ବୌଦ୍ଧ: ପଞ୍ଚାୟତ ନିର୍ବାଚନର ସରଗରମ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପୌର ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଛି। ବୌଦ୍ଧ ଜିଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ଭାବରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାର ନିର୍ବାଚନ ଅଧିକାରୀ ଶ୍ରୀ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସର୍ବଦଳୀୟ ବୈଠକ ଡକାଯାଇ ୧୭ ଗୋଟି ୱାର୍ଡ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଛି।
ପ୍ରାଥମିକ ଭୋଟର ତାଲିକାରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୧୫୭୨୮ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭୮୧୦ ଜଣ ପୁରୁଷ ଓ ୭୯୧୮ ଜଣ ମହିଳା ଭୋଟର ରହିଥିବା ଜଣାଯାଇଛି। ୨୦୨୨ ଜାନୁୟାରୀ ମାସରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଧାନସଭା ଚୂଡାନ୍ତ ଭୋଟର ତାଲିକା ଆଧାରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରେ କୌଣସି ଆପତ୍ତି କିମ୍ବା ସଂଶୋଧନ ଆବଶ୍ୟକ ଥିଲେ ୧୧ ରୁ ୧୬ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଫର୍ମରେ ପରିଷଦ କାର୍ଯ୍ୟାଳୟରେ ଆବେଦନ କରିବାକୁ ସୂଚନା ଦିଆଯାଇଛି। ଏଥିପାଇଁ ପରିଷଦ କାର୍ଯ୍ୟାଳୟ ମଧ୍ୟରେ ନିର୍ବାଚନ ବିଭାଗ ନିର୍ଦ୍ଧାରିତ ଦିବସ ସହିତ ଛୁଟି ଦିନରେ ମଧ୍ୟ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।
ସେହିପରି ୨୨ ତାରିଖ ମଧ୍ୟରେ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ କରାଯାଇପାରିବ ଏବଂ ୨୩ ତାରିଖରେ ଜିଲା ମୁଖ୍ୟନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ ଦ୍ୱାରା ସମସ୍ତ ଆପତ୍ତି ଅଭିଯୋଗର ବିଚାର କରାଯିବା ପରେ ଫେବୃୟାରୀ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି। ଏହି ବୈଠକରେ ବିଜେଡିର ସଂପାଦକ ଶିତାଂଶୁ ଶେଖର ମହାକୁଳ,ବିଜେପି ସଂପାଦକ ତାପସ କୁମାର ପଟ୍ଟନାୟକ,କଂଗ୍ରେସ ପକ୍ଷରୁ ଗଣେଷ କୁମାର ଅଗ୍ରୱାଲା ଓ ପ୍ରାଉଟିଷ୍ଟ ବ୍ଲକ ପକ୍ଷରୁ କେଦାରନାଥ ସାହୁ ଯୋଗଦେଇଥିଲେ। ପରିଷଦର ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।



