ତାତି ଖସାଇଲା କାଳବୈଶାଖୀ

ଭୁବନେଶ୍ବର : ନିଷ୍ଠୁର ନିଦାଘରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା ଆଜି ଆଶ୍ବସ୍ତି ଲାଭ କରିଛି। ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଗୁରୁବାର ଓ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରୁ ବର୍ଷା ସେଠାକାର ତାତିରେ ଅଙ୍କୁଶ ଲଗାଇଛି। ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଆସିଛି। ଏହାସତ୍ତ୍ବେ ୬ସହରରେ ସ‌େ‌ର୍ବାଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲା ଗୁଡିକରେ ପାରଦ ଯଥାକ୍ରମେ ୩୭ ଓ ୩୮ ଡିଗ୍ରୀ ମଧ୍ୟରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ତେଣୁ ପଶ୍ଚିମ, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାତିରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି।
ଶୁକ୍ରବାର ରାଜ୍ୟର ସର୍ବାଧିକ ତାପମାତ୍ରା ବଲାଙ୍ଗୀର ଏବଂ ଟିଟିଲାଗଡରେ ୪୧.୨ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ସୁବର୍ଣ୍ଣପୁର ୪୦.୩, ବୌଦ୍ଧ ୪୦.୫, ଭବାନୀପାଟଣା ଓ ଝାରସୁଗୁଡାରେ ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୩୩.୫ ଏବଂ କଟକରେ ୩୪ ଡିଗ୍ରୀ ଦିନ ତାପମାତ୍ରା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ବରଗଡ, ପୁରୀ ଏବଂ ଭୁବନେଶ୍ବରରେ ହାଲୁକା ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଖୋର୍ଦ୍ଧାରେ ସର୍ବାଧିକ ୮୬ ମିମି, ନୟାଗଡରେ ୮୪ ମିମି, ଭୁବନେଶ୍ବରରେ ୩୬.୫ ମିମି, ଚାନ୍ଦବାଲିରେ ୩୧.୬ ମିମି, ଅନୁଗୋଳରେ ୨୬.୬ ମିମି ବର୍ଷା ରେକର୍ଡ ହୋଇଛି।

kalyan agarbati

Comments are closed.