ଗଛ ଉପରେ ଦେଶୀମଦ, ଅବକାରୀ ଚଢାଉ
ଆଠଗଡ : ଆଠଗଡ ଅଞ୍ଚଲରେ ମଦମାଫିଆ ସବୁବେଳେ ସକ୍ରିୟ ରହୁଥିବାବେଳେ ଅବକାରୀ ବିଭାଗ ସହିତ ସେମାନଙ୍କର ଲୁଚକାଳି ଖେଳ ଚାଲିଛି । ମଦମାଫିଆ କେତେବେଳେ ବୁଦା ଜଙ୍ଗଲ ମଧ୍ୟରେ ହେଉ ଅବା ଚାଷଜମିରେ ଗାତଖୋଳି ତା ମଧ୍ୟରେ ଚୋରା ଦେଶୀମଦ ଏବଂ ପୋଚ ଗଚ୍ଛିତ ରଖିଥାନ୍ତି। ତେବେ ଏବେ ଗୋଟିଏ ନୂଆ ଉପାୟ ସେମାନେ ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଲୁଆ ସଂରକ୍ଷିତ ଜଙ୍ଗଲରେ ନିୟମିତ ମଦ ରନ୍ଧା ଯାଉଥିବାବେଳେ ବାରମ୍ବାର ଅବକାରୀ ଚଢାଉ କରାଯାଉଥିବାରୁ ସେମାନେ ବଡବଡ ଗଛ ଉପରେ ମଞ୍ଚା ବାନ୍ଧି ସେଥିରେ ଗୁଡପୋଚ ଓ ମଦ ପ୍ଲାଷ୍ଟିକ ଜାରିକିନଗୁଡିକ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି।
ଗୁରୁବାର ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଡାଳୁଆ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ ବେଳେ ମଦ ମାଫିଆଙ୍କର ଏ ଅଭିନବ ଉପାୟରେ ଗଛ ଉପରେ ମଦ ଗଚ୍ଛିତ ରଖିବା କଥା ଧରାପଡିଥିଲା । ବହୁ ପରିମାଣର ମଦ ରନ୍ଧା ପାଇଁ ଗଚ୍ଛିତ ଗୁଡପୋଚ ଗଛ ଉପରେ ଚଢି ଅବକାରୀ କର୍ମଚାରୀ ଜବତ କରିବା ସହିତ ସେଗୁଡିକୁ ଗଛ ଉପରୁ ତଳକୁ ଢାଳିଥିଲେ। ଏହି ଚଢାଉ ସମୟରେ ୬୬୫ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଏବଂ ୭୮୦୫ଲିଟର ଗୁଡପୋଚ ଜବତ କରାଯାଇଥିଲା । ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ, ବାଙ୍କୀ ଭାରପ୍ରାପ୍ତ ଅଧିକାରୀ ଟେଲିସ୍ପୋର ଲାକ୍ରା ଏବଂ ବହୁ ଅବକାରୀ କର୍ମଚାରୀ ଖୁଣ୍ଟୁଣୀ ପୁଲିସ ସହାୟତାରେ ଏହି ଚଢାଉ କରିଥିଲେ।
Comments are closed.