www.samajalive.in
Sunday, December 14, 2025
26.1 C
Bhubaneswar

ଏଥର ଗର୍ଜିଲା ପୁଲିସ ବନ୍ଧୁକ: ଚକରା ଆହତ, ଖସିଗଲେ ସହଯୋଗୀ

୨ ବନ୍ଧୁକ, ୪ ଗୁଳି, ୬ ବୋମା, କାର ଜବତ
ବରମୁଣ୍ଡା ଖେଳ ପଡିଆ ପାଲଟିଲା ରଣକ୍ଷେତ୍ର

ଖଣ୍ଡଗିରି: କିଛି ଦିନ ହେବ ରାଜଧାନୀରେ ଅପରାଧୀ ମାନଙ୍କ ବନ୍ଧୁକ ଗର୍ଜନ କରୁଥିଲା। ଲୁଟିଆମାନେ ଗୁଳି ଫୁଟାଇ ରାଜଧାନୀରେ ବେଧଡକ୍ ଲୁଟ ପାଟ କରୁଥିଲେ। ଏଥର ପୁଲିସ ପାଲଟା ଜବାବ ଦେଇଛି। ପୁଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଘଟିଥିବା ଏନକାଉଁଣ୍ଟର ବେଳେ ଚକରା ଗ୍ୟାଙ୍ଗର ପ୍ରାୟ ୪/୫ ଜଣ ସହଯୋଗୀ ଘଟଣାସ୍ଥଳରୁ ଖସି ଯାଇଛନ୍ତି। ପୁଲିସ ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ, ୪ ଗୁଳି, ୬ ବୋମା ଓ କାର ଜବତ କରିଛି। ଚକରାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ଡାକ୍ତରଖାନା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଚକରା ଡାହାଣ ଗୋଡ ଆଣ୍ଠୁ ତଳେ ଗୁଳି ମାଡ଼ ହୋଇଛି। ସେପଟେ ଅପରାଧୀମାନଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ପୁଲିସ ମଧ୍ୟ ଆହତ ହୋଇଛନ୍ତି।

- Advertisement -

ପୁଲିସ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ଖେଳ ପଡିଆରେ ୫/୬ ଜଣ ଯୁବକ ଏକାଠି ମଦ୍ୟପାନ କରୁଥିବା ଖବର ପୁଲିସ ପାଖରେ ପହଁଚିଥିଲା। ସେମାନେ ଚକରା ବାରିକ ଗ୍ୟାଙ୍ଗ ଲୋକ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରୁ ଡକାୟତି କରିବା ଯୋଜନା କରୁଥିବା ଖବର ମଧ୍ୟ ପହଁଚିଥିଲା। ଚକରା ଗ୍ୟାଙ୍ଗ ବୋଲି ଖବର ଜାଣିବା ପରେ ପୁଲିସ ତତ୍ପର ହୋଇଉଠିଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଓ ସ୍ବତନ୍ତ୍ର ଦଳ ଯୋଜନା ବଦ୍ଧ ଭାବେ ଚକରା ଗ୍ୟାଙ୍ଗକୁ ଘେରିଥିଲେ। ପୁଲିସ ଚଢାଉ ଜାଣିବା ମାତ୍ରେ ଚକରା ଗ୍ୟାଙ୍ଗ ଆକ୍ରମଣାତ୍ମକ ହୋଇ ଉଠିଥିଲା। ଅପରାଧିମାନେ ପୁଲିସ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇ ଥିଲେ। ତେଣୁ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଦୁବୃର୍ତ୍ତ ମାନେ ପ୍ରାୟ ୪/୫ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଉଛି। ଅପରାଧୀ ଓ ପୁଲିସ ଧସ୍ତାଧସ୍ତିରେ ଖଣ୍ଡଗିରି ଥାନାର ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଅନ୍ଧାରର ସୁଯୋଗ ନେଇ ସହଯୋଗୀମାନେ ଖସି ଯାଇଥିଲେ ବି ଚକରାକୁ ସ୍ବତନ୍ତ୍ର ଭାବେ ଟାର୍ଗେଟ କରିଥିଲା ପୁଲିସ। କମିସନରେଟ ପୁଲିସ କବଳରୁ ସେ ଖସିପାରିନଥିଲା। ପୁଲିସ ଗୁଳି ଚକରାର ଡାହାଣ ଗୋଡର ଆଣ୍ଠୁ ପାଖରେ ବାଜିଥିଲା। ଚକରା ତଳେ ପଡ଼ିଯିବା ପରେ ତାକୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ଅନ୍ୟ ସହଯୋଗୀମାନେ ଖସି ପଳାଇ ଯାଇଥିଲେ।

ଡିସିପି ପ୍ରତିକ୍ ସିଂଙ୍କ ସୂଚନା ଅନୁସାରେ ଚକରା ଏକ କୁଖ୍ୟାତ ଅପରାଧି। ତା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୨୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ଦାଦାବଟି ଆଦାୟ, ଡକାୟତି, ଚୋରି, ଲୁଟ୍, ରାହାଜାନୀ, ଛିନତାଇ ଭଳି ସଙ୍ଗିନ ମାମଲା ତା ନାଁରେ ଅଛି। ଏମିତିକି ଜାତୀୟ ରାଜପଥରେ ମାଲବାହୀ ଗାଡିମାନଙ୍କୁ ଅଟକାଇ ଲୁଟିବା ଅଭିଯୋଗ ମଧ୍ୟ ଚକରା ଗ୍ୟାଙ୍ଗ ନାଁରେ ଅଛି। ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗଞ୍ଜାମର ଦୁର୍ଦାନ୍ତ ଅପରାଧୀ ରବି ରାଓ ଗ୍ୟାଙ୍ଗର ଚକରା ଏକ ସଦସ୍ୟ ଥିଲା। ଗଞ୍ଜାମରୁ ଭୁବନେଶ୍ୱର ଯାଏଁ ଡକାୟତି କରିବାରେ ଏହି ଗ୍ୟାଙ୍ଗ ବେଶ୍ ସକ୍ରିୟ ଥିଲା। ଗତ କିଛି ବର୍ଷ ପୂର୍ବେ କମିସନରେଟ ପୁଲିସ ରବି ରାଓକୁ ଏନକାଉଁଟର କରିଥିଲା। ଏହା ପରେ ଚକରା ଏକ ଅଲଗା ଗ୍ୟାଙ୍ଗ ଗଢି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ପ୍ରଥମେ କଲେଜ ପିଲାଙ୍କ ଠାରୁ ଦାଦା ବଟି ଆଦାୟରୁ ଆରମ୍ଭ ହୋଇଥିଲା ବଡ଼ ଧରଣର ଅପରାଧ।

ଆଜି ସକାଳୁ ବରମୁଣ୍ଡା ଖେଳ ପଡିଆରେ ପୁଲିସ ଟିମ୍ ସହ ବୈଜ୍ଞାନିକ ଦଳ ଓ ବୋମା ନିଷ୍କ୍ରିୟକାରି ଦଳ ପହଁଚି ଥିଲେ। ପଡିଆରୁ ଖୋକା ଜବତ କରିବା ସ‌ହ ମଦ ବୋତଲ, ଦୁଇଟି ମୋବାଇଲ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରାଯାଇଥିଲା। ବୋମା ନିଷ୍କ୍ରିୟକାରି ଦଳ ବୋମା ଗୁଡିକୁ ନିଷ୍କ୍ରିୟ କରିଦେଇଥିଲେ। ଚକରା ବାରିକର ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି। ଗତକାଲି ଏହି ଅପରେସନରେ ସ୍ବତନ୍ତ୍ର ଦଳ ଏସିପି ସଞ୍ଜିବ ଶତପଥୀ, ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories