୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା; ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବନି ସରକାରୀ ଓ ବେସରକାରୀ ଅନୁଷ୍ଠାନ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ହତ୍ୟା, ଲୁଟ, ଛିନ୍ତାଇ ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅପରାଧକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହେଉଛି । ଏଥିପାଇଁ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସବୁ ବର୍ଗରେ ଅଙ୍ଗୁଳି ନିର୍ଦେଶ କରାଯାଇଛି । ଜିଲ୍ଳାରେ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାକୁ ସଜାଡ଼ିବା ତଥା ଏସ୍ପିଙ୍କ ବଦଳି ଦାବିରେ ଆଜି ବାଲେଶ୍ୱର ୧୨ଘଣ୍ଟିଆ ବନ୍ଦ କରାଯାଇଛି ।
ବାଲେଶ୍ୱର ଆଇନଜୀବୀ ସଂଗଠନ, ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ପଥ ବିକ୍ରେତା ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ୟୁଟିୟୁସିଲେନିନ ସରଣୀ, ଟିୟୁସିସି ସମେତ ବିଭିନ୍ନ ଶ୍ରମିକ ସଂଗଠନ, ବିଜେପି, ବାମପନ୍ଥୀ ଓ କଂଗ୍ରେସ ଦଳ ପ୍ରଭୃତି ଏହି ବନ୍ଦରେ ସାମିଲ ରହିଛନ୍ତି । ବାଲେଶ୍ୱର ସହର ସମେତ ନୀଳଗିରି, ଜଳେଶ୍ୱର, ସୋର, ସିମୁଳିଆ, ବାହାନଗା, ଭୋଗରାଇ, ଖଇରା, ଔପଦା, ବସ୍ତା ପ୍ରଭୃତି ବ୍ଲକରେ କ୍ରମାଗତଭାବେ ଅପରାଧୀ ମାନେ ପତିଆରା ଜାହିର କରୁଥିବା ବେଳେ ପୁଲିସ ସେମାନଙ୍କୁ ପ୍ରତିହତ କରିବାରେ ବିଫଳ ହୋଉଛି । ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୁଲିସ ଆକ୍ରମଣ କରିବା ଏବଂ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । କିନ୍ତୁ ସମ୍ପୃକ୍ତ ସାମ୍ବାଦିକ ଅସୁସ୍ଥ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିବା ସମୟରେ ପୁଲିସ ତାଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ।
ଏନେଇ ନୀଳଗିରି ବନ୍ଦ କରାଯିବା ପରେ ଆଇଆଇସି ଦ୍ରୌପଦୀ ଦାସ ଓ ସବଇନ୍ସପେକ୍ଟର ସୁବର୍ଣ୍ଣ ବେହେରାଙ୍କୁ ନୀଳଗିରି ଥାନାରୁ ବଦଳି କରାଯାଇଥିଲେ ହେଁ କିଛିଦିନ ଗଡ଼ିଯିବା ପରେ ଏସ୍ପି ଶ୍ରୀ ମିଶ୍ର ସମ୍ପୃକ୍ତା ସବଇନ୍ସପେକ୍ଟରଙ୍କୁ ପୁଣିଥରେ ନୀଳଗିରି ଥାନାରେ ନିଯୁକ୍ତି ଦେଇଛନ୍ତି । ସେହିପରି ଆଇଆଇସି ଶ୍ରୀମତୀ ଦାସ ଏଯାବତ ନୀଳଗିରି ଥାନା କ୍ୱାର୍ଟର ଛାଡ଼ି ନାହାଁନ୍ତି । ଆଇନ ଶୃଙ୍ଖଳାକୁ ନେଇ ବିଭିନ୍ନ ବର୍ଗରେ ପୁଞ୍ଜୀଭୂତ ହୋଇଥିବା ଅସନ୍ତୋଷ ଆଜି ଆନ୍ଦୋଳନରେ ପରିଣତ ହୋଇଛି । ବାଲେଶ୍ୱର ବନ୍ଦ ଯୋଗୁ ସହରର ବସଷ୍ଟାଣ୍ଡ, ଫାଣ୍ଡିଛକ, ଆଜିମାବାଦ, ଗୋଳାପୋଖରୀ, ମଣ୍ଡଳ ବଜାର, ମୋତିଗଞ୍ଜ, ଫକୀରମୋହନ ଗୋଲେଇ, ଷ୍ଟେସନ ଛକ ପ୍ରଭୃତି ବିଭିନ୍ନ ଅଞ୍ଚଳର ଖାଁ ଖାଁ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
Comments are closed.