କନ୍ଧମାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ନନ୍ଦିନୀ ମଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଜନ ପ୍ରତିନିଧିମାନଙ୍କର ପ୍ରତ୍ୟେକ ପ୍ରଶ୍ନକୁ ସରଳଭାବରେ ବୁଝାଇ କହିବାକୁ ସଭାପତି ଅନୁରୋଧ କରିଥିଲେ । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଜିଲ୍ଲାର ପ୍ରତ୍ୟେକଟି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କର ମିଳିତ ସହଯୋଗ ରହିବାକୁ ସଂକଳ୍ପ ନେବା ଓ ଜିଲ୍ଲାକୁ ଉନ୍ନତି ପଥରେ ଅଗେଇ ନେବାକୁ ଅନୁରୋଧ କରିଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଲେ ଯେ, ୫ ବର୍ଷ ପାଇଁ ଲୋକମାନେ ସେମାନଙ୍କୁ ନିର୍ବାଚିତ କରିଛନ୍ତି । ସେମାନଙ୍କ ପାଇଁ କାମ କରିବାକୁ ସଂକଳ୍ପ ନେବା ଅବଶ୍ୟକ । ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ସେହିପରି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପାଣି, ବିଦ୍ୟୁତ, ଜଙ୍ଗଲ ଜମି ପଟ୍ଟା ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ପରିଷଦର ଉପ ସଭାପତି ସାଧବାଣୀ ନାୟକ ଏହି କାର୍ଯ୍ୟକ୍ରମରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଆମେ ସମସ୍ତେ ମିଳିମିଶି ଲୋକମାନଙ୍କ ସେବା କରିବା କାରଣ ସେମାନେ ଆମ ଉପରେ ଭରସା ରଖି ନିର୍ବାଚିତ କରିଛନ୍ତି ।

ନବ ନିର୍ବାଚିତ ଜନ ପ୍ରତିନିଧିମାନେ ପ୍ରଥମେ ସରକାରଙ୍କର ସମସ୍ତ ଯୋଜନା ବିଷୟରେ ଜାଣିବା ଦରକାର ବୋଲି କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା କହିଥିଲେ । ସବୁ ପ୍ରକାର ମରାମତି କାର୍ଯ୍ୟ ବ୍ଲକ ଓ ପଞ୍ଝାୟତ ସ୍ତରରେ କରାଯାଉଛି । ଜିଲ୍ଲା ପାଇଁ ଆସୁଥିବା ପାଣ୍ଠିର ସୁବିନିଯୋଗ କରି କିପରି ଜିଲ୍ଲାର ଉନ୍ନତି ହୋଇପାରିବ ସେ ଦିଗରେ ସେମାନେ ଦୃଷ୍ଟି ଦେବା ଆବଶ୍ୟକ । ଯଦିଓ ଆମର ଅଧିକାରୀ ଓ କର୍ମଚାରୀ ସଂଖ୍ୟା କମ୍‌ ଅଛନ୍ତି ତଥାପି ସେମାନଙ୍କୁ ନେଇ ଆମକୁ କାମ କରିବାକୁ ପଡ଼ିବ । ଜନ ପ୍ରତିନିଧି ମାନେ ଯେଉଁ ଆଶା ଧରି ନିର୍ବାଚିତ ହୋଇଛନ୍ତି ତାକୁ ସଫଳ କରିବାକୁ ସେମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଲୋକମାନଙ୍କର ଆଶା ଭରସାକୁ ପୂରଣ କରିବା ପ୍ରତ୍ୟେକ ଜନ ପ୍ରତିନିଧିଙ୍କର ପ୍ରଥମ ଲକ୍ଷ୍ୟ ହେବା ଉଚିତ୍‌ ବୋଲି ସେ କହିଥିଲେ । ହେଲେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସଂପୃକ୍ତ ବିଭାଗୀୟ ପାଦାଧିକାରୀମାନଙ୍କର ସହଯୋଗ ମିଳିପାରିବ । ଜିଲ୍ଲାର ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା କରି ସେମାନଙ୍କୁ ସରକାରଙ୍କର ପ୍ରତ୍ୟେକ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପରିଷଦର ଏକାଦଶତମ ଅଧିବେଶନର ଅନୁପାଳନ ବିବରଣୀ ଗୃହରେ ପଠନ ପୂର୍ବକ ଏହାର ଦୃଢ଼ୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

prayash

ପରେ ପରେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଥିଲା । ନବ ନିର୍ବାଚିତ ପ୍ରତି ୩ ଜଣ ସଭ୍ୟ/ସଭ୍ୟାମାନଙ୍କୁ ନେଇ୭ ଗୋଟି ସ୍ଥାୟୀ କମିଟି ଗଠନ କରାଯାଇଛି ଯେପରିକି (୧) ଯୋଜନା, ଅର୍ଥ ଓ ଦାରିଦ୍ର‌୍ୟ ଦୂରିକରଣ (୨) କୃଷି, ପଶୁପାଳନ, ବୈଷୟିକ, ମୃତିକା ସଂରକ୍ଷଣ, ଜଳଛାୟା, ଉଦ୍ୟାନ ଓ ମତ୍ସ୍ୟ (୩) ଉନ୍ନୟନ କାର୍ଯ୍ୟ, ଜଳସେଚନ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଓ ପରିମଳ (୪)ସ୍ୱାସ୍ଥ୍ୟ, ସମାଜ ମଙ୍ଗଳ, ମହିଳା ଓ ଶିଶୁ ବିକାଶ (୫) ବେସାମରିକ ଯୋଗାଣ ଓ ଖାଉଟି କଲ୍ୟାଣ, ଅନୁନ୍ନତ ଶ୍ରେଣୀର ଉନ୍ନତି, ଜଙ୍ଗଲ ଓ ଜାଳେଣୀ ଓ ଘାସ ଚାଷ (୬) ହସ୍ତ ତନ୍ତ୍ର, କୁଟୀରଶିଳ୍ପ, ଖଦୀ ଓ ଗ୍ରାମୋଦ୍ୟୋଗ, ଗ୍ରାମ୍ୟ ଗୃହ ନିର୍ମାଣ (୭)ଶିକ୍ଷା, ଖେଳ, ସାଂସ୍କୃତିକ  । ସେହିପରି, ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଝଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନର ସୁପାରିଶ ଆଧାରରେ ପଞ୍ଝାୟତିରାଜ ତଥା ଜିଲ୍ଲା ପରିଷଦ ନିମନ୍ତେ ଅନାବଦ୍ଧ ପାଣ୍ଠି ଓ ଆବଦ୍ଧ ପାଣ୍ଠିର ବ୍ୟବହାର ପାଇଁ ବାର୍ଷିକ ଖସଡ଼ା ଅନୁମୋଦନ, ଶିକ୍ଷା , ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ ଓ ଜଳଛାୟା, ମତ୍ସ୍ୟ ବିଭାଗ, ବିଦ୍ୟୁତ୍‌, ଗ୍ରାମ୍ୟ ନିର୍ମାଣ ବିଭାଜନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଞ୍ଝଳ)ଉଠା ଜଳସେଚନ ବିଭାଗ, ବି.ଏସ୍‌. ଏନ୍‌ଏଲ୍‌. କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ନିର୍ବାହୀ ଅଧିକାରୀ, କନ୍ଧମାଳ ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅନୁଶାସନ), ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କନ୍ଧମାଳ ନରେଶ ଚନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈ÷ଠକରେ ଜିଲ୍ଲାପରିଷଦର ସମସ୍ତ ସଭ୍ୟସଭ୍ୟା, ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବିଭାଗୀୟ ପଦାଧିକାରୀ ଓ ଅନ୍ୟ ପ୍ରତିନିଧିମାନେ ଯୋଗଦେଇଥିଲେ ।

 

kalyan agarbati

Comments are closed.