www.samajalive.in
Saturday, December 13, 2025
18.1 C
Bhubaneswar

ବୌଦ୍ଧ ଜିଲ୍ଲା ପରିଷଦ ୬ ନମ୍ବର ଜୋନ, ବିଜେଡି ବିଜେପି ପାଇଁ ସମ୍ମାନର ଲଢେଇ

ବୌଦ୍ଧ: ବୌଦ୍ଧ ଜିଲାରେ ପଞ୍ଚାୟତ ନର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ଆରମ୍ଭ ହୋଇଛି। ଦଳୀୟ ନେତା ଓ ପର୍ଯ୍ୟବେକ୍ଷକମାନେ ଗ୍ରାମାଞ୍ଚଳରେ ଡେରା ପକାଇ ଭୋଟରଙ୍କ ମନ ପରଖିବା ସହିତ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ପ୍ରତିଶୃତି ଓ ପ୍ରଲୋଭନ ଦେଉଥିବାର ଦେଖାଯାଇଛି। ତେବେ ଜିଲାପରିଷଦ ଲଢେଇରେ ୬ ନମ୍ବର ଜୋନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢେଇ ହୋଇଯାଇଛି। ଉଭୟ ଦଳ ପକ୍ଷରୁ ନିଜର ସ୍ଥିତିକୁ ଦୃଢ ବୋଲି ଜାହିର କରି ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ କୌଶଳ ଆପଣାଯାଉଥିବା ଦେଖିବାକୁ ମିଳୁଛି।

ବୌଦ୍ଧ ବ୍ଲକର ୭ ଗୋଟି ପଞ୍ଚାୟତ ମୁରୁଷୁଣ୍ଢି, ବଢ଼ିଙ୍ଗା, ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ପଦ୍ମନପୁର ଓ ମୁଣ୍ଡିପଦର ଗ୍ରାମକୁ ନେଇ ୬ ନମ୍ବର ଜିଲାପରିଷଦ ଗଠିତ। ଏହି ଜିଲା ପରଷଦ ଅଧିନରେ ୭ ଟି ପଞ୍ଚାୟତର ୩୪୭୫୯ ଭୋଟର ରହିଛନ୍ତି। ବିଜେଡିର ଗଡ଼ ଭାବରେ ପରିଚିତ ଏହି ଆସନ ଗତ ନିର୍ବାଚନରେ ବିଜେପି ହାତକୁ ଚାଲିଯିବା ବିଜେଡି ତଥା ବିଧାୟକ ପ୍ରଦିପ କୁମାର ଅମାତଙ୍କ ପାଇଁ ବଡ ଝଟକା ଥିଲା। ତେଣୁ ଏଥର ନିର୍ବାଚନରେ ଏହି ଆସନ ଉପରେ ବିଜେଡି ପକ୍ଷରୁ ଅଧିକ ଫୋକସ ରହିଛି। ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ତଥା ଦଳର ବରିଷ୍ଠ ଯୁବନେତା ଅଶୋକ କୁମାର ସାହୁଙ୍କ ପତ୍ନୀ କଳ୍ପନାରାଣୀ ସାହୁଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିଛି। କଳ୍ପନା ପୂର୍ବରୁ ୫ ନମ୍ବର ଜୋନରୁ ଜିଲାପରିଷଦ ପ୍ରାର୍ଥୀନୀ ଭାବରେ ବିଜୟୀ ହୋଇଥିଲେ। ତେଣୁ ଏଥର ୬ ନମ୍ବର ଜୋନରେ ପ୍ରାର୍ଥୀନୀ ଭାବରେ ସେ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜେଡିର ଦବଦବା ରହିଥିବାବେଳେ କଳ୍ପନା ବହୁ ଭୋଟରେ ବିଜୟୀ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଗତ ନିର୍ବାଚନରେ ଏହି ଜିଲାପରିଷଦରେ ପରାଜୟର ସ୍ୱାଦ ଚାଖି ସାରିଥିବା ବିଧାୟକ ଶ୍ରୀଅମାତ ନିଜେ ବ୍ୟକ୍ତିଗତ ଭାବରେ କଳ୍ପନାଙ୍କୁ ବିଜୟୀ କରାଇବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରତି ପଞ୍ଚାୟତରେ କଳ୍ପନାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବାବେଳେ ପ୍ରଚାର କାର୍ଯ୍ୟରେ ମଧ୍ୟ ଦଳୀୟ ନେତାମାନେ ସମସ୍ତ ଶକ୍ତି ଖଟାଇ ଦେଇଥିବା ଦେଖାଯାଉଅଛି।

- Advertisement -

ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଥିବା ଦଳୀୟ ଅସନ୍ତୋଷକୁ ଦୂର କରିବା ସହିତ ବ୍ୟକ୍ତିଗତ ମତଭେଦକୁ ଭୁଲି ଜିଲାପରିଷଦରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀଅମାତ ଆଲୋଚନା ଜାରି ରଖିଥିବା ଜଣାଯାଇଛି। ବିଜେପି ପକ୍ଷରୁ ଏଠାରେ ତେଲିବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିପୁର ମହାକୁଡଙ୍କ ପତ୍ନୀ ସନ୍ତୋଷିନୀ ମହାକୁଡଙ୍କୁ ପ୍ରାର୍ଥୀ କରାଯାଇଛି। ତ୍ରିପୁରଙ୍କ ଲୋକପ୍ରିୟତା ନିଜର ପଞ୍ଚାୟତରେ ରହିଥିବାବେଳେ ଜାତିଭିତିକ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି। ତେଣୁ ଗତ ନିର୍ବାଚନର ଦଳୀୟ ଭୋଟକୁ ଆଧାର କରି ସନ୍ତୋଷିନୀ ଏଥର ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ ରଖିଛନ୍ତି। ଜିଲାପରିଷଦ ନିର୍ବାଚନରେ ଏହି ଜୋନର ପ୍ରତ୍ୟେକ ପଞ୍ଚାୟତରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ଟକ୍କର ହେବ ବୋଲି କୁହାଯାଉଥିବାବେଳେ କଂଗ୍ରେସ ଏଠାରୁ ସନ୍ଧ୍ୟାରାଣୀ ସିଂହଙ୍କୁ ପ୍ରାର୍ଥୀ କରିଛି।

ସାଧାରଣ ନିର୍ବାଚନରେ ଏହି ଜୋନରୁ ବିଧାୟକ ଶ୍ରୀଅମାତଙ୍କ ଭୋଟ ହାର ହ୍ରାସ ହୋଇଥିଲା। ଜିଲାରେ କଂଗ୍ରେସର ମଙ୍ଗ ବରିଷ୍ଠ ନେତା ନବ କୁମାର ମିଶ୍ର ଧରିବା ପରେ ଗ୍ରାମାଞ୍ଚଳରେ କଂଗ୍ରେସ ଅଧିକ ସଂଗଠିତ ହୋଇଚାଲିଛି। ସାଧାରଣ ନିର୍ବାଚନରେ ବିଜେଡିର ଭୋଟ ହାର ହ୍ରାସ ହେବା ପଛରେ ଏହା ପ୍ରମୁଖ କାରଣ ବୋଲି ରଜନୈତିକ ମହଲରେ ଆଲୋଚନା ହେଉଅଛି। ତେଣୁ ଜିଲାପରିଷଦ ନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀ କିଛି କରିଦେଖାଇବା ପାଇଁ ଆଶାବାଦୀ ରହିଛନ୍ତି। ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ୬ ନମ୍ବର ଜୋନରେ ବିଜେଡିର ପଲା ଭାରି ରହିଛି। ତେବେ ଏଥର ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କଂଗ୍ରେସ ଆଖିଦୃଶିଆ ଭୋଟ ହାସଲ କରି ଆଗାମି ଦିନ ପାଇଁ ନିଜର ପଥ ପ୍ରସ୍ତୁତ କରିବାକୁ ଚାହୁଁଛି। ଏଥର ନିର୍ବାଚନରେ ବିଜେପି ଏହି ଆସନ ବଜାୟ ରଖିପାରୁଛି କି ପୁଣିଥରେ ବିଜେଡି ବିରୋଧୀଙ୍କ କବଜାରୁ ନିଜର ଗଡ଼ ରକ୍ଷା କରିବାରେ ସଫଳ ହେଉଛି ତାହାକୁ ନେଇ ସ୍ଥାନୀୟ ରାଜନିତି ସରଗରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories