www.samajalive.in
Sunday, December 7, 2025
26.1 C
Bhubaneswar

ବିକାଶ ଖୋଜୁଛି ନାଲ୍‍କୋ ପାରିପାର୍ଶ୍ବିକ ଅଞ୍ଚଳ

ନାରାୟଣପାଟଣା : କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବିଜାଘାଟି ପଞ୍ଚାୟତର ଅନେକ ଗ୍ରାମ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକ ଅଧୀନରେ ଥିବା ଏହି ପଞ୍ଚାୟତର ଅନେକ ଗ୍ରାମବାସୀଙ୍କୁ ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୧୦ କିମି ଚାଲିଚାଲି ଯିବାକୁ ପଡ଼ୁଛି। ରାସ୍ତା ଅଭାବରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି। ବିଶୁଦ୍ଧ ପାନୀୟ ଜଳ ସ୍ୱପ୍ନ ହୋଇଥିବାବେଳେ ଝରଣା ପାଣିରେ ଶୋଷ ମେଣ୍ଟୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାଲ୍‍କୋ କନ୍‍ଭେର ବେଲ୍‍ଟ ଠାରୁ ଦୂରରେ ରହିବା ପାଇଁ ନାଲ୍‍କୋ ସୂଚନାଫଳକ ଲଗାଇଥିବାବେଳେ ଓଭରବ୍ରିଜ ନ ଥିବାରୁ ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଏହି ବେଲ୍‍ଟ ତଳେ ହିଁ ଯିବା ଆସିବା କରୁଛନ୍ତି।
ଦାମନଯୋଡ଼ିସ୍ଥିତ ନାଲ୍‍କୋ ଖଣି ଅଞ୍ଚଳକୁ ଲାଗିଥିବା ବେଳେ ନାଲ୍‍କୋ ନା ପ୍ରଶାସନ କେହି ବି ଏହି ଗ୍ରାମ ଗୁଡ଼ିକ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏହି ପଞ୍ଚାୟତର ମୁଣ୍ଡଗଡ଼ତି, ତଳଗଡ଼ତି, ଉପରଗଡ଼ତି, କିରାଝୋଲା, ଟଭାପଦର ଓ ରଙ୍ଗପାଣି ଏପରି ଅନେକ ଗ୍ରାମ ନାଲ୍‍କୋ ଅଞ୍ଚଳକୁ ଲାଗି ରହିଥିବା ବେଳେ ନାଲ୍‍କୋ ପାରିପାର୍ଶି୍ୱକ ଅନୁଦାନ ଏହି ଅଞ୍ଚଳ ଗୁଡ଼ିକରେ ଖର୍ଚ୍ଚ କରାଯାଉ ନ ଥିବା ମୁଣ୍ଡଗଡ଼ତି ଗ୍ରାମର କେଶିରୀ ଜାନୀ, ଲାଙ୍ଗା ସାଉଁନ୍ତା, କୃଷ୍ଣ ଜାନୀ, ନାଏବ ସରପଞ୍ଚ କେଶବ ଜାନୀ, ଆଲମେ ସାଉନ୍ତା ଓ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳବାସୀ ନାରାୟଣପାଟଣା ମୁଖ୍ୟ ଦପ୍ତରକୁ ଯିବାକୁ ହେଲେ ୧୦କିଲୋମିଟର ବିଜାଘାଟି ପଞ୍ଚାୟତର ମୁଖ୍ୟ ଦପ୍ତରକୁ ଯାଇ ସେଠାରୁ ପ୍ରାୟ ୩୦କିଲୋମିଟର ଯିବାକୁ ପଡୁଥିବା ବେଳେ ଉକ୍ତ ୧୦କିଲୋମିଟର ମଧ୍ୟ ପାହାଡ଼ିଆ ପାଦ ଚଲା ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ନାଲ୍‍କୋ ଖଣି ଅଞ୍ଚଳଠାରୁ ମାତ୍ର ୪କିଲୋମିଟର ଦୂରରେ ଥିବା ମୁଣ୍ଡଗଡ଼ତି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ଆଖ ପାଖ ଗାଁ ଗୁଡ଼ିକୁ ଆଉ ୬ କିଲୋମିଟର ରାସ୍ତା ନିର୍ମାଣ କରାଗଲେ ଗମନାଗମନର ସୁବିଧା ହୋଇପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ଗତ ୧୦ବର୍ଷ ହେବ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଲିଖିତ ଭାବେ ଅନୁରୋଧ କରାଯିବା ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ନାଲ୍‍କୋ ଶହଶହ କୋଟି ଟଙ୍କା ଲାଭ ପାଉଥିବାବେଳେ ପାରିପାର୍ଶି୍ୱକ ଅଞ୍ଚଳ ପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନାଲ୍‍କୋ ସ୍ଥାପନ ହୋଇ ପ୍ରାୟ ୪୦ବର୍ଷ ହେବାକୁ ଯାଉଥିବାବେଳେ ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ବିକାଶ ଏଠି ଅପହଞ୍ଚ। ରାସ୍ତା ନ ଥିବାରୁ ପିଲାଙ୍କୁ ପାଠ ପଢାଇବା ପାଇଁ ବାହାରକୁ ପଠାଇବା କଷ୍ଟକର ହୋଇଥିବା ବେଳେ ରୋଗୀ କିମ୍ବା ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଲେ ଭାରରେ ବୋହି ନେବାକୁ ପଡୁଛି। ପାନୀୟ ଜଳର ସୁବିଧା ନ ଥିବାରୁ ପାହାଡ଼ିଆ ଝରଣା ଉପରେ ଏମାନେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ଟଙ୍କିକିଆ ଚାଉଳ ପାଇଁ ଦୀର୍ଘ ୧୦କିଲୋମିଟିର ଚାଲି ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏ ନେଇ ଆମେ ନାଲ୍‍କୋ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇପାରିନଥିଲା। ଏ ନେଇ ନାରାୟଣପାଟଣା ବିଡ଼ିଓ ଯଦୁମଣି ନାୟକଙ୍କୁ ପଚାରିବାରେ ଉକ୍ତ ଗ୍ରାମ ଗୁଡ଼ିକୁ ସଂଯୋଗିକରଣ ପାଇଁ ରାସ୍ତାର ଆବଶ୍ୟକ ଥିବା ସ୍ୱୀକାର କରିବା ସହ ରାସ୍ତା ନିର୍ମାଣ ଦିଗରେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ। ନାଲ୍‍କୋ ମାଇନ୍ସର କନଭେର ବେଲ୍ଟ ତଳ ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ଯା’ଆସ କରିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଉକ୍ତ ବେଲ୍‍ଟ ଠାରୁ ଦୂରରେ ରହିବା ପାଇଁ ନାଲ୍‍କୋ ପକ୍ଷରୁ ସୂଚନା ଫଳକ ଲାଗିଥିବା ବେଳେ ଏହି ଗ୍ରାମ ଗୁଡ଼ିକୁ ଯିବାକୁ ହେଲେ ବେଲଟ୍‍ ତଳ ଦେଇ ଯିବାକୁ ପଡୁଥିବା ଅଭିଯୋଗ ହେଉଛି। ସେଠାରେ ଓଭର ବ୍ରିଜ ନିର୍ମାଣ କରିବାପାଇଁ ଦୀର୍ଘଦିନ ହେଲା ଦାବି ହେଉଥିବା ସତ୍ତ୍ବେ ନାଲ୍‍କୋ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ନିର୍ବାଚନ ପରେ ନିର୍ବାଚନ ଓ ନେତା ପରେ ନେତା ମାନେ ବଦଳୁଥିବା ବେଳେ ଏହି ଅଞ୍ଚଳବାସୀଙ୍କ ଚିତ୍ର କେବେ ବଦଳିବ ତାହା ଦେଖିବାକୁ ବାକି ରହିଲା। ଆଗକୁ ପୁଣି ନିର୍ବାଚନ ଥିବା ବେଳେ ସମସ୍ୟାର ସମାଧାନ ଦିଗରେ ନିର୍ବାଚନ ପୂର୍ବରୁ କୌଣସି ପଦକ୍ଷେପ ନିଆ ନ ଗଲେ ଭୋଟ ବର୍ଜନ କରିବା ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories