ସୀମାନ୍ତ ଗୁଡିଖଳା ଗ୍ରାମରେ ଆନ୍ଧ୍ର ବାଣ୍ଟିଲା କୃଷି ସହାୟତା, ଯୋଗାଇଲା ଘର
ପାତ୍ରପୁର : ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର କେତେକ ଗ୍ରାମକୁ ଆନ୍ଧ୍ର ନିଜର କରିବାକୁ ଅହରହ ଉଦ୍ୟମ ଜାରିରଖିଛି । ପାତ୍ରପୁର ବ୍ଳକର ଚାରି ଗୋଟି ଗ୍ରାମରେ ଗତକିଛି ବର୍ଷ ହେଲା ଆନ୍ଧ୍ର ସରକାର ପକ୍ଷରୁ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ନିଜର ଉପସ୍ଥିତି ଜାହିର କରି ଓଡ଼ିଶା ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଉଛି। ଏବେ ପୁଣି ସେହି ଗ୍ରାମ ମଧ୍ୟରୁ ଗୋଟିଏ ଗ୍ରାମ ଗୁଡିଖଳାର ଲୋକଙ୍କୁ କୃଷିକାର୍ଯ୍ୟ ପାଇଁ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇଛି। ଏହି ଗ୍ରାମର ସମସ୍ତ ପରିବାରକୁ ରଇତ ସଙ୍ଗମ ଯୋଜନାରେ ସପ୍ତାହ ତଳେ ସହାୟତା ଯୋଗାଯାଇଛି । ସେହିପରି ଗ୍ରାମର ତିନୋଟି ପରିବାରକୁ ୱାଇଏସଆର କଲୋନୀ ଯୋଜନାରେ ବାସଗୃହ ଯୋଗାଇ ଦେବା କାର୍ଯ୍ୟ ଚାଲିଛି ।
ତେବେ ବିଭିନ୍ନ ସମୟରେ ଏହି ଗ୍ରାମ ସହିତ ଅନ୍ୟ ଗ୍ରାମରେ ଆନ୍ଧ୍ରର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଖବର ପ୍ରକାଶ ପରେ ଓଡ଼ିଶା ପ୍ରଶାସନ ଜାଗି ଉଠୁଥିଲା । ଏବେ ପୁଣି ଓଡ଼ିଶା ଟିକିଏ ଚୁପ ରହିବା ପରେ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରି ଆଗକୁ ବଢୁଥିବା ଲକ୍ଷ୍ୟ କରାଯାଉଛି । ପାତ୍ରପୁର ବ୍ଳକର ଆନ୍ଧ୍ର ସୀମାନ୍ତରେ ଗୁଡିଖଳା ଗ୍ରାମଟି କଳିଙ୍ଗଦଳା ନଦୀ ଅପର ପାର୍ଶ୍ୱ ଜଙ୍ଗଲ ପାଦଦେଶରେ ରହିଛି । ଏହି ଗ୍ରାମରେ ୨୭ଗୋଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୧୩୦ରୁ ଅଧିକ । ଗ୍ରାମଟି ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତ ଲାଇଡା ୱାର୍ଡରେ ଥିବା ବେଳେ ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଙ୍ଗବାଡ଼ ଏବଂ ଆନ୍ଧ୍ର ମଞ୍ଜୁସା ମଣ୍ଡଳ ବୁଡାରସିଙ୍ଗି ପଞ୍ଚାୟତରେ ମଧ୍ୟ ରହିଛି। ଉଭୟ ରାଜ୍ୟରେ ଭୋଟ ପରିଚୟ ପତ୍ର ଆଧାର କାର୍ଡ ବହୁ ଲୋକଙ୍କ ପାଖରେ ରହିଛି।
ପଞ୍ଚାୟତ, ଲୋକସଭା ଏବଂ ମଣ୍ଡଳ ନିର୍ବାଚନ ବେଳେ ଗ୍ରାମର ଲୋକମାନେ ତିନି ଗୋଟି ସ୍ଥାନରେ ଭୋଟ ଦେଇଥାନ୍ତି। ଏପରିକି ସବୁ ସ୍ଥାନରୁ ବିଭିନ୍ନ ସୁବିଧା ସୁଯୋଗ ମିଳୁଛି। ଏହି ଗ୍ରାମରୁ ବୁରାତାଲ ପଞ୍ଚାୟତକୁ ଯିବାକୁ ହେଲେ ଆନ୍ଧ୍ର ପଥରେ ଦୁଇଟି ନଦୀ ପାର ହୋଇ ୨୫ କିଲୋମିଟର ଏବଂ ବ୍ଲକକୁ ୪୦ କିଲୋମିଟର ଯିବାକୁ ପଡୁଛି । ସେହିପରି ଗଜପତି ଜିଲ୍ଲାର ରାୟଗଡ ବ୍ଲକକୁ ଗୋଟିଏ ନଦୀ ପାର ହୋଇ ପ୍ରାୟ ୧୨0 କିଲୋମିଟର ଆନ୍ଧ୍ର ବୁଡାର ସିଂଙ୍ଗି ପଞ୍ଚାୟତ କୁଯିବାକୁ ପ୍ରାୟ ତିନି କିଲୋମିଟର ଯିବାକୁ ପଡୁଛି । ସପ୍ତାହକ ପୂର୍ବେ ଗ୍ରାମର ଲୋକଙ୍କ ଚାଷ କାର୍ଯ୍ୟ ପାଇଁ ୨୫ଟି ପରିବାରକୁ ଆନ୍ଧ୍ର ସରକାରଙ୍କ ତରଫରୁ ରଇତ ସଙ୍ଗମ ଯୋଜନାରେ ଲକ୍ଷାଧିକ ଟଙ୍କା ପ୍ରଦାନ କରିଛି । ବଗଡ ଜମି ଥିବା ଲୋକଙ୍କୁ ପାଞ୍ଚ ହଜାର ଏବଂ ପାହାଡ଼ ତଳ ଚାଷଜମି ଥିବା ଲୋକମାନଙ୍କୁ ସାତ ହଜାର ପାଞ୍ଚ ଶହ ଟଙ୍କା ମିଳିବାପରେ ଚାଷ କାର୍ଯ୍ୟରେ ଆଦିବାସୀମାନେ ଲାଗି ପଡିଛନ୍ତି । ଗ୍ରାମର ସୀତାଶବର, ହାଡ଼ି ଶବର, ଡମ୍ବରୁ ଶବର ତ୍ରିନାଥ ଶବର ରଘୁନାଥ ଶବର ପ୍ରମୁଖ ୨୫ ପରିବାରକୁ ଅର୍ଥ ପ୍ରଦାନ କରାଯାଇଛି।
ସେହିଭଳି (ଆବାସ ଯୋଜନା)ୱାଇଏସଆର କଲୋନୀ ଯୋଜନାରେ ଶଙ୍କର ଶବର, ତ୍ରିନାଥ ଶବର ଏବଂ ହାଡ଼ିଆଣି ଶବରଙ୍କୁ ଏକ ଲକ୍ଷ ଅଶି ହଜାର ଟଙ୍କାରେ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ ପରେ କାର୍ଯ୍ୟ ଚାଲିଛି। ପୂର୍ବରୁ ଏହି ଗ୍ରାମକୁ ଆନ୍ଧ୍ର ଆବାସ ଯୋଜନାରେ ଘର ଯୋଗାଇ ଅଧରେ ଅଟକି ରହି ଥିବାବେଳେ ବିଜୁଳି ଯୋଗାଇଛି। ସେହିପରି ରାୟଗଡ ବ୍ଳକ ତରଫରୁ ଅଙ୍ଗନବାଡି କେନ୍ଦ୍ର ଖୋଲି ପକ୍କା ଗୃହ ନିର୍ମାଣ ହୋଇଛି । ପାତ୍ରପୁର ବ୍ଳକ ପକ୍ଷରୁ ଦଶରୁ ଉର୍ଦ୍ଧ୍ବ ପରିବାରର ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସରିଛି । ନଳକୁଅ ଅଚଳ ଦେଖି ପାତ୍ରପୁର ବ୍ଳକ ପକ୍ଷରୁ ଦୁଇ ମାସ ପୂର୍ବେ ତିନୋଟି ନଳକୂପ ଖୋଳା ଯାଇଛି । ତେବେ ଏହାର ମୁଣ୍ଡ ବସାଯାଇ ନଥିବାରୁ ଲୋକମାନେ ନଦୀରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ପାଠପଢା ଠାରୁ ବଜାର ସଉଦା ଓ ମହିଳାଙ୍କ ପ୍ରସବ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଥିବା ରାସ୍ତାରେ ପ୍ରଥମେ ଗ୍ରାମ ପରେ ମହେନ୍ଦ୍ର ତନୟ ନଦୀ ପାର ହୋଇ ଆନ୍ଧ୍ର କୁରୁଡାଲ ଦେଇ ଯିବାକୁ ପଡୁଛି । ଲୋକଙ୍କ ଏହି ଅବସ୍ଥା ଦେଖି ରାୟଗଡ ବ୍ଳକ ପକ୍ଷରୁ ନଦୀରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପୁନାଦିରେ ଅଟକିଛି । ଏପରିକି ପୋଲ ଠାରୁ କୁରୁଡାଲ ପର୍ଯ୍ୟନ୍ତ ଥିବା ରାସ୍ତାର କିଛି ଅଂଶ ଆନ୍ଧ୍ର ବୁଡାରସିଂ ପଞ୍ଚାୟତ ତରଫରୁ ଦୁଇ ମାସ ତଳେ ପକ୍କା କରାଯାଇଥିଲା। ଗ୍ରାମର ପିଲାଏ ସ୍କୁଲ ଠାରୁ କଲେଜ ପାଠ ପଢା ପାଇଁ ଆନ୍ଧ୍ର ନୁଆଁଗଡ଼ କଲୋନୀ, କୁରୁଡାଲ, ସାନ କୃଷ୍ଟ।, ମଞ୍ଜୁସ।, ପଲ।ସ। ପ୍ରଭୁତି ସ୍ଥାନକୁ ଯିବାକୁ ପଡୁଛି । ପାଠ ପଢା ପାଇଁ ପିଲାଙ୍କ ଆନ୍ଧ୍ର ମୁହଁ। ହେଉଥିବା ବେଳେ ଆନ୍ଧ୍ର ସରକାର ପ୍ରୋତ୍ସାହନ ଯୋଗାଇବା ଯୋଗୁଁ ଅଧିକ ସଂଖ୍ୟାରେ ପିଲା ଆନ୍ଧ୍ର ମୁହାଁ ହେଉଛନ୍ତି । ଏବେ ଗ୍ରାମର ରୀନାଶବର ମିନା ଶବର ସୁନିତା ଶବର ସନ୍ତୋଷ ଶବର, ବୁଡୁ ଶବର ପ୍ରମୁଖ ଦଶରୁ ଅଧିକ ପିଲା ରାତି ପହିଲେ ନଦୀ ପାର ହୋଇ ଆନ୍ଧ୍ର ବିଦ୍ୟାଳୟକୁ ଯାଉଛନ୍ତି । ପୂର୍ବରୁ ଏହି ଗ୍ରାମରେ ଜମି ପଟ୍ଟା ସହିତ ସହାୟତା ବଣ୍ଟନ ଆନ୍ଧ୍ର ସରକାର ଯୋଜନାର ପୋଷ୍ଟର ମରା ଭଳି ଘଟଣା ନଜରକୁ ଆସି ନଥିବା ବେଳେ ଏବେ ପୁଣି କୃଷି ସହାୟତା ସହ ଆବାସ ନିର୍ମାଣ ଖୋଲା ଚାଲେଞ୍ଜ ସୃଷ୍ଟି କରିଛି।ସରକାର ଏହି ଗ୍ରାମ ସହିତ ନିକଟରେ ଥିବା ଓଡ଼ିଶାର ୧୫ ଆଦିବାସୀ ଗ୍ରାମକୁ ରାସ୍ତା ନିର୍ମାଣ ସହିତ ଅଟକି ଥିବା ନଦୀ ପୋଲ କାର୍ଯ୍ୟଶେଷ କରି ନିୟମିତ ଗ୍ରାମ ମାନଙ୍କରେ ଘଟୁଥିବା ଘଟଣା ଉପରେ ନଜର ରଖି ଉନ୍ନୟନ ଆରମ୍ଭ କଲେ ଆନ୍ଧ୍ରର ଉଦ୍ୟମ ବ୍ୟର୍ଥ ହେବା ଆଶା ରହିଛି ।
Comments are closed.