ସମାନ ନାଗରିକ ସଂହିତା ଲାଗୁ କରିବେ ୪ ରାଜ୍ୟ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ଆଗକୁ ବଢ଼ୁଛନ୍ତି। ପ୍ରଥମେ ଉତ୍ତରାଖଣ୍ଡ ଏଥିପାଇଁ ପଦକ୍ଷେପ ନେଇଛି। ପରେ ଉତ୍ତର ପ୍ରଦେଶରେ ଏ ଦିଗରେ ଅଗ୍ରସର ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ସେମାନଙ୍କ ପଥ ଅନୁସରଣ ଆରମ୍ଭ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସମାନ ନାଗରିକ ସଂହିତା ଲାଗୁ କରିବାକୁ ଘୋଷଣା କରିଥିଲେ। ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଏ ସମ୍ପର୍କିତ ଆଇନ ପ୍ରସ୍ତୁତି ପାଇଁ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। ପରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦ୍ବିତୀୟ ଥର କ୍ଷମତାସୀନ ହେବା ପରେ ସମାନ ପଦକ୍ଷେପ ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ ମଧ୍ୟ ଏ ସଂକ୍ରାନ୍ତରେ ବିଚାରବିମର୍ଶ ଚଳାଇଛନ୍ତି। ସମ୍ବିଧାନର ଧାରା ୪୪ ଆଧାରରେ ସେମାନେ ଏହି ପଦକ୍ଷେପ ନେଉଛନ୍ତି। ଏହାଦ୍ବାରା ରାଜ୍ୟରେ ସବୁ ଧର୍ମ ଓ ସମ୍ପ୍ରଦାୟ ପାଇଁ ସମାନ ଆଇନ ଲାଗୁ ହେବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି କ୍ଷେତ୍ରରେ ସବୁ ଧର୍ମାବଲମ୍ବୀ ସମାନ ଆଇନ ଅନୁପାଳନ କରିବେ। ସବୁଠୁ ମହତ୍ତ୍ବପୂର୍ଣ୍ଣ ହେଉଛି ମହାରାଷ୍ଟ୍ରରେ ରାଜ୍‌ ଠାକ୍‌ରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ଦାବି କରିଛନ୍ତି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ତୁରନ୍ତ ଏହା କାର୍ଯ୍ୟକାରୀ କରିବା ଉଚିତ ବୋଲି ସେ ଦାବି କରିଛନ୍ତି।

kalyan agarbati

Comments are closed.