www.samajalive.in
Sunday, December 14, 2025
26.1 C
Bhubaneswar

ଚୀନର ଚତୁରତା

ଭାରତ-ଚୀନ ସେନାଧିକାରୀଙ୍କ ବୈଠକ ପରେ ଚୀନ ବିବାଦୀୟ ସ୍ଥାନଗୁଡ଼ିକରୁ ନିଜର ସୈନ୍ୟଙ୍କୁ ହଟାଇ ନେବା ଆଶା କରାଯାଇପାରେ

ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚୀନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାବେଳେ ତା’ର ସୈନ୍ୟ ମଝିମଝିରେ ଭାରତରେ ଅନୁପ୍ରବେଶ କରିଆସୁଛନ୍ତି। ଏ ନେଇ ଚୀନ ସେନାଧିକାରୀଙ୍କ ସହ ବାରମ୍ବାର ଆଲୋଚନା ହୋଇଆସୁଛି। ସେହି କ୍ରମରେ ନିକଟରେ ଚତୁର୍ଦଶତମ ବୈଠକ ଅନୁଷ୍ଠିତ ହୋଇଛି; ଯେଉଁଥିରୁ ଆଶା କରାଯାଇପାରେ ଯେ ଉଭୟ ଦେଶ ନିଜନିଜର ସୈନିକଙ୍କୁ ପଛକୁ ହଟାଇ ନେବେ। ଗତ ବର୍ଷ ଅକ୍ଟୋବର ମାସରେ ତ୍ରୟୋଦଶତମ ଆଲୋଚନା ହୋଇଥିଲା, ଯେଉଁଥିରେ ଚୀନ ଭାରତୀୟ ସେନାଧିକାରୀଙ୍କ ପ୍ରସ୍ତାବକୁ ସ୍ବୀକାର କରି ନଥିଲା। ଇତିମଧ୍ୟରେ ବିଭିନ୍ନ କାରଣରୁ ଏଲ୍‌ଏସିରେ ଉତ୍ତେଜନାର ବାତାବରଣ ରହିଛି ଏବଂ ଚୀନ ତା’ର ବିସ୍ତାରବାଦୀ ନୀତି ଅନୁସାରେ ବିବିଧ ଗତିବିଧି ଜାରି ରଖିଛି। ନିକଟରେ ଲଦ୍ଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ଉପରେ ଚୀନ ଏକ ସେତୁ ନିର୍ମାଣ କରିଥିବାରୁ ବେଶ୍ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଚୀନ ପାଖରେ ଭାରତ ନିଜର ଅସନ୍ତୋଷ ଜାହିର କରିଛି। ଭାରତ ସରକାର କହିଛନ୍ତି ଯେ ସେହି ଅଞ୍ଚଳ ଗତ ଷାଠିଏ ବର୍ଷ ଧରି ଚୀନର ଅବୈଧ ଅକ୍ତିଆରରେ ରହିଛି। ସେହିପରି ଚୀନ ଅନ୍ୟ ବିବାଦୀୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏହି ସମସ୍ୟାର ସମାଧାନ ପାଇଁ ଚୀନକୁ ଭାରତ ବହୁ ଦିନରୁ କହିଆସୁଥିଲେ ହେଁ ଚୀନ ଆଦୌ କର୍ଣ୍ଣପାତ କରୁନାହିଁ। ତେବେ ପାଙ୍ଗୋଙ୍ଗ୍‌ ହ୍ରଦରେ ପୋଲ ନିର୍ମାଣକୁ ନେଇ ଭାରତ ପକ୍ଷରୁ ଚୀନକୁ ଚେତାଇ ଦେବାପରେ ଚତୁର୍ଦଶତମ ଆଲୋଚନା ସ୍ଥିର ହୋଇଥିଲା।

- Advertisement -

ଏଥର ଆଲୋଚନାରେ ଲଦ୍ଦାଖର ସମସ୍ତ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶର ସୈନିକ ପଛକୁ ଫେରିଯିବା ପାଇଁ ସ୍ଥିର ହୋଇଛି; କିନ୍ତୁ ଚୀନ ଏ ବିଷୟରେ କେତେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବା କଥା। ଚୀନ ବାରମ୍ବାର ତା’ ପ୍ରତିଶ୍ରୁତି ଭଙ୍ଗ କରୁଥିବାରୁ ତା’ ଉପରେ ସହଜରେ ବିଶ୍ବାସ କରାଯାଇପାରିବ ନାହିଁ। ପୂର୍ବରୁ ଚୀନ ସୈନିକମାନେ ଅନୁପ୍ରବେଶ କରୁଥିଲେ ଏବଂ ଏ ବିଷୟରେ ଚୀନ ସରକାରଙ୍କ ସହ ଆଲୋଚନା ପରେ ସେମାନେ ଫେରିଯାଉଥିଲେ; କିନ୍ତୁ ଗତ ଦୁଇବର୍ଷ ହେଲା ଚୀନ ଭାରତ ବିରୋଧରେ କଠୋର ନୀତି ଅବଲମ୍ବନ କରିଥିବା ଅନୁମାନ କରାଯାଉଛି; କାରଣ ଭାରତର ବାରମ୍ବାର ଚେତାବନୀ ସତ୍ତ୍ବେ ମଧ୍ୟ ଚୀନ ଏଲ୍‌ଏସି ଅଞ୍ଚଳରେ ନିଜର ଗତିବିଧି ଜାରି ରଖିଛି। ଭାରତ ସୀମାରେ ଶହେଟି ଘର ଥିବା ଏକ ଗାଁ ବସାଇଥିବା ଖବର ନିକଟରେ ଆସିଥିଲା। ଉପଗ୍ରହ ଚିତ୍ରରୁ ଏହା ଜଣାପଡ଼ିଥିଲା। ଇତିମଧ୍ୟରେ ଚୀନ ଏଲ୍‌ଏସି ପର୍ଯ୍ୟନ୍ତ ସଡ଼କ ମଧ୍ୟ ନିର୍ମାଣ କରିସାରିଛି। ଏଥିରୁ ତା’ର ଯେ ମନ୍ଦ ଅଭିପ୍ରାୟ ରହିଛି, ସେ ବିଷୟରେ କୌଣସି ସନ୍ଦେହ ନାହିଁ। ଦରକାର ପଡ଼ିଲେ ଯୁଦ୍ଧ ବା ଲଢ଼େଇ ସମୟରେ ସେ ଏଗୁଡ଼ିକୁ ବ୍ୟବହାର କରିବ। କେବଳ ଭାରତ ଉପରେ ଅଙ୍କୁଶ ଲଗାଇବାକୁ ଚୀନ ଉଦ୍ୟମ କରୁନାହିଁ, ବରଂ ଭାରତର ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ଏଥିରେ ସେ ଅନେକ ପରିମାଣରେ ସଫଳ ମଧ୍ୟ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।

ଚୀନ ଭାରତକୁ ଚତୁର୍ଦିଗରୁ ଘେରି ଅସ୍ଥିର କରିବାକୁ ଚାହେଁ। ଭାରତର ଅନ୍ୟତମ ପଡ଼ୋଶୀ ଓ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଚୀନ ବନ୍ଧୁ କରିଛି ଏବଂ ତାକୁ ଯାବତୀୟ ସାହାଯ୍ୟ ସହଯୋଗ ପ୍ରଦାନ କରିଆସୁଛି। ଉଭୟେ ମିଶି ଭାରତକୁ ଅଡୁଆରେ ପକାଇବାକୁ ଚାହାନ୍ତି; କିନ୍ତୁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ବଦନାମ କରିବା ପାଇଁ ସେମାନଙ୍କର ସବୁ ଷଡ଼ଯନ୍ତ୍ର ଅତୀତରେ ବିଫଳ ହୋଇଛି; ବରଂ ଆନ୍ତର୍ଜାତିକ ମଞ୍ଚରେ ଭାରତ ନିଜର ଗୁରୁତ୍ବ ପ୍ରତିପାଦିତ କରିଆସିଛି। ଏହା ଚୀନ ପାଇଁ ଅସହ୍ୟ ହେଉଛି। ଆମେରିକା ସହ ଭାରତର ସମ୍ବନ୍ଧ ସବୁବେଳେ ଚୀନ ପାଇଁ ଅଡୁଆ ସୃଷ୍ଟି କରିଛି। ତେଣୁ ସେ ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ତାନ ଆଦି ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ସାହାଯ୍ୟ ସହଯୋଗ ନାଁରେ ନିଜର ଆର୍ଥିକ ଗତିବିଧି ଜାରି ରଖି ସେଗୁଡ଼ିକୁ ଅଧସ୍ତନ କରିବାର ଅପଚେଷ୍ଟା କରୁଛି। ଇତିମଧ୍ୟରେ ଅନେକ ଦେଶ ବାଧ୍ୟ ହୋଇ ତା’ର ବଶମ୍ବଦ ହେବା ସହ ଦେବାଳିଆ ସ୍ଥିତିରେ ପହଞ୍ଚିଗଲେଣି। ଅନ୍ୟ ପକ୍ଷରେ, ଚୀନ ମଝିମଝିରେ ବିଭିନ୍ନ ମାଧ୍ୟମରେ ଭାରତକୁ ଯୁଦ୍ଧ ପାଇଁ ଉସୁକାଇ ଆସିଛି। ଚୀନ ସରକାରଙ୍କ ମୁଖପତ୍ର ଧରାଯାଉଥିବା ‘ଗ୍ଲୋବାଲ୍‌ ଟାଇମ୍ସ’ର ଏକ ସଂପାଦକୀୟରେ କୁହାଯାଇଥିଲା ଯେ, ‘‘ଭାରତ ସହିତ ଉତ୍ତେଜନା ଯେଉଁ ପରିମାଣରେ ବଢ଼ୁଛି, ଚୀନ ସାମରିକ ଲଢ଼େଇ ପାଇଁ ପ୍ରସ୍ତୁତ ରହିବା ଉଚିତ। ଯଦି ଭାରତ ଯୁଦ୍ଧ ଆରମ୍ଭ କରେ, ତେବେ ସେ ହାରିବା ନିଶ୍ଚିତ। ଚୀନ ନିଜର ସ୍ବାର୍ଥରକ୍ଷା ପାଇଁ କୌଣସି ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ’’। ଏଥିରୁ ଚୀନ ସୀମା ଉତ୍ତେଜନାକୁ ହ୍ରାସ କରିବା ବଦଳରେ ବଢ଼ାଇବାକୁ ଚାହୁଁଛି ଏବଂ ଯୁଦ୍ଧ ପାଇଁ ଆହ୍ବାନ କରୁଛି, ତାହା ବୁଝିବା କଷ୍ଟକର ନୁହେଁ। ଚୀନ ବାସ୍ତବତାକୁ ଗ୍ରହଣ ନ କରି ସୀମାବିବାଦ ପାଇଁ ସର୍ବଦା ଭାରତକୁ ଦୋଷ ଦେଇ ଆସିଥିବାବେଳେ ବିଶ୍ବର ଅନ୍ୟ ଦେଶ ସହ ତା’ର ସମ୍ପର୍କକୁ ମଧ୍ୟ ଖରାପ କରିଦେବାକୁ ଉଦ୍ୟମ କରୁଛି। ତେଣୁ ଭାରତ ଅତି ସତର୍କତାର ସହ ଚୀନ ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories