ବାଙ୍କୀ: ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୨୦୨୨-୨୩ ଖରିଫ ଋତୁର ଚାଷୀ ପଞ୍ଜୀକରଣ ନିମନ୍ତେ ସ୍ଥାନୀୟ ଜାତମୁଣ୍ଡିଆ ବଜାର ପ୍ରାଙ୍ଗଣ ସମ୍ମିଳନୀ ପ୍ରକୋଷ୍ଠରେ ଏକ ବିଦ୍ଧିବଦ୍ଧ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୈାଜନ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ବାଙ୍କୀ ବ୍ଲକର ୨୯ଟି, ଡମପଡା ବ୍ଲକର ୧୭ ଗୋଟି ପାକ୍ସ (ସେବା ସମବାୟ ସମିତି), ଦାୟିତ୍ୱରେ ଥିବା ଗୋଟିଏ ସ୍ୱଂୟସହାୟକ ଗୋଷ୍ଠୀକୁ ମିଶାଇ ମୋଟ୍ ୪୭ ଅନୁଷ୍ଠାନର ସମ୍ପାଦକ ଏବଂ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର ମାନେ ଚାଷୀ ପଞ୍ଜୀକରଣ ଶୀର୍ଷକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।
ଏହି ପ୍ରଶିକ୍ଷଣ ଶିବିରରେ ଜିଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଏବଂ କମ୍ପ୍ୟୁଟର କାର୍ଯ୍ୟକ୍ରମ ଅଧିକାରୀ ଜାମିନୀକାନ୍ତ ମହାପାତ୍ର ପ୍ରମୁଖ ଚାଷୀ ପଞ୍ଜୀକରଣର ପ୍ରକ୍ରିୟା ଏବଂ ଚଳିତ ବର୍ଷ ପଞ୍ଜୀକରଣ ଧାରାରେ ପରିବର୍ଦ୍ଧିତ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ସାଟେଲାଇଟ୍ ମାଧ୍ୟମରେ ଧାନ ଚାଷ କରାଯାଇଥିବା ସମସ୍ତ ଜମିକୁ ଚିହ୍ନଟ କରାଯାଇ ତଥ୍ୟଭିତ୍ତିକ ସଠିକ ପଞ୍ଜୀକରଣ କରାଯିବା ସମ୍ପର୍କରେ ଉପସ୍ଥିତ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ମାର୍ଗ ଦର୍ଶନ କରାଯାଇଥିବା ସୂଚନା ମିଳିଛି। ଚାଷୀମାନେ ନାମ ପଞ୍ଜୀକରଣ ସମୟରେ ନିଜର ପରିଚୟ ପତ୍ରର ନକଲ, ବ୍ୟାଙ୍କ୍ ଜମା ଖାତାର ପ୍ରଥମ ପୃଷ୍ଠାର ଅବିକଲ ନକଲ, ଆଧାରକାର୍ଡର ନକଲ ଏବଂ ଖରିଫ ଧାନ ଚାଷ କରାଯାଉଥିବା ଜମିଜମାର କାଗଜପତ୍ରର ନକଲ ସହିତ ଚାଷୀ ନିଜର ମୋବାଇଲ୍ ଫୋନ୍ ନମ୍ବର ପ୍ରଦାନ କରିବା ବାଧ୍ୟତା ମୂଳକ ଏବଂ ଅଧିକାରୀ ତାହାକୁ ସଠିକ୍ ଯାଞ୍ଚ କରିବା ବିଧେୟ ବୋଲି ପ୍ରକାଶ କରିଛନ୍ତି।
ଏ ସମସ୍ତ ବିଷୟକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ଯାକ ବ୍ଲକ ଅଂଚଳରେ ଚାଷୀ ମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ ଓ ପ୍ରଚାର ପ୍ରସାର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ଶିବିରରେ ବାଙ୍କୀ ବଜାର କମିଟିର ସମ୍ପାଦକ ଅଜୟ କୁମାର ରାଉତ ଏବଂ ସମବାୟ ବିଭାଗର ଉପସହନିବନ୍ଧକ ଜ୍ୟୋତିରଞ୍ଜନ ସେଠୀ ଉପସ୍ଥିତ ରହି ଅନୁରୂପ ସୂଚନା ଓ ଦିଗଦର୍ଶନ ପ୍ରଦାନ କରିଥିଲେ। ଆଲୋଚନା କ୍ରମରେ ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ସେବା ସମବାୟ ସମିତିରେ ଚାଷୀ ପଞ୍ଜୀକରଣର ସମସ୍ତ ବ୍ୟବସ୍ଥା କରାଯାଇ ଯଥାକ୍ରମେ ତଥ୍ୟ ଗୁଡିକୁ ଜୁଲାଇ ୧୮ ତାରିଖରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ସଠିକ ଯାଞ୍ଚ କରାଯାଇ ପାସ୍ ମାଧ୍ୟମରେ କମ୍ପ୍ୟୁଟର ସାଇଡ୍ରେ ଭର୍ତ୍ତିକରାଯିବ। ଏ ସମସ୍ତ ବ୍ୟବସ୍ଥା ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ଶେଷ କରାଯାଇ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି।
ସେହିପରି ଭାଗଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ସମ୍ପୃକ୍ତ ଭାଗଚାଷୀ ମୂଳ ଜମି ମାଲିକଙ୍କ ଠାରୁ ଅନୁମତିପତ୍ର ଏବଂ ଗୋଟିଏ ପ୍ଲଟରେ ବହୁ ଅଂଶୀଦାର ଥିଲେ ପଞ୍ଜୀକୃତ ଚାଷୀ ଅନ୍ୟ ଅଂଶୀଦାର ମାନଙ୍କ ଠାରୁ ଅନୁମତୀ ପତ୍ର ପଞ୍ଜୀକରଣ ସମୟରେ ସମ୍ପାଦକଙ୍କ ନିକଟରେ ପ୍ରଦାନ କରିବା ସହିତ ଅଧିକାରୀ ସଠିକ୍ ଭାବରେ ଏହାର ତଦନ୍ତ ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରଶିକ୍ଷଣ ଶିବିରରେ ସୂଚନା ପ୍ରଦାନ କରାଯାଇଛି।



