ସୁନ୍ଦରଗଡ଼: କଟକର ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀଙ୍କ ଗତ ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହାସପାତାଳରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସେଠୀ ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ରାଜ୍ୟ ପୁଲିସ ମହଲରେ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଘରୋଇ ହାସପାତାଳରେ ଚିକିତ୍ସାଧୀନ ଥିବାବେଳେ ଗତ ମଧ୍ୟାହ୍ନରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ସହ ସନ୍ଧ୍ୟାରେ ପରଲୋକ ଗମନ କରିଥିଲେ।
ସୂଚନାଯୋଗ୍ୟ ସେ ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝର ପୁଲିସ ଜିଲାରେ ଅଧିକାରୀଭାବେ ଅବସ୍ଥାପିତ ଥିବା ବେଳେ ବହୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହ ମୁକାବିଲା କରିବାରେ ସକ୍ଷମ ହୋଇଥିଲେ। ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପୋକାରୀ, ଇଶ୍ବରବିଶ୍ବାସୀ ଅଧିକାରୀ ଥିବାରୁ ତାଙ୍କ ବିୟୋଗରେ ବିଭାଗ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ବିଧବା ପତ୍ନୀ, ଏକମାତ୍ର ପୁଅ, ବୋହୂ ଓ ନାତୁଣୀକୁ ସେ ଛାନି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ପୁଲିସ ବିଭାର ବହୁ ପଦସ୍ଥ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ଶୋକ ବ୍ୟକ୍ତ କରି ପରିବାରବର୍ଗଙ୍କୁ ସମବେଦନା ଓ ଶାନ୍ତ୍ବନା ଜଣାଇଛନ୍ତି।



