କରୋନା ହେଲା କାଳ : ଏସୀୟ କ୍ରୀଡ଼ା -୨୦୨୨ ସ୍ଥଗିତ
ବେଜିଂ : ପୁଣି ଥରେ କରୋନା ମହାମାରୀ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି। ବିଶେଷ କରି କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନରେ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚୀନର ହାଙ୍ଗଜୋରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ -୨୦୨୨କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଏ ନେଇ ଏସିଆନ ଅଲିମ୍ପିକ୍ସ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରୀଡ଼ା ମହାକୁମ୍ଭ କେବେ ହେବ ତାର ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଶୁକ୍ରବାର ତାସକେଣ୍ଟରେ ଆୟୋଜିତ ଏସିଆନ ଅଲିମ୍ପିକ୍ସ କାଉନସିଲ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ାକୁ ସ୍ଥଗିତ ରଖାଯିବା ନେଇ କାରଣ ଦିଆଯାଇନାହିଁ। ଚୀନରେ କରୋନା ମହାମାରୀ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ ରଖିବାର କାରଣ କରୋନା ବୋଲି କୁହାଯାଉଛି। ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ହାଙ୍ଗଜୋରେ ହେବା ନେଇ ଅଲିମ୍ପିକ୍ସ କାଉନସିଲ ଅଫ ଏସିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହାଙ୍ଗଜୋ ସାଙ୍ଘାଇ ଠାରୁ ୧୭୫ କିଲୋମିଟର ଦୂରରେ ଅବସ୍ଥିତ। ଚୀନର ସବୁଠାରୁ ବଡ ସହର ସାଙ୍ଘାଇରେ କରୋନା ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି। ଏଠାରେ ଏବେ ତାଲାବନ୍ଦ ଘୋଷଣା କରାଯାଇଛି। ଗୋଟିଏ ଦିନରେ ୩୧୨୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏସୀୟ କ୍ରୀଡ଼ା ୪ ମାସ ରହିଥିବାବେଳେ ସ୍ଥିତି ସୁଧୁରିବା ଆଶା କମ୍ ଲକ୍ଷ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏସୀୟ କ୍ରୀଡ଼ାକୁ ସ୍ଥଗିତ କରାଯାଇଥିବା କୁହାଯାଉଛି। ଗତମାସରେ ଏସୀୟ କ୍ରୀଡ଼ା ଆୟୋଜକ ପକ୍ଷରୁ କୁହାଯାଇଥିଲା ଯେ, ୧୨ ମିଲିୟନ ଜନସଂଖ୍ୟା ବିଶିଷ୍ଟ ହାଙ୍ଗଜୋରେ କ୍ରୀଡ଼ା ମହାକୁମ୍ଭ ପାଇଁ ୫୬ଟି ପ୍ରତିଯୋଗିତା ଭେନ୍ୟୁ ତିଆରି କରାଯାଇଛି। ଏହି ସ୍ଥାନ ଗୁଡ଼ିକରେ ଉଭୟ ଏସୀୟ କ୍ରୀଡ଼ା ଓ ପାରା ଏସୀୟ କ୍ରୀଡ଼ା ଖେଳାଯିବ। ବେଜିଂରେ ଅନୁଷ୍ଠିତ ଶୀତକାଳୀନ ଅଲିମ୍ପିକ୍ସକୁ ଯେଉଁଭଳି ଭାବେ କଟକଣା ମଧ୍ୟରେ ଆୟୋଜନ କରାଯାଇଥିଲା ଏସୀୟ କ୍ରୀଡ଼ାକୁ ମଧ୍ୟ ଅନୁରୂପ ଢଙ୍ଗରେ ଆୟୋଜନ କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ସବୁ ସମ୍ଭାବନାରେ ପୁର୍ଣ୍ଣଛେଦ ପଡିଛି।ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୧ ହଜାର କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବାବେଳେ ୬୧ଗୋଟି କ୍ରୀଡ଼ା ଶୃଙ୍ଖଳାେର ପ୍ରତିଯୋଗିତା ଆୟୋଜିତ ହେବାକୁ ସ୍ଥିର ହୋଇଥିଲା। ସ୍ଥଗିତ ୨୦୨୨ ଏସୀୟ କ୍ରୀଡ଼ା ୨୦୨୩ରେ ଆୟୋଜିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପରବର୍ତ୍ତୀ ଏସୀୟ କ୍ରୀଡ଼ା ୨୦୨୫ ତାସକେଣ୍ଟର ଉଜବେକିସ୍ତାନରେ ହେବ। ସେହିପରି ଆସନ୍ତା ଡିସେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଚୀନର ସାନ୍ତାଉରେ ହେବାକୁ ଥିବା ୩ୟ ଏସୀୟ ଯୁବ କ୍ରୀଡ଼ାକୁ ମଧ୍ୟ ବାତିଲ କରିଦିଆଯାଇଛି।
ଭାରତୀୟ ହକି ଖେଳାଳି ନିରାଶ
ନୂଆଦିଲ୍ଲୀ : ଦୁର୍ଭାଗ୍ୟବଶତଃ ହାଙ୍ଗଜୋ ଏସୀୟ କ୍ରୀଡ଼ା ୨୦୨୨ ସ୍ଥଗିତ ହେବା ଭାରତୀୟ ହକିକୁ ସବୁଠାରୁ ଅଧିକ ବ୍ୟଥିତ କରିଛି। ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ାରୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ସହ ୨୦୨୩ ହକି ବିଶ୍ବକପ ପ୍ରସ୍ତୁତି ଲକ୍ଷ୍ୟ ରଖିଥିଲା। ଏବେ ଏସୀୟ କ୍ରୀଡ଼ା ସ୍ଥଗିତ ହେବା ପରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ନିରାଶ କରିଛି। ହାଙ୍ଗଜୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ପଯ୍ୟନ୍ତ ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ସାଙ୍ଘାଇରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏସୀୟ କ୍ରୀଡ଼ାକୁ ସ୍ଥଗିତ କରିଦିଆଯାଇଥିବା ଜଣାପଡିଛି। ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଗୋଲରକ୍ଷକ ପି.ଆର ଶ୍ରୀଜେଶ କହିଛନ୍ତି ଯେ, ଏସୀୟ କ୍ରୀଡ଼ାକୁ ସ୍ଥଗିତ କରିବା ନେଇ ଘୋଷଣା ବ୍ୟଥିତ କରିଛି । ଯେପର୍ଯ୍ୟନ୍ତ ନୂତନ ତାରିଖ ଘୋଷଣା ନ ହୋଇଛି ସେ ପର୍ଯ୍ୟନ୍ତ ହେବା ନେଇ ଆଶା କରିବା ବୃଥା ବୋଲି ଶ୍ରୀଜେଶ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପରେ ଆୟୋଜିତ ହୋଇଥିଲା। ଏସୀୟ କ୍ରୀଡ଼ା ସ୍ଥଗିତ ହେବା ପରେ ନୂତନ କାର୍ଯ୍ୟସୂଚୀ ସ୍ଥିର ହେବା ନେଇ ଅପେକ୍ଷା କଷ୍ଟଦାୟକ ବୋଲି ଶ୍ରୀଜେଶ କହିଛନ୍ତି। ଏସୀୟ କ୍ରୀଡ଼ା ସ୍ଥଗିତ ହେବା ପରେ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୨୩ରେ ହେବାକୁ ଥିବା ହକି ବିଶ୍ବକପ ଉପରେ ମନୋନିବେଶ ହେବ ବୋଲି ଶ୍ରୀଜେଶ କହିଛନ୍ତି। ଏସୀୟ କ୍ରୀଡ଼ା ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ଅଭ୍ୟାସ ଓ ପଦକ ହାସଲ କରିବାର ବଡ ସୁଯୋଗ ରହିଥିଲା। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ଭାରତୀୟ ପୁରୁଷ ଓ ମହିଳା ବି ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଏବେ ଏସୀୟ କ୍ରୀଡ଼ା ସ୍ଥଗିତ ହେବା ପରେ ହକି ଇଣ୍ଡିଆ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ପ୍ରମୁଖ ଖେଳାଳିଙ୍କୁ ପଠାଇବା ନେଇ ରାସ୍ତା ଫିଟିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୩୨ ଦିନ ପରେ ଏସୀୟ କ୍ରୀଡ଼ା ଆୟୋଜିତ ହେବାର ଥିଲା। ଫଳରେ ହକି ଇଣ୍ଡିଆ ପ୍ରମୁଖ ଖେଳାଳିଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନପଠାଇବାକୁ ନିଷ୍ପତ୍ତି ନେଇଥିଲା।
Comments are closed.