ଶ୍ରୀଅରବିନ୍ଦଙ୍କର ୧୫୦ତମ ଜୟନ୍ତୀ ; ଅତିମାନସ ଚେତନା ଜାଗରଣ ରଥକୁ ପିପିିଲିରେ ସ୍ୱାଗତ
ପିପିଲି :ବିଶ୍ୱବନ୍ଦିତ ବିଦ୍ୱାନ, ମହାନକବି, ମନୀଷୀ, ଜାତୀୟତାବାଦୀ, ଭାରତୀୟ ମୁକ୍ତିସଂଗ୍ରାମର ମହାନାୟକ, ଦେଶପ୍ରେମୀ, ଦାର୍ଶନିକ, ଭାରତୀୟ ସଂସ୍କୃତିର ମହାନ ବ୍ୟାଖ୍ୟାକାର, ମାନବଜାତିର ଆଧ୍ୟାତ୍ମିକ ମୁକ୍ତିଦାତା, ମହାଯୋଗୀ ଶ୍ରୀଅରବିନ୍ଦଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟବ୍ୟାପୀ ପରିକ୍ରମା କରୁଥିବା ଅତିମାନସ ଚେତନା ଜାଗରଣ ଯାତ୍ରାର ରଥ ସୋମବାର ପିପିଲି ପରିକ୍ରମା କରିଥିଲା। ଏହି ଜାଗରଣ ରଥକୁ ବିଭିନ୍ନ ସ୍ଥାନରେ ଭରପୁର ସ୍ୱାଗତ କରାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଯାତ୍ରାରେ ସାମିଲ ହୋଇ ଶ୍ରୀଅରବିନ୍ଦଙ୍କ ଦର୍ଶନଲାଭ କରିଥିଲେ।
ଅତିମାନସ ଚେତନା ଜାଗରଣ ଯାତ୍ରା ଅବସରରେ ପରିକ୍ରମା କରୁଥିବା ଶ୍ରୀଅରବିନ୍ଦଙ୍କ ସୁସଜ୍ଜିତ ରଥକୁ ସ୍ଥାନୀୟ ପଣ୍ଡାବଜାର ଠାରେ ପୂର୍ବାହ୍ନ ସାଢେ ୧୧ଟା ସମୟରେ ପିପିଲିର ମାତୃସଦନ ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ପିପିଲି ନୋଡାଇ ହାଇସ୍କୁଲ ଓ ଜବାହର ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ସମେତ ପିପିଲି ମହାବିଦ୍ୟାଳୟର ଏନ୍ସିସି ବିଭାଗର ଛାତ୍ରଛାତ୍ରୀମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଜାଗରଣ ରଥକୁ ପାଛୋଟି ନେଇଥିଲେ।
ଏହି ରଥ ପିପିଲି ଚାନ୍ଦୁଆବଜାର, ଥାନାଛକ, ହାଟଛକ ପରିକ୍ରମା କରିବା ପରେ ପିପିଲି ନୋଡାଲ ହାଇସ୍କୁଲ ପରିସରରେ ପହଞ୍ଚି ଥିଲା। ସେଠାରେ ଦୀର୍ଘ ୨ଘଣ୍ଟା କାଳ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ପିପିଲି ବିଡିଓ ରଶ୍ମିତା ନାଥ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ପିପିଲି ଏନ୍ଏସି ପୌରାଧ୍ୟକ୍ଷ ସେକ୍ ବାବୁ, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି, ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀମାନେ ଶ୍ରୀଅରବିନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦର୍ଶନଲାଭ କରିଥିଲେ।
ଏହି ଅବସରରେ ପିପିଲି ମାତୃସଦନ ପରିବାରର ମୁଖ୍ୟ ଇଂ ରମେଶ ଚନ୍ଦ୍ର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ ନିଷ୍ଠା ମଣ୍ଡଳର ସଂଯୋଜକ ସୁକାନ୍ତ କୁମାର ଜେନା, ଖୋର୍ଦ୍ଧା ଜିଲା ସଂଯୋଜକ ସଞ୍ଜୟ କୁମାର ମହାପାତ୍ର, ନୟାଗଡ ଜିଲା ସଂଯୋଜକ ସୁନିଲ କୁମାର ପୃଷ୍ଟି, ପୁରୀ ମାତୃସଦନ ପରିବାରର ଗଙ୍ଗୋତ୍ରୀ ପାତ୍ର, ଚଞ୍ଚଳା ବେହେରା, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପଲ୍ଲବୀ ସଙ୍ଗୀତ ଅନୁଷ୍ଠାନର ମୁଖ୍ୟ ତଥା ସଂଗୀତ ନିର୍ଦ୍ଦେଶକ ପବିତ୍ର ପରିଡା, ପିପିଲି ମହାବିଦ୍ୟାଳୟର ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଶ୍ରୀଅରବିନ୍ଦଙ୍କ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣଜନତାଙ୍କୁ ଶ୍ରୀଅରବିନ୍ଦଙ୍କ ଜୀବନୀ ସଂପର୍କିତ ପୁସ୍ତିକା ପ୍ରଦାନ କରାଯାଇଥିଲା। ପରେ ଏହି ଜାଗରଣ ରଥ ପିପିଲି ମେଡିକାଲଛକ, ବ୍ଳକଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର ପରିକ୍ରମା କରି ସାକ୍ଷୀଗୋପାଳ ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପିପିଲି ମାତୃସଦନ ପରିବାରର ପ୍ରଫୁଲ୍ଲ କୁମାର ଦାଶ, ଗୋବିନ୍ଦ ପ୍ରଧାନ, ପବିତ୍ର ପରିଡା, ଅଶୋକ ସ୍ୱାଇଁ, ଶରତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.