www.samajalive.in
Sunday, December 14, 2025
26.1 C
Bhubaneswar

ସେଭରଡନେସ୍କ ଛାଡ଼ିଲେ ୟୁକ୍ରେନ ସୈନ୍ୟ

କିଭ୍‍: ରୁଷ ସୈନ୍ୟମାନେ ୟୁକ୍ରେନର ସେଭରଡନେସ୍କକୁ ପ୍ରାୟତଃ ନିଜ ଅକ୍ତିଆରକୁ ନେଇଥିବା ବେଳେ ସେଠାରେ ସେମାନଙ୍କର ମୁକାବିଲା କରୁଥିବା ଅବଶିଷ୍ଟ ସୈନ୍ୟମାନେ ପଛକୁ ହଟିଯାଇଛନ୍ତି। ସହରର ପ୍ରମୁଖ ସ୍ଥାନରୁ ସେମାନଙ୍କୁ ପ୍ରତ୍ୟାହାର କରିନିଆଯାଇଥିବା ସହରର ମେୟାର ଓଲେକ୍‍ଜାଣ୍ଡର ଷ୍ଟ୍ରାୟୁକ୍‍ କହିଛନ୍ତି। ୟୁକ୍ରେନ ସରକାର ନିଜ ସୈନ୍ୟଙ୍କର ମୃତାହତ ହେବା ଆଶଙ୍କା ହ୍ରାସ କରିବା ଏବଂ ସେମାନଙ୍କୁ ପୁନଃ ସଂଗଠିତ କରିବା ଉଦ୍ଦେଶ୍ୟରେ ସେଠାରୁ ଫେରାଇ ନେଇଥିବା କହିଛନ୍ତି। ଅନ୍ୟପକ୍ଷରେ ରୁଷ ପାଇଁ ଏହା ଏକ ବିରାଟ ବିଜୟ ହୋଇଛି। ଆମେରିକା ଯୋଗାଇ ଦେଇଥିବା ଏଚଆଇଏମଏଆରଏସ୍‍ ରକେଟ ବ୍ୟବସ୍ଥାକୁ ୟୁକ୍ରେନ ବ୍ୟବହାର କରୁଛି ଏବଂ ଉକ୍ତ ଦେଶରେ ରୁଷ ସୈନ୍ୟ ଅଧିକାର କରିଥିବା ଅଞ୍ଚଳ ଉପରେ ଏହା ସହାୟତାରେ ଆକ୍ରମଣ ଜାରି ରହିଥିବା ୟୁକ୍ରେନର ଜେନେରାଲ ଷ୍ଟାଫ ଭେଲେରି ଜାଲୁଝନଭି କହିଛନ୍ତି। ୟୁକ୍ରେନ ପରେ ମଲଡୋଭା ଉପରେ ରୁଷ ଆକ୍ରମଣ ଆଶଙ୍କା ବୃଦ୍ଧିପାଇଥିବାବେଳେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି ଯେ ତାଙ୍କ ଦେଶ ମଲଡୋଭା ସହିତ ଛିଡାହୋଇଛି।

ଇତିମଧ୍ୟରେ ଜର୍ମାନୀ ପକ୍ଷରୁ ୟୁକ୍ରେନକୁ ୧ ବିଲିଅନ ୟୁରୋ ସହାୟତା ଆକାରରେ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ୟୁକ୍ରେନ ଅର୍ଥମନ୍ତ୍ରୀ ସର୍ଗି ମାର୍‍ସେଙ୍କୋ ଏବଂ ଜର୍ମାନୀର ଅର୍ଥମନ୍ତ୍ରୀ କ୍ରିଷ୍ଟିଆନ୍‍ ଲିଣ୍ଡନର୍‍ ଶୁକ୍ରବାର ଏ ସମ୍ପର୍କିତ ଏକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଉକ୍ତ ପାଣ୍ଠି ସାମରିକ ଶାସନ ସମୟରେ ୟୁକ୍ରେନରେ ସାମାଜିକ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୟୁକ୍ରେନର ରାଷ୍ଟ୍ରୀୟ ବଜେଟକୁ ଯୋଗାଇ ଦିଆଯିବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ନିୟନ୍ତ୍ରଣରେ ପରିଚାଳିତ ଆକାଉଣ୍ଟ ଜରିଆରେ ଏହି ପାଣ୍ଠି ୟୁକ୍ରେନକୁ ଉପଲବ୍ଧ ହେବ ବୋଲି ଜଣାଯାଇଛି। ଇତିମଧ୍ୟରେ ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବଭାଗରେ ଆଉ ଏକ ସହର ଅବରୋଧ କରିବାକୁ ଉଦ୍ୟମ କରୁଥିବା ଲୁହାନସ୍କ ଅଞ୍ଚଳର ଗଭର୍ଣ୍ଣର ସେରହି ହାଇଦାଇ କହିଛନ୍ତି। ସେ କହିଛନ୍ତି ଯେ ରୁଷ ସୈନ୍ୟମାନେ ସେଭରଡନେସ୍କ ନିକଟରେ ଅବସ୍ଥିତ ଲିସିଚାନସ୍କ ସହର ଅଧିକାର କରିବାକୁ ଲଢେଇ ଜାରି ରଖିଛନ୍ତି। ୟୁକ୍ରେନର ବିଭିନ୍ନ ସ୍ଥାନରେ ଥିବା ସାମରିକ ସ୍ଥଳଗୁଡିକ ଉପରେ ରୁଷ ପକ୍ଷରୁ ଘନ ଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି। ପଶ୍ଚିମ ୟୁକ୍ରେନର ଲଭିଭ୍‍ ଅଞ୍ଚଳର ଗଭର୍ଣ୍ଣର ମାକ୍ସିମ କୋଜଭସ୍କି କହିଛନ୍ତି, କୃଷ୍ଣ ସାଗରରେ ଥିବା ୟାଭୋରିଭ ଘାଟିରୁ ଏକାଥରକେ ଛଅଟି କ୍ଷେପଣାସ୍ତ୍ର ମାଡ କରାଯାଇଛି। ସେଥିରୁ ଚାରିଟି ୟୁକ୍ରେନର ସାମରିକ ସ୍ଥଳ ଉପରେ ପଡ଼ିଥିବାବେଳେ ଅନ୍ୟ ଦୁଇଟିକୁ ୟୁକ୍ରେନର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା। ଜାଇତୋମିର୍‍ ସହରର ଅତି ନିକଟରେ ଥିବା ଏକ ସାମରିକ ସ୍ଥଳ ଉପରେ ପ୍ରାୟ ୩୦ଟି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ଉକ୍ତ ସହରର ମେୟର ବୁନେଚ୍‍କୋ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories