ଭାରୀଯାନ ଚାଳକଙ୍କୁ ହେଲମେଟ ପାଇଁ ଜରିମାନା
ଚାରିଚକିଆ ଯାନ ଚଳାଇବା ପାଇଁ ମଧ୍ୟ ହେଲମେଟ ଆବଶ୍ୟକ !
ସମ୍ବଲପୁର : ସମ୍ବଲପୁର ପୁଲିସ ଅପରାଧ ନିୟନ୍ତ୍ରଣ କରିବାରେ ସଫଳ ପ୍ରମାଣିତ ହୋଇ ନ ଥିବା ବେଳେ, ମୋଟରଯାନ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ରାଜସ୍ୱ ଆଦାୟରେ କିନ୍ତୁ ବେଶ ସକ୍ରିୟ । ଏଭଳିକି ରାଜସ୍ୱ ଆଦାୟ ଲକ୍ଷ୍ୟ ସାଧନ ନିମନ୍ତେ ପୁଲିସ ବାବୁ ମାନେ ବିନା ଚେକିଂରେ ମଧ୍ୟ ମନଇଚ୍ଛା ଗାଡି ନମ୍ବର ଦେଇ ଜରିମାନା କରୁଥିବାର ଅଭିଯୋଗ ହୋଇ ଆସୁଛି। ଏଭଳି ଏକ ଘଟଣାରେ ସମ୍ବଲପୁରର ଧନୁପାଲି ଥାନାଞ୍ଚଳ ଦେଇ କ୍ଷେତରାଜପୁର ଅଞ୍ଚଳକୁ ସନ୍ଧ୍ୟା ସମୟରେ ଯାଉଥିବା ଏକ ହାଲୁକା ମାଲବାହୀ ୪ ଚକିଆ ଯାନ (ଓଡି -୦୨-ଏଭି-୪୭୪୦) ର ଚାଳକଙ୍କୁ ହେଲମେଟ ପରିଧାନ କରି ନ ଥିବାରୁ ୧ ହଜାର ଟଙ୍କା ଜରିମାନା କରାଯାଇଛି । ଏହି ଗାଡିର ମାଲିକ ସୁମିତ ମହାନ୍ତିଙ୍କ ମୋବାଇଲକୁ ଯାଇଥିବା ବାର୍ତ୍ତ ସୂଚନାନୁଯାୟୀ ଗାଡିର ଚାଳକ ହେଲମେଟ ପରିଧାନ କରି ନ ଥିବାରୁ ଧନୁପାଲି ଥାନାରେ କାର୍ଯ୍ୟରତ ଏସଆଇ ଧର୍ମେନ୍ଦ୍ର ଭୁଏ ନାମକ ଜଣେ ଅଧିକାରୀ ତାଙ୍କୁ ୧ ହଜାର ଟଙ୍କା ଜରିମାନା କରିଛନ୍ତି । ଏଭଳି ଅନେକ ଥର ଘଟୁଥିବା ବେଳେ, ପୁଲିସ ଓ ଟ୍ରାଫିକ ବିଭାଗ ସେମାନଙ୍କର ତ୍ରୁଟି ସୁଧାର କରୁ ନ ଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଅପରପକ୍ଷରେ ଏ ସର୍ମ୍ପକରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚରାଯିବାରୁ ସେମାନେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ।
Comments are closed.