ଗାଁ ମୁହାଁ ହେଲାଣି ମହାନଦୀ; ନାଲିଫିତା ତଳେ ରିଙ୍ଗବନ୍ଧ ଯୋଜନା
ନଦୀତଟ ସୁରକ୍ଷା ଜରୁରୀ, ବିପଦରେ ହରଭଙ୍ଗା ତହସିଲର ୫୫ ରାଜସ୍ୱ ଗାଁ
ହରଭଙ୍ଗା: କେଉଁ ପୁରାତନ ସମୟରୁ ଓଡ଼ିଶାର ଜୀବନଧାରା ଭାବେ ମହାନଦୀ ପ୍ରଭାବିତ ହୋଇଆସୁଛି। ମଧ୍ୟପ୍ରଦେଶର ବସ୍ତର ଅଂଚଳ ନିକଟସ୍ଥ ଅମରକଣ୍ଟକ ପାହାଡରୁ ଏହାର ଉତ୍ପତି। ମହାନଦୀର ସୁଦୀର୍ଘ ପଥ ୮୫୦କି.ମି, ଯେଉଁଥିରେ ଓଡ଼ିଶାରେ ୪୯୪ କିଲୋମିଟର ପ୍ରବାହିତ ହୋଇଛି। ମହାନଦୀର ଉପନଦୀଗୁଡିକ ଇବ୍, ଅଙ୍ଗ, ତେଲ୍, ବାଘ, ଜୀରା, ସାଲୁଙ୍କୀ, କୂଆଖାଈ, ଦୟା, ଭାର୍ଗବୀ, କୁଶଭଦ୍ରା, ଦେବୀ, ବିରୂପା ଇତ୍ୟାଦି ବଙ୍ଗୋପସାଗରରେ ପଡ଼ିଛନ୍ତି। ସେଥିପାଇଁ ଏହାକୁ ଓଡ଼ିଶାର ବଡନଦୀ ମାନ୍ୟତା ମିଳିଛି। ଐତିହାସିକ ମତ ଅନୁସାରେ ପୂର୍ବେ ସିନ୍ଧୁଉପତ୍ୟକାର ଲୋକେ ବିଶେଷକରି ନଦୀ ଉପତ୍ୟକାଗୁଡିକରେ ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖୀ ଚାଷ ବାସ ପାଇଁ ବସବାସ କରୁଥିବା ଦେଖାଯାଇଥିଲା। ସେହିପରି ମହାନଦୀ ଅବବାହିକାରେ ବୌଦ୍ଧଜିଲ୍ଲା ଅବସ୍ଥିତ ଥିବାରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଂଟାମାଳ ବ୍ଲକର କେତେକ ଅଂଚଳର ଲୋକେ ଚାଷବାସ ପାଇଁ ନଦୀ ଉପତ୍ୟକାରେ ବସବାସ କରିଥାଇପାରନ୍ତି ବୋଲି ଅନେକ ମତଦିଅନ୍ତି। ଯେଉଁ ନଦୀ ଦିନେ ଏହି ଲୋକଙ୍କ ଜୀବନଧାର ହୋଇରହିଥିଲା ବର୍ତମାନ ସେହି ନଦୀ ପାଇଁ ଲୋକଙ୍କୁ ସର୍ବସ୍ୱ ହରାଇବାକୁ ପଡ଼ିଛି। ଫଳରେ ହରଭଙ୍ଗା ଲୋକଙ୍କ ପାଇଁ ମହାନଦୀ ଦୁଃଖ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଜିଲ୍ଲାର ହରଭଙ୍ଗା ଗ୍ରାମ ମହାନଦୀ କୂଳରେ ଅବସ୍ଥିତ ରହିଥିବାବେଳେ ଏହି ତହସିଲର କୋଡାଶିଙ୍ଗା, ଅତଲସରା, ମାରଡା, ତିରଡ, କୁମାରୀ, ପାଣିଘରା, ଖଣ୍ଡିଧଳପୁର, ହାଟଗାଁ, କରଡି ଭଳି ୫୫ଟି ରାଜସ୍ୱ ଗ୍ରାମ ପୂରା ନଦୀକୂଳରେ ଅବସ୍ଥିତ। ମହାନଦୀ ପଠାରେ ରହିଥିବା ଉର୍ବର ପଟୁମାଟିରେ ଭଲ ଚାଷବାସ ଏବଂ ଜଳସେଚନ ସୁବିଧା ଆଶାରେ ଲୋକେ ନଦୀକୂଳରେ ବସତି ସ୍ଥାପନ କରି ବେଶ ଆରାମରେ ଜୀବନ କାଟୁଥିଲେ। ସେତେବେଳେ ମହାନଦୀରେ ନୌକା ସାହାଯ୍ୟରେ କଟକ, ବଡମ୍ବା, ନରସିଂହପୁର ଅଂଚଳରୁ ବେପାର ବାଣିଜ୍ୟ ପାଇଁ ହରଭଙ୍ଗାକୁ ବହୁ ପରିମାଣରେ ଲୋକ ଆସୁଥିଲେ। ଯାହାଦ୍ୱାରା ସୁଦୀର୍ଘ କଟକ ଅଂଚଳରୁ ଆସୁଥିବା ଏହି ବ୍ୟବସାୟୀଙ୍କ ଚାହିଦା ମଧ୍ୟରେ ପ୍ରମୁଖ ଖାଦ୍ୟ ଶସ୍ୟ ରହିଥିଲା ବଉଦିଆ ଚାଉଳ, ଡାଲି, ବିରି, କୋଳଥ, ମୁଗ, ଧାନ, ଗୁଡ, ହାଣ୍ଡି, ମାଠିଆ ଆଦି ନୌକା ସାହାଯ୍ୟରେ ବହୁପରିମାଣରେ ବେପାର ବଣିଜ କରୁଥିଲେ। ଏହି ଦୃଷ୍ଟିକୋଣରୁ ହରଭଙ୍ଗା ଏକ ନୌବାଣିଜ୍ୟ କେନ୍ଦ୍ରର ମାନ୍ୟତା ମଧ୍ୟ ପାଇଥିଲା। ଦିନକୁ ଦିନ ମହାନଦୀର ଗତିପଥ ବଦଳିବା ସହିତ ନଦୀ ଶଯ୍ୟା ବାଲିରେ ପୋତିହେବା ସାଙ୍ଗକୁ କୂଳ ଖାଇ ନଦୀ ଧିରେ ଧରେ ଗାଁ ମୁହାଁ ହେଲାଣି। ଫଳରେ ନଦୀ କୂଳରେ ରହିଥିବା ଗାଁ ଗୁଡିକ ମହାନଦୀ ଗର୍ଭରେ ଲୀନ ହେବା ଯଥେଷ୍ଟ ଆଶଙ୍କା ଦେଖାଦେଲାଣି। ଏବଂ ନଦୀ କୂଳୀଆ ଚାଷଜମିଗୁଡିକ ପ୍ରତିବର୍ଷ ବନ୍ୟାରେ ପ୍ରଭାବିତ ହୋଇ ନଦୀ ଗର୍ଭରେ ମିଶିବାକୁ ବସିଲାଣି। ଏବଂ ଦୁଇ, ତିନିବର୍ଷ ବ୍ୟବଧାନରେ ଥରେ ଥରେ ମହାନଦୀର ପ୍ରଳୟଙ୍କାରୀ ବନ୍ୟାରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବା ସହିତ ଘରଭଙ୍ଗା ଏବଂ ଫସଲ ଜନିତ କ୍ଷୟକ୍ଷତି ଯୋଗୁଁ ନଦୀକୂଳିଆ ଜମିରୁ ଚାଷୀ ଚାଷ ପାଇଁ ଆଶା ଛାଡିଦେଲାଣି। ଦିନେ ନୌବାଣିଜ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହରଭଙ୍ଗା ଏବଂ ବାଲି ବାଣିଜ୍ୟ ପାଇଁ ପ୍ରସିଦ୍ଧି ଲାଭକଲାଣି। ମେସିନ ସାହାଯ୍ୟରେ ବେଆଈନ ବାଲି ଖନନନ ଯୋଗୁଁ ନଦୀ ଗର୍ଭରେ ବଡ ବଡ ଗର୍ତ ସୃଷ୍ଟି ହେଲାଣି। ଏହା ସହିତ ବଡ ବଡ ଭାରିଯାନରେ ମହାନଦୀରୁ ବାଲି ପରିବହନ ଯୋଗୁଁ ନଦୀତଟ ନଷ୍ଟ ହେବା ସହିତ ନଦୀ ଅବବାହିକା ଗାଁ ପାଇଁ ଏହା ବଡ ବିପଦ ସୃଷ୍ଟି କଲାଣି।
ଅନ୍ୟପଟେ ମହାନଦୀ ଉପରେ ଖରଶଙ୍କୁଲେଇଠାରେ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ନିର୍ମାଣକାର୍ଯ୍ୟ ଯୋଗୁଁ ଆଗକୁ ନଦୀ ଉପତ୍ୟକା ଗାଁଗୁଡିକର ଗୁରୁତ୍ୱ ବେଶ୍ ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ ଦେଖାଦେଲାଣି। ଏହା ସହିତ ମହାନଦୀର ପାଣିଘରା ଘାଟରୁ ମେଗା ପାଈପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେଲାଣି। ଯାତାୟତ, ବାଣିଜ୍ୟ, ଚାଷ, ପିଇବାପାଣି, ନଦୀବାଲି ସବୁ ଦୃଷ୍ଟିକୋଣରୁ ମହାନଦୀ ଲୋକଙ୍କ ପାଇଁ ଗୁରତ୍ୱ ରଖୁଛି। ତେଣୁ ମହାନଦୀ ଏବେ ବି ଲୋକଙ୍କ ଜୀବନଧାରା ହୋଇରହିଛି। ମହାନଦୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନଦୀତଟସୁରକ୍ଷା ପାଇଁ ବୌଦ୍ଧରୁ ହରଭଙ୍ଗା-ମାରଡା ପର୍ଯ୍ୟନ୍ତ ସୁଦୀର୍ଘ ଆଡିବନ୍ଧ ନିର୍ମାଣ ଜରୁରୀ ରହିଛି। ନଦୀ ତଟସୁରକ୍ଷାହେଲେ ନଦୀ ଉପତ୍ୟକତାରେ ରହିଥିବା ୫୫ରୁ ଊର୍ଦ୍ଧ୍ବ ରାଜସ୍ୱ ଗାଁ ସହିତ ହେକ୍ଟର ହେକ୍ଟର ଚାଷଜମିର ସୁରକ୍ଷା ହୋଇପାରିବ। ଏହା ସହିତ ଉତର-ପଶ୍ଚିମ-ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗ ପାଇଁ ନିର୍ମାଣହୋଇଥିବା ଧଳପୁର-ଆଠମଲ୍ଲିକ ସେତୁକୁ ସଂଯୋଗ କରୁଥିବା ଦୀର୍ଘ ୪୦କିଲୋମିଟର ଜଗନ୍ନାଥ ସଡକ ମଧ୍ୟ ବନ୍ୟା ଦାଉରୁ ରକ୍ଷା ହୋଇପାରିବ। ସବୁ ଦୃଷ୍ଟିକୋଣରୁ ବିଚାରକରାଗଲେ ସମ୍ପ୍ରତି ମହାନଦୀ ତଟସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତପ୍ରକାଶ ପାଉଛି। ଏ ଦିଗରେ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠିଛି।
Comments are closed.