ଆର୍‌ସିବିର ୬ଷ୍ଠ ବିଜୟ; ସିଏସ୍‌କେର ୭ମ ପରାଜୟ

ପୁଣେ : ଚଳିତ ଆଇପିଏଲ୍‌ରେ ୧୦ମ ମ୍ୟାଚ୍‌ରେ ୭ମ ପରାଜୟ ପରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ପ୍ଲେଅଫ୍‌ରୁ ବାଦ୍‌ପଡ଼ିବା ଆଶଙ୍କା ସୃଷ୍ଟିହୋଇଛି। ବୁଧବାର ସିଏସ୍‌କେକୁ ୧୩ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରାସ୍ତ କରିଛି। ଯୁବ ବ୍ୟାଟ୍‌ସମ୍ୟାନ୍ ମହିପାଳ ଲୋମରୋର୍ ଓ ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କ ଲଢ଼ୁଅା ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୮ ୱିକେଟରେ ୧୭୩ ରନ୍‌ କରିଥିଲା। ପରେ ଡେଭନ୍ କନ୍‌ୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ସିଏସ୍‌କେ ୮ ୱିକେଟରେ ୧୬୦ ରନ୍‌ କରି ପାରିଥିଲା। ୧୧ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ଆର୍‌ସିବି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
୧୭୪ ରନ୍‌ ଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍‌ସ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଗତ ମ୍ୟାଚ୍‌ର ୨ ହିରୋ ଋତୁରାଜ ଗାଏକ୍‌ୱାଡ୍‌ ଓ ଡେଭନ୍ କନ୍‌ୱେ ଆକ୍ରମଣ କରି ଆର୍‌ସିବିକୁ ଚାପରେ ପକାଇଥିଲେ। ୬.୩ ଓଭରରେ ୫୪ ରନ୍‌ର ଭାଗିଦାରୀ ପରେ ଋତୁରାଜ ଆଉଟ୍‌ ହୋଇଥିଲେ। ଋତୁରାଜ ୨୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୮ ରନ୍‌ କରିଥିଲେ। ଏହାସହ ୨୧ ରନ୍‌ରେ ସିଏସ୍‌କେ ୩ଟି ୱିକେଟ ହରାଇଥିଲା। ରବିନ୍ ଉଥପ୍ପା ୧ ଓ ଅମ୍ବତି ରାୟୁଡୁ ୧୦ ରନ୍‌କରି ବିଦାୟ ନେଇଥିଲେ। ହେଲେ ଗୋଟିଏ ପଟେ ନ୍ୟୁଜିଲାଣ୍ଡର ବାମହାତି ଓପ୍‌ନର ଡେଭନ୍ କନ୍‌ୱେ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ୬ ଓଭରରୁ ୬୫ ରନ୍ ଆବଶ୍ୟକ ଥିବା ବେଳେ କନ୍‌ୱେ ଆଉଟ୍‌ ହୋଇଯିବା ଚେନ୍ନଇକୁ ଚାପରେ ପକାଇଥିଲା। କନ୍‌ୱେ ୩୭ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ଅଧିନାୟକ ଦାୟିତ୍ବରୁ ମୁକ୍ତ ରବୀନ୍ଦ୍ର ଜାଡ଼େଜା ୩ ରନ୍‌କରି ଆଉଟ୍‌ ହୋଇଥିଲେ। ମୋଇନ୍ ଅଲୀ ଲଢ଼ୁଆ ବ୍ୟାଟିଂକରି ୨୭ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ ଓ ଡ୍ବେନ୍ ପ୍ରିଟୋରିୟସ୍ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ହର୍ଷଲ ପଟେଲ ୩ଟି ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୨ଟି ୱିକେଟ ନେଇଥିଲେ। ହର୍ଷଲ ପଟେଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେବା ପରେ ଆର୍‌ସିବି ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସି ୬୨ ରନ୍‌ର ଭାଗିଦାରୀ କରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଡୁ ପ୍ଲେସି ୨୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୮ ରନ୍‌ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍‌ ୩ ରନ୍‌ କରି ପାରିଥିଲେ। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୩୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ରାଜସ୍ଥାନର ବ୍ୟାଟର୍ ମହିପାଳ ଲୋମରୋର୍ ପରେ ଇନିଂସ ସମ୍ଭାଳିଥିଲେ। ରଜତ ପାଟିଦାର ଓ ଲୋମରୋର୍ ୪ର୍ଥ ୱିକେଟ ପାଇଁ ୩୧ ବଲ୍‌ରୁ ୪୪ ରନ୍‌ ଯୋଡ଼ିଥିଲେ। ପାଟିଦାର ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌ କରିଥିଲେ। ଲୋମରୋର୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୨ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକ ୧୭ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଛକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ୨ ସ୍ପିନର ମାହିଶ ତୀକ୍ଷଣା ୩ଟି ଓ ମୋଇନ୍ ଅଲୀ ୨ଟି ୱିକେଟ ନେଇଥିଲେ।

kalyan agarbati

Comments are closed.