ଆଇସିସି ବାର୍ଷିକ ମାନ୍ୟତା : ଟି-୨୦ରେ ଭାରତ, ଟେଷ୍ଟରେ ଅଷ୍ଟ୍ରେଲିଆ, ଦିନିକିଆରେ ନ୍ୟୁଜିଲାଣ୍ଡ ଶୀର୍ଷରେ
ଦୁବାଇ : ଅନ୍ତିର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ ଦଳର ୨୦୨୧-୨୨ ବାର୍ଷିକ ମାନ୍ୟତା ପ୍ରକାଶ ପାଇଛି। ଆଇସିସି ଦ୍ବାରା ପ୍ରକାଶିତ ଏହି ମାନ୍ୟତାରେ ଭାରତୀୟ ଟ୍ବେଣ୍ଟି୨୦ ଦଳ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଦିନିକିଆରେ ନ୍ୟୁଜିଲାଣ୍ଡ ଓ ଟେଷ୍ଟରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ବାର୍ଷିକ ମାନ୍ୟତା ଗଣନାର ଅନ୍ତିମ ଦିନ ମେ ୪ ରହିଥିଲା। ଏହା ପୂର୍ବରୁ ହୋଇଥିବା ମ୍ୟାଚର ପ୍ରଦର୍ଶନକୁ ଆଧାରକରି ଆଇସିସି ପକ୍ଷରୁ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳ ମାନ୍ୟତା ଜାରି କରାଯାଇଛି।
ଗତବର୍ଷ ୟୁଏଇରେ ଖେଳା ଯାଇଥିବା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପର ପ୍ରଥମ ରାଉଣ୍ଡରୁ ଭାରତ ବାହାରି ଯାଇଥିଲା। କିନ୍ତୁୂ ରୋହିତ ଶର୍ମା ନେତୃତ୍ବ ନେବା ପରେ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ଭଲ ପ୍ରଦର୍ଶନ କରୁଛି। ଫଳରେ ଭାରତୀୟ ଦଳ ପୁଣି ଥରେ ଟ୍ବେଣ୍ଟି-୨୦ କ୍ରିକେଟରେ ୧ ନମ୍ବର ସ୍ଥାନରେ ପହଞ୍ଚିପାରିଛି। ରୋହିତଙ୍କ ନେତୃତ୍ବରେ ଭାରତ କ୍ରମାଗତ ୯ଟି ଟ୍ବେଣ୍ଟି-୨୦ ମ୍ୟାଚ ଜିତିଛି। ଆଇସିସି ଦ୍ବାରା ପ୍ରକାଶିତ ମାନ୍ୟତାରେ ଭାରତୀୟ ଦଳ ୨୭୦ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି। ଇଂଲଣ୍ଡ ୫ ପଏଣ୍ଟ ପଛରେ ରହି ୨ୟ, ପାକିସ୍ତାନ ୨୬୧ ପଏଣ୍ଟ ସହ ୩ୟ, ଦକ୍ଷିଣ ଆଫ୍ରିକା ୨୫୩ ପଏଣ୍ଟ ସହ ୪ର୍ଥ, ଅଷ୍ଟ୍ରେଲିଆ ୨୫୧ ପଏଣ୍ଟ ସହ ୫ମ, ନ୍ୟୁଜିଲାଣ୍ଡ ୬ଷ୍ଠ, ୱେଷ୍ଟଇଣ୍ଡିଜ୍ ୭ମ, ବାଂଲାଦେଶ ୮ମ, ଶ୍ରୀଲଙ୍କା ୯ମ ଓ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛି। ଦିନିକିଆ ମାନ୍ୟତାରେ ନ୍ୟୁଜିଲାଣ୍ଡ ୧୨୫ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଥିବା ବେେଳ ଇଂଲଣ୍ଡ ୧୨୪ ପଏଣ୍ଟ ପାଇ ୨ୟ, ଅଷ୍ଟ୍ରେଲିଆ ୧୦୭ ପଏଣ୍ଟ ସହ ୩ୟ, ଭାରତ ୧୦୫ ପଏଣ୍ଟ ସହ ୪ର୍ଥ ଓ ପାକିସ୍ତାନ ୧୦୨ ପଏଣ୍ଟ ସହ ୫ମ, ଦକ୍ଷିଣ ଆଫ୍ରିକା ୬ଷ୍ଠ, ବାଂଲାଦେଶ ୭ମ, ଶ୍ରୀଲଙ୍କା ୮ମ, ୱେଷ୍ଟଇଣ୍ଡିଜ୍ ୯ମ ଓ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛନ୍ତି।
ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନରେ ରହିଛି । ଗତ ଜାନୁଆରୀରେ ଅଷ୍ଟ୍ରେଲିଆ ୪-୦ରେ ଇଂଲଣ୍ଡକୁ ଆସେସ୍ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏହି ସ୍ଥାନ ହାସଲ କରିପାରିଛି। ଆସେସ ଶୃଙ୍ଖଳା ବିଜୟ ପରେ ଅଷ୍ଟ୍ରେଲିଆ ୧୧୯ରୁ ୧୨୮ ରେଟିଂ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ହାସଲ କରିଛି। ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନରେ ରହିଥିବାବେଳେ ବେଳେ ଭାରତ ୧୧୯ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ୧୧୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୩ୟ, ୧୧୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୪ର୍ଥ ସ୍ଥାନରେ ରହିଛନ୍ତି। ଇଂଲଣ୍ଡକୁ ପଛରେ ପକାଇ ପାକିସ୍ତାନ ଟେଷ୍ଟ ମାନ୍ୟତାର ୫ମ ସ୍ଥାନରେ ରହିଛି।ପାକିସ୍ତାନ ୯୩ ପଏଣ୍ଟ ସହ ୫ମ ଓ ଇଂଲଣ୍ଡ ୮୮ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି। ୧୯୯୫ ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବାର୍ଷିକ ମାନ୍ୟତାରେ ଏତେ କମ୍ ପଏଣ୍ଟ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କା ୭ମ, ୱେଷ୍ଟଇଣ୍ଡିଜ୍ ୮ମ, ବାଂଲାଦେଶ ୯ ଓ ଜିମ୍ବାୱେ ୧୦ତମ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଜୁନ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟ ମ୍ୟାଚ ବାକିରହିିଛି। କରୋନା ପାଇଁ ଶେଷ ଟେଷ୍ଟମ୍ୟାଚକୁ ସ୍ଥଗିତ କରି ଦିଆ ଯାଇଥିଲା। ଚଳିତବର୍ଷ ଜୁନରେ ଉକ୍ତ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚର ଫଳାଫଳ ମଧ୍ୟ ମାନ୍ୟତାରେ ସାମିଲ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।
Comments are closed.