www.samajalive.in
Friday, December 5, 2025
20.1 C
Bhubaneswar

ଆଜିଠୁ ଧାଡ଼ିଦର୍ଶନ

ପୁରୀ : ସୋମବାରଠାରୁ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ। ଏଥିପାଇଁ ମନ୍ଦିର ଭିତରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ପ୍ରଶାସନିକ ପ୍ରସ୍ତୁତି ଶେଷହୋଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରିବେ। ଶ୍ରୀଜୀଉଙ୍କୁ ଦର୍ଶନ ପରେ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତରଦ୍ୱାର ଦେଇ ବାହାରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସ ଏବଂ ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ରବିବାର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଞ୍ଚଳକୁ ଅବରୋଧମୁକ୍ତ କରାଯାଇଛି। ଜଗମୋହନ ଭିତରକାଠ ପାଖରେ ଛିଡାହୋଇ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ପାର୍ଶ୍ବ ଦେବଦେବୀଙ୍କ ଦର୍ଶନ କିମ୍ବା ଆନନ୍ଦବଜାରରୁ ମହାପ୍ରସାଦ କିଣିବା ପାଇଁ ଧାଡି ବ୍ୟବସ୍ଥା ଲାଗୁ ହେବନାହିଁ। ମହାପ୍ରଭୁଙ୍କ ଭୋଗ ସମେତ ଗୋପନୀୟ ନୀତି ସମୟରେ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯିବ। ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନେବାକୁ ଅନୁମତି ଦିଆଯିବ ନାହିଁ। ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ କେତେକ ସ୍ଥାନରେ ଅଧିକ ସିସିଟିଭି ଲଗାଯାଉଛି। ଖରା ଓ ବର୍ଷାରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ ଉପରେ ଦରିପାଲ ପକାଯିବ। ଧାଡିରେ ଯାଉଥିବା ଭକ୍ତମାନେ ଅଧିକ ସମୟ ନାଟମଣ୍ଡପ କିମ୍ବା ଜଗମୋହନରେ ଛିଡାହୋଇ ରହିପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ତଥା ଜିଲାଜଜ୍‍ଙ୍କ ସୁପାରିସକୁ ଭିତ୍ତିକରି ଶ୍ରୀମନ୍ଦିର ପ୍ରଶାସନ ଧାଡିଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି। ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ଘଟଣା। ତେବେ ପରୀକ୍ଷାମୂଳକ ଭାବେ ଏହା କରାଯାଉଥିବା ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଧାଡିଦର୍ଶନରେ ଯଦି ସମସ୍ୟା ଦେଖାଦିଏ ବିକଳ୍ପ କଥା ଚିନ୍ତା କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଧାଡି ଦର୍ଶନ ବ୍ୟବସ୍ଥାକୁ ସେବକଙ୍କ ସମେତ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ଏହାଦ୍ୱାରା ପୂର୍ବପରି ଆଉ ମନଖୋଲା ଦର୍ଶନ ମିଳିବ ନାହିଁ ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ବୋଲି ଭକ୍ତ ଆଶଙ୍କା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସିଂହଦ୍ୱାରଠାରୁ ସାତପାହାଚ ପର୍ଯ୍ୟନ୍ତ
ଧାଡିବ୍ୟବସ୍ଥା ରହିବ। ନାଟମଣ୍ଡପ ଏବଂ ଜଗମୋହନରେ ସ୍ଥାୟୀ ବ୍ୟାରିକେଡ କରିବା ସମ୍ଭବପର ନୁହେଁ। ତେଣୁ ସେଠାରେ ଜନଗହଳିକୁ ଦୃଷ୍ଟିରେ ରଖି ଦଉଡି ମାଧ୍ୟମରେ ଅସ୍ଥାୟୀ ବ୍ୟାରିକେଡ କରାଯିବ। ଭିତରକାଠ ଦର୍ଶନ ସମୟରେ ଭକ୍ତମାନେ ବେହେରଣ ଦ୍ୱାରଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ବାହାରିବେ। ଯେତେବେଳେ ନାଟମଣ୍ଡପ ବାହାରକାଠ ପାଖରୁ ଦର୍ଶନ ମିଳିବ ପଣ୍ଡାଦ୍ୱାର, ମୁଦୁଲିଦ୍ୱାର ଏବଂ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ କହିଛନ୍ତି। ବେଶୀ ଗହଳି ନଥିବା ବେଳେ ନାଟମଣ୍ଡପ କିମ୍ବା ଜଗମୋହନରେ ବ୍ୟାରିକେଡ କରାଯିବ ନାହିଁ। ସେବକଙ୍କ ପାଇଁ ଧାଡିଦର୍ଶନ ବ୍ୟବସ୍ଥା ଲାଗୁହେବ ନାହିଁ ବୋଲି ପ୍ରଶାସକ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories