ପିପିଲି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗାଁରେ ଭୋଟ୍ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି। ଘରକୁ ଘର ବୁଲି ପ୍ରାର୍ଥୀ ଓ ନେତାମାନେ ଭୋଟ୍ ପ୍ରଚାର ଚଳାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। ଏପରିକି ଡାକବାଜି ଯନ୍ତ୍ରରେ ବିଭିନ୍ନ ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ନିର୍ବାଚନ ପ୍ରଚାର ଏବେ ଜୋର୍ ଧରିଥିବା ବେଳେ ଗାଁ ଗଣ୍ଡାରେ ଡାକବାଜି ଯନ୍ତ୍ର ପ୍ରଚାରକୁ ନେଇ କେଉଁଠି ଲୋକେ ଖୁସି ହେଉଛନ୍ତି ତ କେଉଁଠି ଉଚ୍ଚ ଶବ୍ଦରେ ଲୋକେ ବିରକ୍ତ ହେଉଛନ୍ତି। ଅନେକ ସମୟରେ ଗୋଟିଏ ସ୍ଥାନରେ ଏକାଧିକ ପ୍ରାର୍ଥୀଙ୍କର ଡାକବାଜି ଯନ୍ତ୍ର ପ୍ରଚାର ଗାଡି ଏକାଠି ହୋଇଯାଉଥିବାରୁ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ଏଥିଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର କଟକଣା କୋହଳ ହେବା ପରେ ପ୍ରତ୍ୟେକ ଜିଲା ପରିଷଦ ଜୋନ୍, ପଞ୍ଚାୟତ ଓ ୱାର୍ଡରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜର ଭୋଟ୍ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଏବେ ବାଇକ୍ ଶୋଭାଯାତ୍ରା ନିର୍ବାଚନୀ ପ୍ରଚାରକୁ ଅଧିକ ସରଗରମ କରିଛି।
ପିପିଲି ବ୍ଲକର ୨୨ନଂ ଜିଲା ପରିଷଦ ଜୋନ୍ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ଏହି ଜୋନ୍ରେ ବିଜେପିରୁ ପ୍ରଭାସିନୀ ବେହେରା, କଂଗ୍ରେସ ଦଳରୁ ରୂପାଲୀ ସେଠୀ, ବିଜେଡିରୁ ସୁଶ୍ରୀ ସଙ୍ଗୀତା ବେହେରା ଓ ସିପିଆଇ(ଏମଏଲ) ଲିବରେସନରୁ ସ୍ୱର୍ଣ୍ଣଲତା ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ୨୩ନଂ ଜିଲା ପରିଷଦ ଜୋନ୍ରେ ବିଜେଡ଼ିରୁ ସୁଶାନ୍ତ କୁମାର ମଲ୍ଲିକ, ବିଜେପିରୁ ସୁରେନ୍ଦ୍ର ବେହେରା, କଂଗ୍ରେସରୁ ରମେଶ କୁମାର ବେହେରା ଓ ଆମ ଆଦମୀ ପାର୍ଟିରୁ କବି ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ଅଣସଂରକ୍ଷିତ ଥିବା ୨୪ ନଂ ଜିଲା ପରିଷଦ ଜୋନ୍ରେ ୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଠାରେ ବିଜେଡିରୁ ଧରଣୀଧର ସାହୁ, ବିଜେପିରୁ ଅକ୍ଷୟ କୁମାର ବେହେରା, କଂଗ୍ରେସରୁ କୃପାସିନ୍ଧୁ ଦାସ, ଆମ ଆଦମୀ ପାର୍ଟିରୁ ମହମ୍ମଦ ନୌସାଦ ଅଲ୍ଲୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଜୟ କୁମାର ମଲ୍ଲିକ, ଚିତ୍ତରଞ୍ଜନ ବେହେରା ଓ ସୁଦର୍ଶନ ଜେନା ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ୩ଟି ଯାକ ଜିଲା ପରିଷଦ ଜୋନ୍ରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଥିବା ସୂଚନା ମିଳିଛି।
ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ୩ଟି ଜିଲା ପରିଷଦ ଜୋନ୍ରେ ଏବେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ଗାଁ ଗାଁରେ ଏବେ ଭୋଜିର ଆସର ବେଶ୍ ଜମିବାରେ ଲାଗିଛି। ଘରକୁ ଘର ବୁଲି ପୁସିଂ କାର୍ଡ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଚଳାଇଛନ୍ତି। ‘ହାତି ନେ, ଘୋଡା ନେ- ମୋ ପେଁକାଳି ବଜାଇଦେ’ ନ୍ୟାୟରେ ଭୋଟ ହାତେଇବା ପାଇଁ ନେତାମାନେ ପ୍ରତିଶୃତିରେ ପୋତି ପକାଉଛନ୍ତି। ଏପରିକି ଡାକବାଜି ଯନ୍ତ୍ରରେ ପ୍ରଚାର ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ନିର୍ବାଚନୀ ପ୍ରତିଶୃତି ମଧ୍ୟ ଦେଉଥିବା ପରିଲକ୍ଷିତ ହୋଇଛି। ଗ୍ରାମ୍ୟଛକ ଓ ବଜାରଘାଟ ଠାରୁ ଆରମ୍ଭ କରି ଖେଳପଡ଼ିଆ ଓ ଖଟିରେ ଏବେ କେବଳ ରାଜନିତୀ ଚର୍ଚ୍ଚା। ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ରାଜନୈତିକ ଦଳର ଏକାଧିକ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏହା ରାଜନେତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।



