ଗର୍ଭାବସ୍ଥା ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ। ତେବେ ଶିଶୁ ଜନ୍ମ ପରେ ଅଧିକ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ଏକ୍ଲାମ୍ପସିଆ, ଜୀବାଣୁ ଓ ଭୂତାଣୁଜନିତ ସଂକ୍ରମଣ, ଗର୍ଭପାତ, ଗର୍ଭାବସ୍ଥାରେ ରକ୍ତହୀନତା, ଡାଇବେଟିସ୍ ପରି ମାତୃ ମୃତ୍ୟୁର ପ୍ରମୁଖ କାରଣଗୁଡିକ ମଧ୍ୟରୁ ଥାଇରଏଡ ଅନ୍ୟତମ।
ଥାଇରଏଡ ଗ୍ରନ୍ଥିରେ ଦୁଇଟି ସମସ୍ୟା ହୁଏ- ହାଇପୋଥାଇରଏଡିଜ୍ମ ଏବଂ ହାଇପରଥାଇରଏଡିଜ୍ମ। ପ୍ରଥମଟିରେ ଥାଇରଏଡ ହରମୋନ୍ କମ୍ କ୍ଷରଣ ହେଉଥିବା ବେଳେ ଦ୍ୱିତୀୟରେ ଅଧିକ ହୋଇଥାଏ। ହାଇପୋଥାଇରଏଡିଜ୍ମରେ ଖୁବ୍ ଦୁର୍ବଳ ଲାଗେ, ଓଜନ ବଢିଯାଏ, ମୁହଁ ଓ ଗୋଡହାତ ଫୁଲିଯାଏ, ସ୍ୱର ମୋଟା ହୋଇଯାଏ, କିଛି ମନେରହେ ନାହିଁ ଏବଂ ଅତ୍ୟନ୍ତ ଅବସାଦଗ୍ରସ୍ତ ଲାଗେ। ଏଥିରେ ସାରାଜୀବନ ଔଷଧ ଖାଇବା ଜରୁରୀ। ସେହିପରି ହାଇପରଥାଇରଏଡିଜ୍ମ ରୋଗରେ ଓଜନ କମିଯାଏ, ପ୍ରବଳ ଭୋକ ହୁଏ, ବହୁତ ଗରମ ଲାଗେ, ହାତ ଥରେ ଏବଂ ଆଖିର ପୁଅଡୋଳା ବାହାରକୁ ବାହାରି ଆସେ। ଥାଇରଏଡ ହରମୋନ ଟି ଥ୍ରୀ, ଟି ଫୋର, ଟିଏସ୍ଏଚ୍ ପରୀକ୍ଷା କଲେ ଏହି ରୋଗ ନିରୂପିତ ହୋଇଥାଏ।
ଥାଇରଏଡ ହରମୋନ ଗର୍ଭସ୍ଥ ଶିଶୁର ଅଭିବୃଦ୍ଧି ପାଇଁ ନିତାନ୍ତ ଆବଶ୍ୟକ। ଗର୍ଭର ପ୍ରଥମ ତିନିମାସ ମଧ୍ୟରେ ଥାଇରଏଡ ହରମୋନ ଠିକ୍ ନରହିଲେ ଗର୍ଭପାତର ଆଶଙ୍କା ଥାଏ ଏବଂ ଗର୍ଭସ୍ଥ ଶିଶୁର ସଠିକ ମସ୍ତିଷ୍କ ବିକାଶ ହୁଏନାହିଁ। ଯେଉଁ ମହିଳାଙ୍କର ଗର୍ଭଧାରଣ ପୂର୍ବରୁ ଥାଇରଏଡ ରୋଗ ଥାଏ କିମ୍ବା ଗର୍ଭ ସମୟରେ ଥାଇରଏଡ ରୋଗ ଚିହ୍ନଟ ହୁଏ, ସେମାନଙ୍କୁ ସତର୍କତା ସହିତ ଚିକିତ୍ସା କରିବା ଆବଶ୍ୟକ। ମା’ଙ୍କର ହାଇପୋଥାଇରଏଡିଜ୍ମ ଥିଲେ ଗର୍ଭସ୍ଥ ଶିଶୁ ହାଇପୋଥାଇରଏଡ ଆକ୍ରାନ୍ତ ହୋଇ ବାମନ (କ୍ରେଟିନ୍) ଏବଂ ନିର୍ବୋଧ ହେବାର ଆଶଙ୍କା ଅଧିକ। ତେଣୁ ଗର୍ଭଧାରଣ ପୂର୍ବରୁ ଏବଂ ସେହି ସମୟରେ ଟିଏସ୍ଏଚ୍ ହରମୋନ୍ର ପରିମାଣ ୨.୫ ତଳେ ରହିବା ଉଚିତ। ମା’ଙ୍କର ଥାଇରଏଡ ଗ୍ରନ୍ଥି ଠିକ୍ ଭାବେ କାମ ନକଲେ ଶିଶୁର ଅପସ୍ମାର ବାତ, ଅସ୍ଥିର ବା ଚଞ୍ଚଳ ମାନସିକ ଅବସ୍ଥା, ଅଟିଜ୍ମ ଭଳି ରୋଗ ସୃଷ୍ଟି ହୋଇପାରେ।
କେତେକ ହାଇପୋଥାଇରଏଡ ରୋଗରେ କୌଣସି ଲକ୍ଷଣ ନଥାଇ ମଧ୍ୟ ଟିଏସ୍ଏଚ୍ ହରମୋନ ବୃଦ୍ଧି ପାଇଥାଏ। ଅଥଚ ଟି ଥ୍ରୀ ଓ ଟି ଫୋର୍ ହରମୋନ୍ ସ୍ୱାଭାବିକ ଥାଏ। ଏହାକୁ ‘ସବ୍ କ୍ଲିନିକାଲ ହାଇପୋଥାଇରଏଡିଜ୍ମ’ କୁହାଯାଏ। ଏଭଳି ସାମାନ୍ୟ ବ୍ୟତିକ୍ରମରେ ମଧ୍ୟ ଗର୍ଭପାତଠାରୁ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବା ପର୍ୟ୍ୟନ୍ତ ଘଟଣା ଘଟିପାରେ। ତେଣୁ ଗର୍ଭାବସ୍ଥାରେ ସ୍ତ୍ରୀରୋଗ ବିଶେଷଜ୍ଞ, ଗର୍ଭ ବିଶେଷଜ୍ଞ (ଅବ୍ଷ୍ଟ୍ରେଟିସିଆନ୍) ଓ ଅନ୍ତଃସ୍ରାବୀ ରୋଗ ବିଶେଷଜ୍ଞ (ଏଣ୍ଡୋକ୍ରାଇନୋଲୋଜିଷ୍ଟ) ଏକତ୍ର ଥାଇରଏଡ୍ ସମସ୍ୟା ଥିବା ମହିଳାଙ୍କ ଗର୍ଭର ସମୀକ୍ଷା କରି ଔଷଧ ନିରୁପଣ କରିବା ଆବଶ୍ୟକ। ଏହି ଅବସ୍ଥାରେ ଆୟୋଡିନ୍ଯୁକ୍ତ ଲୁଣ, ସମୁଦ୍ର ମାଛ, ଅନ୍ୟାନ୍ୟ ଆୟୋଡିନଯୁକ୍ତ ଖାଦ୍ୟ, ସବୁଜ ଫଳ, ପନିପରିବା ଖାଇବା ଉଚିତ। ନିୟମିତ ଯୋଗ, ପ୍ରାଣାୟାମ, ବ୍ୟାୟାମ କରିବା ଜରୁରୀ।



