିଆ କୌଣସି କାର୍ଯ୍ୟପାଇଁ ହାଇଦ୍ରାବାଦ ଯାଇଥିବା କୁହାଯାଉଛି।
ଜୋନ ଏସିପି ତାପସ ପ୍ରଧାନଙ୍କ କହିବା ଅନୁଯାୟୀ ଏଭଳି କାଣ୍ଡ କିଏ ଓ କାହିଁକି ଘଟାଇଛି କିମ୍ବା ଗୁଣବତୀ ନିଜେ ନିଜର ବେକକାଟି ଆତ୍ମହତ୍ୟା କରିଛନ୍ତି ତାହାର ସଠିକ୍ କାରଣ ଏଯାବତ ସ୍ପଷ୍ଟ ହୋଇନି। ପୂରା ଘଟଣା ପଛରେ ପାରିବାରିକ ବିବାଦ ଥିବା ସନ୍ଦେହ କରାଯାଉଛି। ସ୍ବାମୀ ବି. ଆପ୍ପାରାଓଙ୍କ ଅଭିଯୋଗ କ୍ରମେ ଲାଲବାଗ ଥାନାରେ ଏକ ହତ୍ୟା ମାମଲା ରୁଜୁହୋଇଛି। ଆପ୍ପାରାଓଙ୍କ ଘରଠାରୁ ୩୦ ମିଟର ଦୂରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ପୁଲିସ ଭଲ ଭାବେ ଯାଞ୍ଚ କରିଛି। ମଧ୍ୟାହ୍ଣ ସମୟରେ କେଉଁ କେଉଁମାନେ ଉକ୍ତ ଘର ଦେଇ ଯାଇଥିଲେ ପୁଲିସ ତାର ଯାଞ୍ଚ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଏହାର ଅଧିକ ତଦନ୍ତ ଜାରି ରହିଥିବା ଏସିପି ପ୍ରଧାନ କହିଛନ୍ତି।
Comments are closed.