ଭୁବନେଶ୍ବର: ଆଜି ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍। ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ। ରାଜ୍ୟରେ ଜିନୋମ ସିକ୍ୱେନ୍ସିଂ ଅଧିକ ସଂଖ୍ୟକ ହୋଇପାରୁ ନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ। ଓମିସିୟୋର ଭାରତରେ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ତିଆରି କରିଥିବା ପ୍ରଥମ ସ୍ବଦେଶୀ ପରୀକ୍ଷା କିଟ୍। ଓଡିଶା ପ୍ରଥମ ରାଜ୍ୟଭାବେ ୫ ଲକ୍ଷ କିଟ୍ ଆଣିବା ପାଇଁ ବରାଦ ଦେଇଛି।
ତୃତୀୟ ଲହରରେ ଡେଲଟା ଭୂତାଣୁୁକୁ ଓମିକ୍ରନ ପଛରେ ପକାଇଥିବା ନେଇ ବିଶେଷଜ୍ଞମାନେ କହୁଥିବା ବେଳେ ଓମିସିୟୋର ଟେଷ୍ଟ କିଟ୍ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି। ଜୀବନ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍) ପକ୍ଷରୁ କୁହାଯାଇଛି ଯେ, ଯେତିକି ସଂଖ୍ୟାରେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଉଛି ସେଥିମଧ୍ୟରୁ ବହୁ ସଂଖ୍ୟାର ଓମିକ୍ରନ ପ୍ରଜାତି ଚିହ୍ନଟ ହେଉଛନ୍ତି। ତେବେ ଏପର୍ଯ୍ୟନ୍ତ ଓଡିଶାରେ ମାତ୍ର ୨୦୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ରହୁଥିବାବେଳେ ସେତୁଳନାରେ ରାଜ୍ୟରେ ଜିନୋମ ସିକ୍ୱେନ୍ସିଂର ପରିମାଣ ବହୁତ କମ୍ ରହିଛି। ତେଣୁ ଓମିସିୟୋର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।



