www.samajalive.in
Saturday, December 13, 2025
26.1 C
Bhubaneswar

ମାତୃଭାଷା ଓ ବୋଧଶକ୍ତି

ବେଳେବେଳେ ମନେପଡ଼େ ପିଲାଦିନେ ପଢ଼ିଥିବା କବିତାଟିର ଅଂଶ- ‘‘ଦୁନିଆ ଯାକରେ ଯେତେ ଡାକ ଅଛି ମାଆ ଡାକ ବେଶି ମିଠା।’’ ଜୀବନବ୍ୟାପୀ ତତ୍ତୁଲ୍ୟ ଅନୁଭୂତି ଦେଇଥାଏ ମାତୃଭାଷା। ବିଶେଷକରି ରାଜ୍ୟ ବାହାରେ ଥିଲାବେଳେ କେହି ଅଚିହ୍ନା ଲୋକ ଏ ଭାଷା କହୁଥିବାର ଶୁଣିଲେ ତାଙ୍କ ପ୍ରତି ହଠାତ୍‌ ଆମ ମନରେ, ନିଜର ଅଜାଣତରେ, ସୃଷ୍ଟି ହୋଇଯାଏ ଆତ୍ମୀୟ ଭାବ- ସତେ ଯେପରି ଜଣେ ପୁରୁଣା ସମ୍ପର୍କୀୟ, ଭାଇଟିଏ। ବୈଜ୍ଞାନିକଙ୍କ ମତରେ ଏପରି ଭାବ ଆମର ଜନ୍ମଗତ ସ୍ବଭାବ। କାରଣ, ଭୂମିଷ୍ଠ ହେବା ଆଗରୁ ମଧ୍ୟ ଆମର ଏ ଭାଷା ସହିତ ପରିଚୟ ଆସିଥାଏ। ମାତୃଗର୍ଭରୁ ଏବଂ ଆମ ଭାବପ୍ରବଣତା ସହ ତାହା ବିଜଡିତ ହୋଇଯାଇଥାଏ ସେହି ଅବସ୍ଥାରୁ।

ଭ୍ରୂଣଟିଏ ୨୭ ସପ୍ତାହର ହେଲାବେଳକୁ ଅନ୍ୟମାନଙ୍କ କଥାବାର୍ତ୍ତା ଏବଂ ସଂଗୀତର ସ୍ବର ଶୁଣିପାରେ, ସେଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିପାରେ ଓ ଶବ୍ଦଗୁଡ଼ିକୁ ମନେ ରଖିପାରେ ବୋଲି ଜଣାପଡ଼ିଛି ଫିନ୍‌ଲ୍ୟାଣ୍ଡର ବୈଜ୍ଞାନିକ ଇନୋ ପାର୍ଟଜେନ୍‌ ଏବଂ ତାଙ୍କ ସହଯୋଗୀଙ୍କ ଗବେଷଣାରୁ। ଏ ସମ୍ପର୍କରେ ବିଶଦ ବିବରଣୀ ଦେଇ ସେମାନେ ବିଜ୍ଞାନ ପତ୍ରିକା ‘ପ୍ରୋସିଡିଙ୍ଗ୍‌ସ ଅଫ୍‌ ନ୍ୟାସ୍‌ନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌’(ଆମେରିକା)ର ୨୦୧୩ ମସିହା ସେପ୍ଟେମ୍ବର ସଂଖ୍ୟାରେ ଏକ ନିବନ୍ଧ ପ୍ରକାଶ କରିଥିଲେ। ଏଥିପୂର୍ବରୁ ୧୯୯୮ ମସିହାରେ ଦୁଇଜଣ ବ୍ରିଟିଶ ବୈଜ୍ଞାନିକ ଷ୍ଟିଫେନ୍‌ ଇଭାନ୍‌ (କେଲେ ବିଶ୍ବବିଦ୍ୟାଳୟ) ଏବଂ ରିଚାର୍ଡ ପର୍ଣ୍ଣକୁଟେ (ବାଥ୍‌ ବିଶ୍ବବିଦ୍ୟାଳୟ) ୨୦ ସପ୍ତାହ ବେଳକୁ ଭ୍ରୂଣଠାରେ ସଂଗୀତକୁ ଶୁଣିବା ଓ ତା’ର ସ୍ବର ମନେରଖିବା ଶକ୍ତି ଆସିଥାଏ ବୋଲି ପରୀକ୍ଷା କରି ଜାଣିପାରିଥିଲେ। ଏହି ବୟସରେ ତା’ ମସ୍ତିଷ୍କର ନିମ୍ନଭାଗ, ଅର୍ଥାତ୍‌ ‘ଥାଲାମସ’ ବିକଶିତ ହୋଇଥାଏ। ଅତଏବ ସେମାନଙ୍କର ଏହି ଆବିଷ୍କାର ଶିକ୍ଷା କରିବା ପ୍ରକ୍ରିୟା ମସ୍ତିଷ୍କର ଉପରିଭାଗ ‘କୋର୍‌ଟେକ୍ସ’ ଉପରେ ନିର୍ଭରଶୀଳ ବୋଲି ଆଗରୁ ପ୍ରଚଳିତ ବିଶ୍ବାସକୁ ବଦଳାଇ ଦେଇଥିଲା। ପୁନଶ୍ଚ ଏଥିରୁ ଜଣାପଡ଼ିଥିଲା ଯେ ଜନ୍ମ ପରେ ମଧ୍ୟ ତା’ର ସେହି ଭାଷା ଏବଂ ସଂଗୀତ ପ୍ରତି ଆକର୍ଷଣ ଅତୁଟ ରହିଯାଇଥାଏ। ମାତୃଭାଷା ପ୍ରତି ଆମର ଜୀବନବ୍ୟାପୀ ଦୁର୍ବଳତାର ଏହାକୁ ଏକ କାରଣ ରୂପେ ଗ୍ରହଣ କରାଯାଇପାରେ। ଅତଏବ ଶିଶୁକୁ ପ୍ରାଥମିକ ଅବସ୍ଥାରେ ସେହି ଭାଷାରେ ହିଁ ଶିକ୍ଷା ପ୍ରଦାନ କରାଯିବା ଉଚିତ। ଏହା ତାକୁ ନିଜର ସାମାଜିକ ତଥା ସାଂସ୍କୃତିକ ପୃଷ୍ଠଭୂମି ଉପରେ ତା’ ବ୍ୟକ୍ତିତ୍ବର ବିକାଶରେ ସହାୟକ ହେବ ଏବଂ ଭାବପ୍ରବଣତାକୁ ଉତ୍ତୋଳିତ କରିବ। ଫଳରେ ସେ ଲାଭ କରୁଥିବା ଶିକ୍ଷା ତା’ ଠାରେ ସୃଜନାତ୍ମକ ଭାବେ ପ୍ରକଟିତ ହେବ। ଏହାକୁ ସେ କେବଳ ମନେରଖିବ ନାହିଁ, ତାକୁ ହୃଦୟଙ୍ଗମ କରିବ ଏବଂ ମନ ଭିତରେ ସଂଚୟ କରି ରଖିବ। ଏହା ମନକୁ ଆଣିଥାଏ ମହାଭାରତର ଏକ ଜନପ୍ରିୟ କାହାଣୀ ଅଭିମନ୍ୟୁଙ୍କୁ ନେଇ। ଗର୍ଭରେ ଥିବା ଅବସ୍ଥାରେ ମାତା ସୁଭଦ୍ରାଙ୍କୁ ପିତା ଅର୍ଜୁନ ଶୁଣାଇଥିବା ଯୁଦ୍ଧ କୌଶଳକୁ ମନେରଖି ସେ ତାହାକୁ ମହାଭାରତ ଯୁଦ୍ଧରେ ପ୍ରୟୋଗ କରିଥିବାର ସେଥିରେ ବର୍ଣ୍ଣିତ ଅଛି।

- Advertisement -

ଶିଶୁ ସହିତ ପ୍ରଥମ ବାର୍ତ୍ତାଳାପ ହୋଇଥାଏ ମା’ଙ୍କର। ତାଙ୍କ ଦ୍ବାରା ବ୍ୟବହୃତ ଭାଷା ହିଁ ହେଲା ପ୍ରକୃତରେ ତା’ର ମାତୃଭାଷା। ଗର୍ଭାବସ୍ଥାରୁ ତା’ର ମାନସିକ ବିକାଶ ସହିତ ଏହା ଯୋଡ଼ି ହୋଇଥାଏ। ତେଣୁ କୁହାଯାଏ ଯେ ମାତୃଭାଷା କେବଳ ବାର୍ତ୍ତାଳାପର ଏକ ମାଧ୍ୟମ ନୁହେଁ, ଏହା ଶିଶୁର ମନକୁ ସ୍ପର୍ଶ କରିଥାଏ ଏବଂ ତା’ର ବୋଧଶକ୍ତି ତଥା ବ୍ୟକ୍ତିତ୍ବର ବିକାଶ ସହିତ ଶିକ୍ଷା କରିବାର ସାମର୍ଥ୍ୟ ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଥାଏ। ସେଥିପାଇଁ ଶିଶୁଙ୍କ ସହିତ କଥାବାର୍ତ୍ତା କଲାବେଳେ ଭାଷା ଓ ପ୍ରକାଶଭଙ୍ଗୀକୁ ନେଇ ଆମେ ସଚେତନ ରହିବା ଉଚିତ ବୋଲି ମତ ଦିଅନ୍ତି ମନସ୍ତତ୍ତ୍ବବିତ୍‌ଗଣ।

ମସ୍ତିଷ୍କ କିପରି ଶୈଶବାବସ୍ଥା ଏବଂ ପରବର୍ତ୍ତୀ ଜୀବନକାଳରେ ଭାଷାକୁ ଭିନ୍ନଭିନ୍ନ ଭାବେ ଗ୍ରହଣ କରେ ଏବଂ ପୁନର୍ବାର ସ୍ମରଣ କରାଏ ତାହାକୁ ନେଇ ପରୀକ୍ଷାମାନ କରିଛନ୍ତି। ଆମେରିକାର ‘କଗ୍ନିିଟିଭ୍‌ ଇଲେକ୍‌ଟ୍ରୋ ଫିଜିଓଲୋଜି’ର ପ୍ରଫେସର ଆଲିସ୍‌ ମାଡ଼ୋ ପ୍ରୋଭେରବି(୨୦୧୮)ଙ୍କ ଅନୁଯାୟୀ ଏଥି ସହିତ ତାହାର ବିବିଧ ପ୍ରକାର ସଂପୃକ୍ତି ବିବିଧ ବୈଦ୍ୟୁତିକ କ୍ରିୟାକଳାପ ବୃଦ୍ଧି ମାଧ୍ୟମରେ ପ୍ରକଟିତ ହୁଏ। ଏଣୁ ସ୍ବାଭାବିକଭାବେ ଆମର ଚିନ୍ତାକରିବା, ସ୍ବପ୍ନ ଦେଖିବା ଏବଂ ଭାବପ୍ରବଣତା ଅନୁଭବ କରିବା ଆଦି ପ୍ରକ୍ରିୟା ଏହାରି ମାଧ୍ୟମରେ ହିଁ ଘଟିଥାଏ ବୋଲି ତାଙ୍କର ମତ। ତେବେ, ମାତୃଭାଷାରେ ଏ ସମସ୍ତ ଅଧିକ ସୂଚାରୁରୂପେ ଏବଂ ନିବିଡ଼ଭାବେ​‌​‌ ସଂପାଦିତ ହୁଏ, ବିଶେଷକରି ଶୈଶବାବସ୍ଥାରେ। ଏଣୁ ତାଙ୍କ ମତରେ ପ୍ରାଥମିକ ଶିକ୍ଷା ଏହାରି ମାଧ୍ୟମରେ ହେବା ଉଚିତ। ନଚେତ୍‌ ଜନ୍ମ କାଳରୁ ପରିଚିତ ହୋଇଥିବା ଭାଷା ବଦଳରେ ହଠାତ୍‌ ଏକ ଅପରିଚିତ ଭାଷା ପ୍ରତି ଉନ୍ମୁକ୍ତ ହେବା ତା’ ଭାବନା ଏବଂ ନୂତନ ପରିବେଶ ତଥାକଥିତ ‘ଭାବନା ଦ୍ବନ୍ଦ୍ବ’ ସୃଷ୍ଟି କରିପାରେ।

ବହୁ ମନସ୍ତାତ୍ତ୍ବିକ, ସାମାଜିକ ଏବଂ ଶୈକ୍ଷିକ ପରୀକ୍ଷା ପ୍ରମାଣିତ କରିଛି ଯେ ମାତୃଭାଷାରେ ଶିକ୍ଷା ଶିଶୁପାଇଁ ଅଧିକ ଗହୀର, ଦ୍ରୁତ ଏବଂ ପ୍ରଭାବଶାଳୀ। ଏହା ତା’ର ଭବିଷ୍ୟତର ମାନସିକ, ସାମାଜିକ ଏବଂ ବୌଦ୍ଧିକ ବିକାଶ ସହିତ ସଂପୃକ୍ତ। ଏପରିକି ଏହା ଅଧିକାଂଶ ସମୟରେ ଅନ୍ୟ ଭାଷା ଶିକ୍ଷା କରିବାକୁ ମଧ୍ୟ ସହଜ କରିଥାଏ। ପ୍ରସିଦ୍ଧ ଗବେଷକ ଜାଁ ପିଆଗେଟ୍‌ଙ୍କ ମତରେ ପ୍ରତ୍ୟେକ ଭାଷା(ମାତୃଭାଷା)ର ଏକ ସ୍ବତନ୍ତ୍ରତା ରହିଛି। କହୁଥିବା ଲୋକର ବ୍ୟକ୍ତିତ୍ବର ବିକାଶରେ ଏହାର ଭୂମିକା ଅନନ୍ୟ। ଅନ୍ୟପକ୍ଷରେ ଏଥିସହିତ ଏକ ଉପଯୁକ୍ତ ସ୍ତରରେ ଶିକ୍ଷା କରାଯାଇଥିବା ଦ୍ବିତୀୟ ଭାଷା ମନକୁ ଅଧିକ ଉନ୍ମୁକ୍ତ କରେ ସାରା ବିଶ୍ବ ପ୍ରତି। ଫଳରେ ତହିଁରୁ ଅନ୍ୟକୁ ବୁଝିବାର ସାମର୍ଥ୍ୟ ସହିତ ଶାନ୍ତି ଏବଂ ସହାବସ୍ଥାନ ଶକ୍ତି ଉଦ୍ରେକ ହୁଏ।

ବିଦେଶରେ ବସବାସ କରୁଥିବା ଲୋକଙ୍କୁ ଅତି କମ୍‌ରେ ଦୁଇଟି ଭାଷା ଶିକ୍ଷା କରିବାକୁ ହୁଏ। ସେମାନଙ୍କ ସନ୍ତାନସନ୍ତତିମାନେ ଶୈଶବରୁ ଏହା କରନ୍ତି- ଘରେ ମାତୃଭାଷା ଏବଂ ବାହାରେ ସେଠାର ସ୍ଥାନୀୟ ଭାଷାର ବ୍ୟବହାର। ଏଭଳି ଏକାଧିକ ଭାଷାଶିକ୍ଷା ବୁଦ୍ଧିମତ୍ତାକୁ ବିସ୍ତାରିତ କରେ ବୋଲି ଜଣାପଡ଼ିଛି ରିଡିଂ ବିଶ୍ବବିଦ୍ୟାଳୟଠାରେ ହୋଇଥିବା ଏକ ଅଧ୍ୟୟନରୁ (୨୦୧୮)। ଏଥିପାଇଁ ଗବେଷକମାନେ ଇଂଲଣ୍ଡରେ ବସବାସ କରୁଥିବା ୭ରୁ ୧୯ବର୍ଷ ବୟସ୍କ ୧୦୦ଜଣ ତୁର୍କୀ ପିଲାଙ୍କ ଉପରେ ପରୀକ୍ଷାଟିଏ କରିଥିଲେ। ତହିଁରୁ ଜଣାପଡ଼ିଛି ଯେ ଘରେ ମାତୃଭାଷା ଏବଂ ସ୍କୁଲରେ ଭିନ୍ନ ଭାଷା (ଇଂରାଜୀ) ବ୍ୟବହାର କରୁଥିବା ପିଲାମାନଙ୍କର ବୁଦ୍ଧିମତ୍ତା ମାତୃଭାଷା ଆଦୌ ବ୍ୟବହାର କରୁନଥିବା କିମ୍ବା କେବଳ ସ୍ଥାନୀୟ ଭାଷା (ଇଂରାଜୀ) ଉପଯୋଗ କରୁଥିବା ପିଲାଙ୍କ ତୁଳନାରେ ବେଶ୍‌ ଅଧିକ। ଏହି ଅଧ୍ୟୟନକାରୀଙ୍କ ମଧ୍ୟରୁ ଅନ୍ୟତମ ହେଲେ ପ୍ରଫେସର ମାଇକେଲ୍‌ ଡାଲେର। ତାଙ୍କ ମତରେ ସୃଜନାତ୍ମକ ଧାରଣାମାନ ବିକଶିତ କରିବାର ପ୍ରକୃଷ୍ଟ ମାଧ୍ୟମ ହେଲା ମାତୃଭାଷା। ବାଲ୍ୟାବସ୍ଥା​‌େ​‌ର ଏହା ଅଧିକ ମାତ୍ରାରେ ଘଟିଥାଏ। ଏଣୁ ଏହାପରେ ଭିନ୍ନ ଭାଷାଟିଏ ଶିକ୍ଷା କରିବା ଉଚିତ। ଏପରିସ୍ଥଳେ ପ୍ରାଥମିକ ଶିକ୍ଷା ମାତୃଭାଷା ମାଧ୍ୟମରେ ଏବଂ ପରବର୍ତ୍ତୀ ସ୍ତରରେ ସେଥିସହିତ ଦ୍ବିତୀୟ ଭାଷାଟିଏ ଯୋଡ଼ିଦେବା ସୁଫଳଦାୟୀ ଅଟେ। ମସ୍ତିଷ୍କ ଉପରେ ଏହାର ସୁପ୍ରଭାବ ରହିଛି। ସେହି କାରଣରୁ ଦୁଇଟି ଭାଷାରେ ଦକ୍ଷତା ଅର୍ଜନ କରିଥିବା ଲେଖକମାନେ ଅଧିକ ସୃଜନାତ୍ମକ ହୋଇପାରନ୍ତି ବୋଲି କୁହାଯାଏ। ଏହାର ଉଦାହରଣ ହେଲେ ମନୋଜ ଦାସ, ମୃଦୁଳା ଗର୍ଗ, କମଳା ଦାସ, ଗିରୀଶ କର୍ଣ୍ଣାଡ୍‌ ପ୍ରମୁଖ।

ଭାଷା ସହିତ ମସ୍ତିଷ୍କର ସଂପୃକ୍ତିକୁ ନେଇ ଏକ ଅତ୍ୟନ୍ତ ଚିତ୍ତାକର୍ଷକ ଦୃଷ୍ଟାନ୍ତ ମିଳିଛି ଇଂଲଣ୍ଡରେ ଘଟିଥିବା ଏକ ଘଟଣାରୁ (୨୦୧୪)। ଇଂରାଜୀ ମାତୃଭାଷା ହୋଇଥିବା ଏଠାର ଜନୈକ ବିଦ୍ବାନ ବ୍ୟକ୍ତି ମାଣ୍ଡାରିନ୍‌ ଭାଷାରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ। ଥରେ ତାଙ୍କର ମସ୍ତିଷ୍କ ସଂଘାତ ହେଲା। ଏଣୁ ଅସ୍ତ୍ର ଚିକିତ୍ସା କରାଗଲା। ତା’ପରେ ସେ ସଂପୂର୍ଣ୍ଣ ରୂପେ ଭୁଲିଗଲେ ଇଂରାଜୀ ଏବଂ କେବଳ ମାଣ୍ଡାରିନ୍‌ ଭାଷା ହିଁ ବ୍ୟବହାର କରିବାକୁ ସକ୍ଷମ ହେଲେ। ସମ୍ଭବତଃ ଇଂରାଜୀ ଭାଷା ସହିତ ସଂପୃକ୍ତ ତାଙ୍କ ମସ୍ତିଷ୍କର ଅଂଶଟି ନିଷ୍କ୍ରିୟ ହୋଇପଡ଼ିବାରୁ ଏପରି ଘଟିଲା।

ଏସବୁ କଥା ବିଚାରକୁ ନେଲେ ଉପସଂହାରରେ ପହଞ୍ଚିବାକୁ ହୁଏ ଯେ ଆମ ଦେଶରେ ବିଶେଷକରି ସ୍ବଚ୍ଛଳବର୍ଗର ଲୋକେ ଯେପରି ବାଲ୍ୟକାଳରୁ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲକୁ ପଠାଇ ଦେଉଛନ୍ତି ଏବଂ ଘରେ ମଧ୍ୟ ତାଙ୍କ ସହିତ ଇଂରାଜୀରେ ବାର୍ତ୍ତାଳାପ କରୁଛନ୍ତି ତାହା ସେମାନଙ୍କ ପାଇଁ ଆଦୌ ହିତକର ନୁହେଁ। ତାହା ଅପେକ୍ଷା ବରଂ ସାଧାରଣଭାବେ ପ୍ରାଥମିକ ଶିକ୍ଷାସ୍ତରରେ ଯେପରି କେବଳ ମାତୃଭାଷାର ବ୍ୟବହାର ଏବଂ ମାଧ୍ୟମିକ ସ୍ତରରେ ଇଂରାଜୀକୁ ଗୋଟିଏ ଭାଷାରୂପେ ପଢ଼ାଯାଉଛି ତାହା ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଧେୟ। ଏହା ପରେ କଲେଜ ସ୍ତରରେ, ବିଶେଷକରି ଉଚ୍ଚତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇଂରାଜୀ ମାଧ୍ୟମରେ ଏବଂ ସେଥିସହିତ ମାତୃଭାଷାକୁ ଗୋଟିଏ ବିଷୟ ରୂପେ ଶିକ୍ଷାଦାନ କରାଯିବା ଉଚିତ। ଫଳରେ ବ୍ୟକ୍ତିତ୍ବ ଓ ପ୍ରଜ୍ଞାର ବିକାଶ ଘଟିବା ସହିତ ବୋଧଶକ୍ତି ଉତ୍ତୋଳିତ ହୋଇପାରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories