ବେଦାନ୍ତକୁ ୨୫ କୋଟି ଜୋରିମାନା
ନୂଆଦିଲ୍ଲୀ : ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼଼ ସ୍ଥିତ ଆଲମୁନିଅମ ରିଫାଇନରୀ କାରଖାନା ସମ୍ପ୍ରସାରଣରେ ପରିବେଶ ଆଇନ ଉଲ୍ଲଙ୍ଘନ ନେଇ ଜାତୀୟ ସବୁଜ ପ୍ରାଧିକରଣ କମ୍ପାନୀକୁ ୨୫ କୋଟି ରାଶି ଜୋରିମନା କରିଛନ୍ତି। ଏନଜିଟି ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠଙ୍କ ନିର୍ଦେଶ ଅନୁଯାୟୀ ବେଆଇନ ସମ୍ପ୍ରସାରଣ ବାବଦରେ ଜୋରିମାନା ରାଶିକୁ କମ୍ପାନୀ କର୍ତ୍ତୃପକ୍ଷ ଏକ ମାସ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଜମା କରିବେ। ଜୋରିମନା ରାଶି ଜମା ଲାଗି ସ୍ୱତନ୍ତ୍ର ବ୍ୟାଙ୍କ ଖାତା ଖୋଲା ଯିବ ଏବଂ ପରିବେଶ ପୁନରୁଦ୍ଧାର ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।
କଳାହାଣ୍ଡିର ଲାଞ୍ଜିଗଡ଼ ଠାରେ ବେଦାନ୍ତ ଆଲୁମୁନା ରିଫାଇନରୀ କ୍ଷମତା ୧ ଏମପିଟିଏରୁ ୪ ଏମପିଟିଏକୁ ବୃଦ୍ଧି ଏବଂ କ୍ୟାପଟିଭ ପାୱାର ପ୍ଲାଣ୍ଟ କ୍ଷମତା ୭୫ ମେଗାୱାଟରୁ ୨୮୫ ମୋଗାୱାଟକୁ ବୃଦ୍ଧି ଲାଗି କମ୍ପାନୀକୁ ୨୦ ନଭେମ୍ବର ୨୦୧୫ରେ ପରିବେଶ ମଞ୍ଜୁରୀ ମିଳିଥିଲା। ପରିବେଶ ଅନୁମତିକୁ ବିରୋଧ କରି ୨୦୧୬ରେ ପରିବେଶବିତ୍ ପ୍ରଫୁଲ ସାମନ୍ତରା ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନଜିଟିଙ୍କ ରାୟରେ ଦର୍ଶାଯାଇଛି ଯେ ପରିବେଶ ଅନୁମତି ମିଳିବା ପୂର୍ବରୁ କାରଖାନାର ଆଂଶିକ ସମ୍ପ୍ରସାରଣ ସମ୍ପର୍କିତ ଆଗତ ମାମଲାକୁ ରଦ୍ଦ କରାଯାଇପାରିବ ନାହିଁ। ପରିବେଶ ଆଇନ ଉଲ୍ଲଙ୍ଘନ ପ୍ରସଙ୍ଗରେ ବେଦାନ୍ତ କମ୍ପାନୀକୁ ଉତ୍ତରଦାୟୀ ହେବାକୁ ପଡ଼ିବ। ୨୦୦୬ ଇଆଇଏ ବିଜ୍ଞପ୍ତି ଅନୁଯାୟୀ କାରଖାନା ନିର୍ମାଣ ଅଥବା ସମ୍ପ୍ରସାରଣ ପୂର୍ବରୁ ପରିବେଶ ଅନୁମତି ନିହାତି ଆବଶ୍ୟକ। ତେଣୁ ପଲ୍ୟୁଟର ପେ ପ୍ରିନସଲପଲ ଅନୁଯାୟୀ ପରିବେଶ ଆଇନ ଉଲ୍ଲଙ୍ଘନ ପାଇଁ କ୍ରମିନାଲ ପ୍ରେସିଡିଂ ଅଥବା କ୍ଷତିପୂରଣ ଆଦାୟ ପ୍ରୋସିଡିଂରୁ କମ୍ପାନୀକୁ ଛଡ଼ାଯାଇ ପାରିବ ନାହିଁ। ତେଲ ନଦୀରୁ କମ୍ପାନୀକୁ ଆବଶ୍ୟକ ଜଳ ଯୋଗାଣ ପ୍ରସଙ୍ଗରେ ଏନଜିଟି ଟିପ୍ପଣୀ କରିଛନ୍ତି ଯେ ଜଳଯୋଗାଣ ନିସର୍ତ୍ତ ଅଥବା ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥିର ରହିବା ଉଚିତ ନୁହେଁ। ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଜଳଯୋଗାଣର ପ୍ରଭାବ ବିଷୟରେ ଆକଳନ କରାଯିବା ଆବଶ୍ୟକ। ପାନୀୟ ଜଳ, ଜଳସେଚନ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଭାବ ଆକଳନ କରିବାକୁ ଏନଜିଟି ଟିପ୍ପଣୀ କରିଛନ୍ତି। ସେହିପରି କାରଖାନାରୁ ନିର୍ଗତ ପାଉଁଶଗୁଣ୍ଡ ପରିଚାଳନା, ନାଲି କାଦୁଅ ବ୍ୟବହାର, ନିର୍ଗତ ହେଉଥିବା ଫ୍ଲୋରାଇଡ଼ ନିୟନ୍ତ୍ରଣ ସମେତ ପରିବେଶ ପୁନରୁଦ୍ଧାର ଏବଂ କ୍ଷତିପୂରଣ ଅର୍ଥର ସଠିକ୍ ବିନଯୋଗ ଲାଗି ଏନଜିଟି ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟ ଜଳସମ୍ପଦ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ଜଳ ଆୟୋଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟର ଆଞ୍ଚଳିକ କାର୍ୟ୍ୟାଳୟ ସଦସ୍ୟ ରହିବେ। ନୋଡାଲ ଏଜେନ୍ସି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କମିଟିରେ ସମନ୍ୱୟ ରକ୍ଷା ସହ ଏନଜିଟିଙ୍କ ରାୟକୁ କାର୍ୟ୍ୟକାରୀ କରିବ। ପରିବେଶ ଜନିତ ପ୍ରଭାବ ଆକଳନ ଲାଗି ଏକ ମାସ ମଧ୍ୟରେ ବୈଠକ ମାଧ୍ୟମରେ କମିଟି ଅତିରିକ୍ତ ସର୍ତ୍ତାବଳୀ ପ୍ରସ୍ତୁତ କରିବ। ସେହିପରି ତିନି ମାସ ମଧ୍ୟରେ ପରିବେଶ ଉପରେ ପଡ଼ିଥିବା ପ୍ରତିକୂଳ ପ୍ରଭାବ ଆକଳନ କରାଯିବ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ତେଲ ନଦୀରୁ ଜଳ ଉଠାଣ ଯୋଗୁଁ ପଡ଼ିଥିବା ପ୍ରତିକୂଳ ପ୍ରଭାବର ଆକଳନ ଲାଗି କମିଟି ଅତିରିକ୍ତ ସର୍ତ୍ତାବଳୀ ପ୍ରସ୍ତୁତ କରିବ। ସେହିପରି କମିଟି ଜୋରିମନା ରାଶି ଖର୍ଚ୍ଚ ଲାଗି ପରିବେଶ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିବେ ବୋଲି ନିଜ ରାୟରେ ଏନଜିଟି ସ୍ପଷ୍ଟ କରିଛନ୍ତି।
Comments are closed.