ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ

ସୋର: ସ୍ତ୍ରୀ ବେକକୁ ହାଣି ହତ୍ୟା କଲା ସ୍ବାମୀ। ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ପାର୍ଥି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ପାରିବାରିକ କାରଣରୁ ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ବାମୀ ଗିରଫ।
ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ସ୍ତ୍ରୀଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ସ୍ବାମୀ ବିଷ ପିଇଦେଇଥିବା ଜଣାପଡ଼ିଛି। ବିଷ ପିଇବା ପରେ ସ୍ବାମୀ ଗୁରୁତର ହୋଇପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁରୁତର ଆହତ ହୋଇଥିବା ମୃତ ମହିଳାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରିଛି।
ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ପାର୍ଥି ଗାଁର ମନୋରଞ୍ଜନ ଦାସ ଓ ଯଶୋଦାଙ୍କ ମଧ୍ୟରେ ଆଜି କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ସ୍ତ୍ରୀ ଯଶୋଦା ବିଲ ରାସ୍ତାରେ ଚାଲି ଚାଲି ବାପ ଘରକୁ ପଳାଉଥିଲେ। ଏକଥା ଜାଣିବା ପରେ ମନୋରଞ୍ଜନଙ୍କ ଅତ୍ୟଧିକ ରାଗି ଯାଇଥିଲା। ଏହାପରେ ମନୋରଞ୍ଜନ କଟୁରୀରେ ସ୍ତ୍ରୀ ଯଶୋଦାଙ୍କୁ ପଛପାର୍ଶ୍ୱରେ ଚୋଟ ପରେ ଚୋଟ ପକାଇ ଥିଲା। ଫଳରେ ସେହି ବିଲରେ ଟଳି ପଡ଼ିଥିଲେ ଯଶୋଦା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷ ପିଇ ଦେଇଥିଲେ ମନୋରଞ୍ଜନ। ଏହା ପରେ ସେ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିଲେ। ଗାଁ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଏବଂ ତାଙ୍କୁ ଆଣିବା ବେଳେ ସେ ବାନ୍ତି କରିବାରୁ ବିଷ ପିଇ ଦେଇଥିବା ଜାଣି ଗାଁ ଲୋକେ ମନୋରଞ୍ଜନକୁ ବିଲରେ ପକାଇ ଆସିଥିଲେ।
ସିମୁଳିଆ ଥାନା ପୁଲିସ ସେଠାରୁ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନାଦେଇଛି।

Comments are closed.