ଅଳ୍ପ ଆଲୋଚନା, ଦୁଇଟି ଭିନ୍ନ ଦୁନିଆର ଚିତ୍ର ଓ ଚରିତ୍ରକୁ ନେଇ। ଗୋଟିଏ ପଟେ ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ତ ଅନ୍ୟପଟେ ସ୍ୱଳ୍ପତା ଭିତରେ ସମୃଦ୍ଧି। ଗୋଟିଏ ପଟେ ଅନୀତିର ଅନ୍ଧକାରକୁ ଆମନ୍ତ୍ରଣ ତ ଅନ୍ୟପଟେ ନୈତିକତାର ନିର୍ମାଲ୍ୟ, ଉଦ୍ଭାସିତ ଦୁନିଆ ପାଇଁ ଉତ୍କଣ୍ଠା। ଗୋଟେ ପଟେ ଭୋଗର ଭୋକ ତ ଆର ପଟେ ତ୍ୟାଗର ତୋରଣ। ଏପରି ସ୍ଥିତିରେ ଚାତୁରୀପଣକୁ ଆଦରି ନେଉଥିବା ମଇଳାମୁହାଁ ଆଗଧାଡ଼ିଆମାନେ ମହାନ ନା ସତ୍ୟସନ୍ଧାନୀ ସରଳ ମଣିଷମାନେ? କିଏ ଆମ ପାଇଁ ଆଦର୍ଶର ଆଧାର? ଆସନ୍ତୁ ଟିକେ ପରଖିନେବା।
ଆଜିର ଭାରତରେ ଆଇଏଏସ, ଆଇପିଏସ, ଆଇଏଫଏସ୍ ପଦମାନ ହେଉଛି ସବୁଠୁ ଲୋଭନୀୟ। ସର୍ବାଧିକ ସମ୍ମାନ ସାଉଁଟୁଥିବା ସାହେବମାନେ, କରଦାତାଙ୍କ ପଇସାରୁ ପାଆନ୍ତି ମୋଟା ଅଙ୍କର ଦରମା। ପ୍ରତିବଦଳେ ଏ ସମାଜ ମଧ୍ୟ ତାଙ୍କଠୁ କିଛି ଅପେକ୍ଷା ରଖିଥାଏ। ଦାୟିତ୍ୱ ଓ କର୍ତ୍ତବ୍ୟକୁ ସାଥିକରି ଦେଶ ବିକାଶର ବିନ୍ଧାଣି ହୋଇ ସାଜିବେ ସମାଜର ଆଲୋକ ବର୍ତ୍ତିକା; କିନ୍ତୁ ଦେଶର ଦୁର୍ଭାଗ୍ୟ ଯେ ସେବାପାଇଁ ସଂକଳ୍ପିତ ସେବକଙ୍କ ଭିତରୁ ବହୁଳାଂଶଙ୍କ କଳା କାରନାମା, କୁତ୍ସିତ କୀର୍ତ୍ତିସବୁ ଦେଖିଲେ ମନେହୁଏ ସତେ ଯେମିତି ଏମାନେ ହେଉଛନ୍ତି ସମାଜର ଗୋଟେଗୋଟେ ଦୁଷ୍ଟବ୍ରଣ ସଦୃଶ। ବର୍ଷ ଆଦ୍ୟରୁ ଦେଢ଼ମାସରେ ଓଡିଶାରୁ ୨୩ଜଣ, ଅର୍ଥାତ୍ ପ୍ରତି ୨ଦିନରେ ଜଣେ ଲେଖାଏଁ ବିଦା ହୋଇଥିବା ବାବୁଙ୍କୁ ମିଶାଇଲେ ଦେଢ଼ଶହକୁ ଟପିଗଲାଣି ସଂଖ୍ୟା। କେନ୍ଦ୍ର ସରକାର ମଧ୍ୟ ପ୍ରାୟ ୫ଶହ ପାଖାପାଖି ଉଚ୍ଚ ପଦବୀଧାରୀ ବାବୁମାନଙ୍କୁ ବିଦା କରିଥିବାର ଜଣାଯାଏ। ବନ୍ଧା ହେଉଥିବା ଏଭଳି ବାବୁଙ୍କ ସଂଖ୍ୟା ନଗଣ୍ୟ; ମାତ୍ର ଧରା ପଡୁନଥିବା ବାବୁଙ୍କ ସଂଖ୍ୟା ବହୁତ ବେଶୀ ହେବ। ବାବୁମାନଙ୍କ ଭିତରୁ କେତେଜଣ ବାହାରିବେ ଯେଉଁମାନେ ଛାତିରେ ହାତ ରଖି କହି ପାରିବେ ସଚ୍ଚୋଟ ବୋଲି? ଏଭଳି ସ୍ଥିତିରେ ସଚ୍ଚୋଟତାକୁ ସାଥୀ କରୁଥିବା ବାବୁମାନେ ତ ଆମର ଚିର ନମସ୍ୟ। ଶିକ୍ଷାର ଶିଡ଼ି ଚଢ଼ି ଉଚ୍ଚ ଡିଗ୍ରୀଧାରୀ ଏହି ବାବୁମାନଙ୍କ ଦକ୍ଷତାକୁ ଆଧାରକରି ଏଭଳି ସର୍ବୋଚ୍ଚ ପଦରେ ନିଯୁକ୍ତି ମିଳେ। ଆଦ୍ୟରେ ଆଦର୍ଶ ଦୃଷ୍ଟାନ୍ତ ବନିଥିବା ଏହି ବାବୁମାନେ ପ୍ରତିବର୍ଷ ଅକ୍ଟୋବର ଶେଷ ସପ୍ତାହରେ ବିି ସତ୍ୟନିଷ୍ଠ ହେବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି, ‘ଦୁର୍ନୀତି ନିବାରଣ ସପ୍ତାହ’ ପାଳନ ଅବସରରେ। ନିଜ ନିଜ ଦୁନିଆରୁ ଦୁର୍ନୀତି ଦୂରକରି ଭ୍ରଷ୍ଟାଚାର ମୁକ୍ତ ସମାଜଟିଏ ଗଢିବାକୁ ପ୍ରତିବର୍ଷ ସତ୍ୟପାଠ କରନ୍ତି। ଶୁଆଟି ରାମନାମ ଘୋଷିଲାପରି ଏହି ଉଦ୍ଘୋଷଣର ଉଦ୍ଦେଶ୍ୟ ହେଉଛି ଉତ୍କର୍ଷର ଉତ୍କଣ୍ଠାକୁ ଉଜାଗର କରିବା। ମାତ୍ର ଆଦର୍ଶପଣକୁ ଉପେକ୍ଷା କରି ଏମାନେ ଅତି ମାତ୍ରାରେ ସ୍ୱାର୍ଥୀ ଓ ଲୋଭୀ ହୋଇଯାଆନ୍ତି ପରକ୍ଷଣରେ। ଏମାନଙ୍କ ଏତାଦୃଶ ଆଚରଣରୁ ଏ ସମାଜ କ’ଣ ବୁଝିବ? ଏହା କ’ଣ ଛଳନା ଓ ତଞ୍ଚକତାର ଚକବନ୍ଦୀ ନୁହଁ? ମହାଭାରତରେ ଧର୍ମରାଜ ଯୁଧିଷ୍ଠିରଙ୍କ ନ୍ୟାୟ ବିଚାର ଅନୁଯାୟୀ ସମଅପରାଧରେ ସାଧାରଣ ନାଗରିକ ଅପେକ୍ଷା ଆଗଧାଡ଼ିର ଏହି ମଣିଷମାନେ ଅଧିକ ମାତ୍ରାରେ ଅପରାଧୀ ନୁହନ୍ତି କି?
ଏବେ ଆସିବା ଏକ ଭିନ୍ନ ଦୁନିଆକୁ ଯେଉଁ ଦୁନିଆରେ ରହନ୍ତି ଶ୍ରମଜୀବୀ, କୃଷିଜୀବୀ ଶ୍ରେଣୀର ଅତି ସାଧାରଣ ମଣିଷ। ଏମାନଙ୍କର ନଥାଏ ଏତେଟା ଶିକ୍ଷା ବା ବାକ୍ସଭର୍ତ୍ତି ଡିଗ୍ରୀ ପ୍ରମାଣପତ୍ର; ବରଂ ଏମାନେ ଅଶିକ୍ଷିତ ଅବା ସ୍ୱଳ୍ପଶିକ୍ଷିତ ଏବଂ ଅଭାବରେ ଶଢୁଥିବା ମେହନତୀ ମଣିଷ। ଅନଟନ ଓ ଅସୁବିଧାର ଅନ୍ଧକାରରେ ଆଉଟୁପାଉଟୁ ହେଉଥିଲେ ବି ଏମାନେ କିନ୍ତୁ ଆଲୋକ ଓ ଆଦର୍ଶ ଆଶାୟୀ। ଚେତନାଦୀପ୍ତ ପ୍ରାଣରେ ଭରି ରହିଛି ପାପପୁଣ୍ୟର ବିଚାର; ବରଂ ଶୋଷିତ ହୁଅନ୍ତି କିନ୍ତୁ ନ ଥାଏ ଶୋଷଣର ଶୋଷ। ଉଦରପୂର୍ତ୍ତି ଉଦାରତା ଓ ତ୍ୟାଗର ତରଙ୍ଗରେ ମହକିତ ମାନସ। ମୂଲ୍ୟବୋଧର ମହକରେ ମହକିତ ଏ ମନୁଷ୍ୟମାନେ ସମାଜ ଆଖିରେ ବି ଉପେକ୍ଷିତ। ଭଦ୍ରକର ମୌସୁମୀ ମହାନ୍ତି, ଦୁଃଖ ଦୁନିଆର ଜଣେ ଅଭାଗିନୀ, ସଦ୍ୟ ବିବାହିତା ବିଧବା ତରୁଣୀ। ସ୍ବାମୀଙ୍କ ବିୟୋଗାନ୍ତେ ସାଥିହରା। ଲୋଡ଼ା ନିହାତି ଆର୍ଥିକ ସମ୍ବଳ। ପାଖରେ ବି ସାଇତା ଥିଲା ଏକ ବୃହତ୍ ଅର୍ଥରାଶି, ଯାହାକି ଭବିଷ୍ୟତ ଜୀବନପାଇଁ ରାହା ସାଜିଥାନ୍ତା; ମାତ୍ର ଦିବ୍ୟାଅଂଶୀ ମୌସୁମୀ ରଚିଲେ ଦିବ୍ୟଦୃଷ୍ଟାନ୍ତ। ସ୍ବାମୀଙ୍କ ଚିକିତ୍ସା ବାବଦକୁ ପାଇଥିବା ସାହାଯ୍ୟର ବଳକା ୪୦ ଲକ୍ଷ ଟଙ୍କାକୁ ଜିଲାପାଳଙ୍କ ମାଧ୍ୟମରେ ଦାନ କଲେ ସମାଜ ହିତରେ। ରାଜସ୍ଥାନ ଜୟପୁରର ଜଣେ ରିକ୍ସାଚାଳକ ମହମ୍ମଦ ଆବିଦ କ୍ୟୁରେସି। ଘରକୁ ଫେରିଲାବେଳେ ବାଟରେ ପାଇଲେ ୫୦୦ ଟଙ୍କିଆ ଭର୍ତ୍ତି ବ୍ୟାଗଟିଏ, ଅଗଷ୍ଟ ୨୦୧୫ରେ। ସେଇଠି ଅଖିଆଅପିଆ ଦୀର୍ଘ ୪/୫ଘଣ୍ଟା ଅପେକ୍ଷା କରିବାପରେ ରାତି ୯ରେ ଥାନାକୁ ଯାଇ ପୁଲିସକୁ ହସ୍ତାନ୍ତର କଲେ ୧ ଲକ୍ଷ ୭୦ହଜାର ଟଙ୍କା। ସାରଳା ନମ୍ବୁଦ୍ୱୀରି ଚେନ୍ନାଇସ୍ଥ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିଚାଳିକା। ଅଟୋରେ ଫେରୁଥିବାବେଳେ ଛାଡି ଦେଇଥିଲେ ନିଜ ଭ୍ୟାନିଟିବ୍ୟାଗ, ଯେଉଁଥିରେ ଥିଲା କ୍ରେଡିଟ ଓ ଡେବିଟ କାର୍ଡ, ଆଧାର ଓ ପାନ କାର୍ଡ ସମେତ, ଡିଏଲ, ଦୁଇଟି ଦାମିକା ମୋବାଇଲ ଫୋନ, ଘରର ଚାବି, ବ୍ୟାଙ୍କ ଲକରର ଚାବି ସହିତ ୮୦ ହଜାର ଟଙ୍କା। ପାଗଳପ୍ରାୟ ହେଇଗଲେ ସେ। ତା’ ପରଦିନ ପୁଲିସ ସହାୟତାରେ ଖୋଜିଖୋଜି ଆସି ଅଟୋଚାଳକ ଅମିତ ଗୁପ୍ତା ତାଙ୍କୁ ନିଜେ ଫେରାଇ ଦେଇଗଲେ ସେସବୁ। କୋରାପୁଟ ବୈପାରିଗୁଡାର ଚା’ଦୋକାନୀ ସୁଦାମ ଦାସଙ୍କ କଥା, ମାର୍ଚ୍ଚ ୨୦୧୮ର। ମୋଟର ସାଇକଲରେ ଜୟପୁର ଯାଉଥିବା ଜଣେ ବ୍ୟବସାୟୀ, ଚା’ ପିଇସାରି ଚାଲିଗଲେ ଟଙ୍କାଭର୍ତ୍ତି ବ୍ୟାଗଟିଏ ଛାଡ଼ିଦେଇ। କେଇଘଣ୍ଟା ପରେ ଅତି ବିଷଣ୍ଣ ବଦନରେ ପହଞ୍ଚିଲେ ବାଟସାରା ଖୋଜିଖୋଜି। ସଯତ୍ନ ସାଇତା ବ୍ୟାଗଟିରେ ଲକ୍ଷାଧିକ ଟଙ୍କା ସେମିତି ସୁରକ୍ଷିତ ଥିବା ଦେଖି ଆନନ୍ଦରେ ଅଧୀର ହୋଇଯାଇଥିଲେ ସେ। ଏବେ ସେମିତି ଯାଜପୁର ଜାରକାର ଆଉ ଜଣେ ଚା’ଦୋକାନୀ ଖୋଜିଖୋଜି ଟଙ୍କାଭର୍ତ୍ତି ମନିପର୍ସ ଫେରେଇଲେ ନିର୍ଦିଷ୍ଟ ବ୍ୟକ୍ତିଙ୍କୁ।
ଗତ ଫେବୃଆରୀର ଆଉ ଏକ ଆଦର୍ଶର ଚିତ୍ର, ଆଗ୍ରାରୁ। ଅଟୋ ଡ୍ରାଇଭର ମୁନ୍ନା, ଦେଢ଼ଲକ୍ଷ ଟଙ୍କା ଥିବା ବ୍ୟାଗଟିଏ ପାଇ ଥାନାରେ ହସ୍ତାନ୍ତର କଲେ, ସେଇ ବ୍ୟକ୍ତିଙ୍କୁ ଠାବ କରି ଫେରେଇ ଦେବାକୁ। ଏହିପରି ଅନେକ ସମୟରେ ଅନେକ ରିକ୍ସା ଓ ଅଟୋଚାଳକ ବା ପଥଚାରୀ ସାଧାରଣ ମଣିଷ, ଲକ୍ଷଲକ୍ଷ ଟଙ୍କାର ଗହଣା ଓ ଟଙ୍କାଭର୍ତ୍ତି ବ୍ୟାଗ ପାଇ ଫେରେଇ ଦେଉଥିଲାବେଳେ ମନ୍ତ୍ରୀଠୁ ଯନ୍ତ୍ରୀ, କୁନି ହାକିମ-କିରାଣିଙ୍କଠାରୁ ବଡ଼ ହାକିମ-କିରାଣିମାନେ ଅନେକେ ତଣ୍ଟିପର୍ଯ୍ୟନ୍ତ କୋଟିକୋଟି ଟଙ୍କା ଲୁଟିବାରେ ବ୍ୟସ୍ତ ଓ ବ୍ୟଗ୍ର। ଆଗଧାଡିରେ ଥିବା ଏଭଳି ଶଠମାନେ କେଉଁ ଗୁଣରେ ଗରୀୟାନ, ପଛଧାଡ଼ିର ଏହି ସାଧାରଣ ମଣିଷମାନଙ୍କଠାରୁ? ବିଡ଼ମ୍ବନାର ବିଷୟ ହେଉଛି ଏଭଳି ସ୍ବଚ୍ଛମଣିଷଙ୍କ ସମ୍ବନ୍ଧେ ବିଶେଷ ଚର୍ଚ୍ଚା ଧରେନି; ବରଂ ସୁନ୍ଦର ଚର୍ଚ୍ଚା ଧରେ ରାଜନେତାଙ୍କ ‘ମିଟିଂ-ସିଟିଂ-ଇଟିଂ’ର ଅବା ତଥାକଥିତ ତାରକାମାନଙ୍କ ସୌଖୀନଶୈଳୀ। ଦେହ ହାତ ହଲେଇ, ଫୁଙ୍ଗୁଳା ଦେହ ଦେଖେଇ ଅବା ଚୌକା-ଛକା ମାରି ଶହଶହ କୋଟି ଟଙ୍କା ଅର୍ଜୁଥିବା ଏହି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ବି ଚାଲେ ପ୍ରତିଯୋଗିତା ;ମାତ୍ର ମହତ ମନର ଏହି ମଣିଷ ମାନଙ୍କୁ ନେଇ ଦୀପଟିଏ ଜାଳିବାକୁ ଅବା ସମ୍ବର୍ଦ୍ଧିତ କରିବାକୁ କେତେ ଜଣ ଆମେ ଆଗେଇଆସୁ?



